କଟକ : ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ରାଜ୍ୟବାସୀଙ୍କର ପୂର୍ଣ୍ଣ ସମର୍ଥନ ଏବଂ ଆତ୍ମବିଶ୍ଵାସ ରହିଛି। ଅତୀତରେ ଏହା ଥିଲା ଏବଂ ଏବେ ମଧ୍ୟ ରହିଛି। ସେ ଯାହାକୁ ଚାହିଁବେ ତାହାକୁ ପଦପଦବୀରେ ଅବସ୍ଥାପିତ କରିବେ। ରାଜ୍ୟରେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁଜାତା କାର୍ତ୍ତିକେୟନଙ୍କର ଅବଦାନ ଅତୁଳନୀୟ। ସେ ଚାକିରି ଛାଡି ଜନସେବା ଲକ୍ଷ୍ୟ ରଖି ଦଳରେ ଯୋଗ ଦେଇଛନ୍ତି। ରାଜ୍ୟରେ ହିଂସା, ମହିଳାଙ୍କ ଉପରେ ଅତ୍ୟାଚାର, ଦରଦାମ ବୃଦ୍ଧି ଏବେ ପ୍ରସଙ୍ଗ ହୋଇଉଠିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟରେ ୩କୋଟି ୮୦ ଲକ୍ଷ ଲୋକ ଉପକୃତ ହୋଇପାରିଥିଲେ। କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଯୋଜନା କୌଣସି ପ୍ରକାରେ ଫଳପ୍ରଦ ହୋଇପାରୁନାହିଁ। ଲୋକମାନେ ଏହି ଯୋଜନାରେ କୌଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି। ବିଜେପି ସରକାର ସଂପୂର୍ଣ୍ଣ ଅସମର୍ଥ ହୋଇପଡିଛି। ତେଣୁ ଆଗାମୀ ୨୬ ତାରିଖ ଦିନ ସାରଳା ଭବନ ଠାରେ ବିଜୁ ଜନତା ଦଳ କଟକ ଜିଲ୍ଲା ପକ୍ଷରୁ ଦଳର ୨୮ତମ ସ୍ଥାପନ ଦିବସ ପାଳନ କରାଯିବ। ଏଠାରେ ରାଜ୍ୟରେ ହିଂସାକାଣ୍ଡ, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଚାଷୀମାନଙ୍କ ସମସ୍ୟା, ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ। ଦଳର କର୍ମୀମାନେ ଘର ଘର ବୁଲି ବିଜେପି ସରକାରର ଅପାରଗତା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ। କଟକ ଜିଲ୍ଲା ବିଜେଡି ସୁଦୃଢ ରହିଛି ବୋଲି ମେୟର ଶ୍ରୀ ସୁବାସ ସିଂ ଏବଂ ଦଳର ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ ଆଜି ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀ ସିଂ ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଲେ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପପ୍ରଚାର କରାଯାଉଛି ବୋଲି ଶ୍ରୀ ସିଂ ସମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।
ରାଜ୍ୟ
ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ତାଙ୍କ ବିରୁଦ୍ଧରେ ଅପପ୍ରଚାର କରାଯାଉଛି – ଶ୍ରୀ ସୁବାସ ସିଂହ
- Hits: 87











