ଭୁବନେଶ୍ବର : ଓଡିଶାର ସୁନାମଧନ୍ୟ ବ୍ୟଙ୍ଗ ସାହିତ୍ୟିକଙ୍କର ତିନ ଗୋଟି ବ୍ୟଙ୍ଗ ପୁସ୍ତକ ରବିବାର ଦିନ ଭୁବନେଶ୍ବରସ୍ଥ ଜୟଦେବ ଭବନ ପରିସରରେ ଲୋକାର୍ପିତ ହୋଇଯାଇଛି | ଲୋକାର୍ପିତ ପୁସ୍ତକ ଗୁଡିକ ହେଲା ଶ୍ରୀଯୁକ୍ତ ଜ୍ଞାନ ହୋତାଙ୍କ "ପଇତା ମାରା", ଶ୍ରୀ ସରୋଜ କୁମାର ଶତପଥୀଙ୍କ "ତେଲ ମାଲିସ୍ " ଏବଂ ପ୍ରିୟବ୍ରତ ପଣ୍ଡାଙ୍କ "କବିର ସ୍ବର୍ଗବାସ" | ବିଶିଷ୍ଟ ବ୍ୟଙ୍ଗକବି ତଥା ସ୍ଥମ୍ବକାର ଶ୍ରୀଯୁକ୍ତ ଜ୍ଞାନ ହୋତାଙ୍କ ଜନ୍ମଦିନ ଅବସରରେ ଅନୂଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ସବ୍ୟସାଚି ମହାପାତ୍ର, ଶ୍ରୀଯୁକ୍ତ ବୈଷ୍ଣବ ମହାନ୍ତି ଏବଂ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗ ଦେଇ ବ୍ୟଙ୍ଗ ସାହିତ୍ୟର ତାତ୍ପର୍ଯ୍ଯତା ଓ ସମାଜ ପାଇଁ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ | ବ୍ୟଙ୍ଗ ଏକ ସ୍ବତନ୍ତ୍ର କଳା ଯାହା ଲେଖିବା ପାଇଁ କଷ୍ଟକର ଏବଂ ବୁଝିବା ପାଇଁ ସେଭଳି ବୁଦ୍ଧିମତାର ଆବଶ୍ୟକତା ଅଛି ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଥିଲେ | ଜୟଦେବ ଭବନ ପ୍ରେକ୍ଷାଳୟର ଭବ୍ୟ ମଞ୍ଚରେ ଏକ ଭିନ୍ନ ଢଙ୍ଗରେ ବହିର ଜନ୍ମଦିନ ପାଳନ ଉପସ୍ଥିତ ସାହିତ୍ୟ ପ୍ରେମୀମାନଙ୍କୁ ଅବିଭୁତ କରିଥିଲା |ମଞ୍ଚାସିନ ସମସ୍ତ ଅତିଥିମାନେ ଏଭଳି ଏକ ନିଆରା ଢଙ୍ଗରେ ବହି ଓ ଲେଖକଙ୍କ ଜନ୍ମଦିନ ପାଳନର ଭୁରିଭୁରି ପ୍ରଶଂସା କରିଥିଲେ |
ଶ୍ରୀ ଅତିଶ ମହାନ୍ତି ଉକ୍ତ କାର୍ଯ୍ଯକ୍ରମର ଆବାହକ ଥିବାବେଳେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଜ୍ଞାନୀ ଦେବାଶିଷ | ଶ୍ରୀ ସନ୍ଦିପ ମହାପାତ୍ରଙ୍କ ପରିଚାଳନାରେ ସଭାଟି ବେଶ ଉପଭୋଗ୍ୟ ଥିଲା |ଶ୍ରୀମତୀ ଛନ୍ଦା ମିଶ୍ର ଓ ଡା.ଦେବାଶିଷ ମହାପାତ୍ର ପୁସ୍ତକ ତିନି ଗୋଟିର ସମୀକ୍ଷା କରିଥିଲା ବେଳେ ପାଠକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ତିନି ଲେଖକ | ପରିଶେଷରେ ପ୍ରକାଶକ ଶ୍ରୀଯୁକ୍ତ ରାଜ କିଶୋର ଦାସ (ଏଥନା ବୁକ୍ସ ) ଧନ୍ୟବାଦ ଅର୍ପଣ କରିଥିଲେ








