"ଶ୍ରୀ ଜୀଉଙ୍କ ସେବା ପୂଜା କରିବାପାଇଁ ମନ୍ଦିର ପ୍ରତିଷ୍ଠାତା ରାଜା ମହାରାଜା ଏବଂ ଦାତାମାନେ ଜମି ମାନସିକ ପୂରଣ ସୁତ୍ରରେ ଦେଇଛନ୍ତି । ଏଥିରେ ରାଜ୍ୟ ସରକାର କିଏ ? ପୁରୀରେ ଯେଉଁଭଳି ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିକ୍ରିକରିବା ପାଇଁ ସରକାର ନିୟମ ଆଣି ସେବାୟତ ମାନଙ୍କୁ ସୁଯୋଗ ପ୍ରଦାନ କରିଛନ୍ତି ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଜମିରେ ସେହିପରି ନିୟମ ଆଣି ଭୁବନେଶ୍ୱର ବାସୀଙ୍କୁ ଭୟ ଓ ବିଷାଦ ମଧ୍ୟରୁ ମୁକ୍ତ କରନ୍ତୁ |" : ରଶ୍ମି ମହାପାତ୍ର
ଭୁବନେଶ୍ୱର: – ପୁରୀରେ ଯେଉଁଭଳି ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ସେବାୟତ ମାନଙ୍କ ନାମରେ କରିବାପାଇଁ ସରକାର ନିୟମ କଲେ ସେହିପରି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ କରିବାପାଇଁ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସଂପାଦିକା, ମୁଖପାତ୍ର ଏବଂ ଏକାମ୍ର କ୍ଷେତ୍ରର ବିଧାୟୀକା ପ୍ରାର୍ଥୀ ଶ୍ରୀମତୀ ରଶ୍ମି ମହାପାତ୍ର ଦାବି କରିଛନ୍ତି।
ଆଜି କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ରଶ୍ମି ମହାପାତ୍ର କହିଛନ୍ତି ଯେ ପୁରୁଷାନୁ କ୍ରମିକ ଭାବେ ବାସକରୁଥିବା ସେବାୟତ ପରିବାର ଏବଂ ଅଣସେବାୟତ ପରିବାରଙ୍କର ସ୍ଥାୟୀ ପଟା ହେବା ଜରୁରୀ । ୨୦୨୨ର ସିଏଜି ରିପୋର୍ଟ ଅନୁଯାୟୀ ସାରା ଓଡ଼ିଶାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ୧୫୨୩.୮୭୯ ଏକ ଜମି ଅଛି । ଏସବୁ ଜମିରୁ କୌଣସି ଆୟ ହେଉନାହିଁ । ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରଶାସନର ସୂତ୍ର ଅନୁଯାୟୀ ୩୭ ଏକର ଜମି ଲୋକଙ୍କ ପାଖରେ ଅଛି କିନ୍ତୁ ପ୍ରକୃତରେ ୫୦ ଏକରରୁ ଅଧିକା ଜମି ଲୋକଙ୍କ ପାଖରେ ଅଛି । ଏହାସବୁ ଭୁବନେଶ୍ୱର ତହସିଲ ମଧ୍ୟରେ ଅଛି । ଯେଉଁ ୩୭% ଜମି ଲିଙ୍ଗରାଜଙ୍କ ନାମରେ ଅଛି ଯେଉଁଥିରେ କି ପ୍ରାୟ ଲକ୍ଷାଧିକ ଲୋକ ବସବାସ ସହ ବ୍ୟବସାୟ କରି ଅଛନ୍ତି କିନ୍ତୁ ଏମାନେ ସମସ୍ତେ ସମସ୍ୟା ଘେରରେ ଅଛନ୍ତି । ଊକ୍ତ ଜମି ନିମନ୍ତେ ପୁରୁଷ ପୁରୁଷ ଧରି ବହୁ ଅର୍ଥ ଖର୍ଚ୍ଚ କରି କେସ କରି ଚାଲୁଛନ୍ତି । ସେହିପରିମାଣରେ ମଧ୍ୟ ଶ୍ରୀ ଲିଙ୍ଗରାଜଙ୍କ ପ୍ରଶାସନର ମଧ୍ୟ ଖର୍ଚ୍ଚ ହେଉଛି । ବହୁ ଲୋକଙ୍କ ସମ୍ବଳ ନଥିବାରୁ ବିଭିନ୍ନ କୋର୍ଟରେ ମାଲି ମୋକଦ୍ଧମା ପଡ଼ି ରହିଅଛି । କିଛି ଲୋକ କେସ କରି ହାଇକୋର୍ଟରେ ହାରି ସର୍ବସାନ୍ତ ହୋଇଥିବା ବେଳେ ସୁପ୍ରିମ କୋର୍ଟ ଯିବାପାଇଁ ଲୋକଙ୍କ ପାଖରେ ଆଉ ସମ୍ବଳ ନାହିଁ । ଏହାର ସୁଯୋଗ ନେଇ କିଛି ମୁଷ୍ଟିମେୟ ଅଫିସର ଭଲ ଭଲ ଯାଗାକୁ ହାତେଇବା ପାଇଁ କଳ ବଳ କୌଶଳ ଅବଲମ୍ବନ କରୁଛନ୍ତି । କିଛି ସେବାୟତ ପରିବାରଙ୍କୁ ବିଭିନ୍ନ ସେବାକୁ ନେଇ ଉକ୍ତ ଜମି ମିଳିଥିଲେ ହେଁ ଘର ମରାମତି ବାବଦକୁ ଏକ ଟଙ୍କା ବ୍ୟାଙ୍କରୁ ଋଣ ପାଇପାରି ନାହାନ୍ତି । ଶ୍ରୀଜୀଉଙ୍କ ସେବାପୂଜା ଲାଗି ବ୍ୟବହୃତ ବ୍ୟବସାୟ ସ୍ଥାନରେ ବିକ୍ରି ସାମଗ୍ରୀ ଯଥା କୋରାଖଇ, ଫୁଲ, ଫଳ ଇତ୍ୟାଦି ଦୀର୍ଘବର୍ଷ ଧରି ବିକ୍ରି କରୁଥିଲେ | କିନ୍ତୁ ଏକାମ୍ର ପ୍ରକଳ୍ପ ସମୟରେ ସେମାନେ ସେହି ସ୍ଥାନରୁ ଉଠିବାକୁ ବାଧ୍ୟ ହୋଇଛନ୍ତି । ସରକାର ଭେଣ୍ଡିଂ ଜୋନ କରି ସେମାନଙ୍କୁ ଥଇଥାନ ଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ବିକ୍ରି ସ୍ଥାନର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇ ନାହିଁ । ଯାଗାର ଷ୍ଟାଟସ ଅସ୍ପଷ୍ଟ ଯୋଗୁଁ ଏପର୍ଯ୍ୟନ୍ତ ଜମି ବାବଦକୁ ବିସ୍ଥାପିତ ବ୍ୟକ୍ତିମାନଙ୍କୁ ଏକଟଙ୍କା ମିଳିନାହିଁ । କ୍ୟାବିନେଟରେ ନିଷ୍ପତି କରାଯାଇଥିଲେ ହେଁଁ ଏପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ କରାଯାଇନାହିଁ । ଶ୍ରୀମତୀ ମହାପାତ୍ର ଆହୁରି ସୂଚନା ପ୍ରଦାନ କରି କହିଥିଲେ କି କିଛି ଦେବୋତର ଜମି କିଭଳି ଭାବେ ରାଜ୍ୟ ସରକାରଙ୍କୁ ଯାଇଛି ତାହା ପ୍ରଶ୍ନବାଚୀ । ଶ୍ରୀ ଜୀଉଙ୍କ ସେବା ପୂଜା କରିବାପାଇଁ ମନ୍ଦିର ପ୍ରତିଷ୍ଠାତା ରାଜା ମହାରାଜା ଏବଂ ଦାତାମାନେ ମାନସିକ ପୂରଣ ସୁତ୍ରରେ ଦେଇଛନ୍ତି । ଏଥିରେ ରାଜ୍ୟ ସରକାର କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ମହାପାତ୍ର? ଆଜିର ଏ ପରିସ୍ଥିତି ପାଇଁ ଆଇନ ବିଭାଗ, ଦେବୋତର ଏବଂ ମୁଖ୍ୟମନ୍ତ୍ରୀ ସେଥିପାଇଁ ଦାୟୀ । ଏଭଳି ଉଦାସୀନତା ଯୋଗୁଁ ମନ୍ଦିର ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ହାନୀ ହେବା ସହିତ ସେବାୟତମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।
ପୁରୀରେ ଯେଉଁଭଳି ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ସେବାୟତ ମାନଙ୍କ ନାମରେ କରିବାପାଇଁ ସରକାର ନିୟମ କଲେ ସେହିିପରି ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ସେବାୟତ ମାନଙ୍କ ବ୍ୟୟବନେ୍ଦାବସ୍ତ ଜମିକୁ ତାଙ୍କ ନାମରେ କରିବା ପାଇଁ ତୁରନ୍ତ ନିୟମ କରି ପଦକ୍ଷେପ ନେବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଶ୍ରୀ ରଜନୀ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ସୁବ୍ରତ ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।








