ଗୁଣ୍ଡିଚାଘରେ ବଡ ଭାଇ, ବାଟରେ ଅଟକିଲେ ମାଆ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ
ପୁରୀ/ଅନିମେଷ ପଟ୍ଟନାୟକ : ପବିତ୍ର ବଡଦାଣ୍ଡରେ ଏକାକାର ହେଲେ ଭକ୍ତ ଓ ଭଗବାନ। ଘଣ୍ଟ ଘଣ୍ଟା, ଶଙ୍ଖ, କାହାଳୀର ନାଦରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ଲୋକାରଣ୍ୟ ବଡଦାଣ୍ଡରେ ଗୁଞ୍ଜରିତ ହେଉଥିଲା ଜୟ ଜଗନ୍ନାଥ ଧ୍ୱନି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସତ୍ୱେ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଓ ରଥଟଣା କରାଯାଇଥିଲେ ବି ଗୁଣ୍ଡିଚାଘରେ ପହଞ୍ଚିପାରିଲେନି ମାଆ ସୁଭଦ୍ରା ଓ ଭାଇ ଜଗନ୍ନାଥ।
ସହଳ ନିଶିକାନ୍ତି ସାରି ସକାଳ ୮.୩୦ ରେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରାଯିବା ପରେ ଗୋଟି ପହଣ୍ଡିରେ ବଡଭାଇ ବଳଭଦ୍ରଙ୍କୁ ତାଳଧ୍ଵଜ, ଭଉଣୀ ସୁଭଦ୍ରାଙ୍କୁ ଦର୍ପଦଳନ ଓ ମହାପ୍ରଭୁ ଜଗନ୍ନାଥଙ୍କୁ ନନ୍ଦିଘୋଷ ରଥରେ ବିରାଜିତ କରାଯାଇଥିଲା । ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ତାମ୍ରଯାନରେ ଆସି ତିନି ରଥରେ ଛେରା ପହଁରା ଓ ରାଜନିତୀ ପରମ୍ପରା କରିଥିଲେ । ପରେ ଅପରାହ୍ନ ୩ ଟାରେ ବଡଭାଇ ବଳଭଦ୍ରଙ୍କ ରଥଟଣା ହୋଇଥିଲା । ପରେ ପରେ ଭଉଣୀ ସୁଭଦ୍ରାଙ୍କ ରଥ ଓ ୪. ୫୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ହୋଇଥିଲା । ଲକ୍ଷ ଲକ୍ଷ ଲୋକ ମହାପ୍ରଭୁଙ୍କ ରଥକୁ ଜଗନ୍ନାଥଙ୍କ ନାମ ନେଇ ଟାଣୁଥିବା ବେଶ ମନୋରମ ଥିଲା । ଲାଗୁଥିଲା ଯେପରି ଜଗନ୍ନାଥ ନାମରେ ଭକ୍ତଙ୍କୁ ଏକ ଅପୂର୍ବ ଶକ୍ତି ମିଳୁଥିଲା ।
ମାଉସୀ ମାଆଙ୍କ ଠାରୁ ପୋଡ଼ପିଠା ଖାଇ ବଡଭାଇ ଆଗେଇ ଚାଲିଥିଲେ । ହେଲେ ଭଉଣୀ ସୁଭଦ୍ରା ଓ ଭାଇ ଜଗନ୍ନାଥ ଏଥର ଟିକେ ନଟଖଟ କରି ଯାଉଥିଲେ । ଧିରେ ଧିରେ ଭାଇ ଭଉଣୀ ଆଗଉଥିବା ବେଳେ ସୁଭଦ୍ରାଙ୍କ ରଥ ବଡଶଙ୍ଖ ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ବଳଗଣ୍ଡି ଠାରେ ଅଟକି ଯାଇଛି । ହେଲେ ଟିକେ ଡେରିରେ ବଡ ଭାଇ ସବୁଥର ପରି ଏଥର ବି ଗୁଣ୍ଡିଚାଘରେ ପହଞ୍ଚି ଯାଇଛନ୍ତି । ଆସନ୍ତା କାଲି ସକାଳେ ଭାଇ ଓ ଭଉଣୀଙ୍କ ରଥ ଟଣା ହେବ ।











