-
ଗାଁ ଲୋକଙ୍କୁ ବିଜେପି ପ୍ରାର୍ଥୀ ଟଙ୍କଧର ଓ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଧମକଚମକ ଓ ଗାଳିଗୁଲଜ
-
ବିଜେଡ଼ି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କଲେ, ଟେକା ପଥର ଫିଙ୍ଗିଲେ ବିଜେପି କର୍ମୀ
-
ଦୋଷୀ ବିଜେପି ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଦାବି
ଭୁବନେଶ୍ୱର,: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପରାଜୟ ନିଶ୍ଚିତ ଜାଣି ଭାରତୀୟ ଜନତା ପାର୍ଟି ଏବେ ଭିନ୍ନ ରଣନୀତି ଆପଣେଇଛି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ, ସାହି କିମ୍ବା ୱାର୍ଡ଼କୁ ବିଜେପି ପ୍ରାର୍ଥୀ ପ୍ରଚାରରେ ଗଲାବେଳେ ଲୋକଙ୍କ ସମର୍ଥନ ପାଉନଥିବାରୁ ଏଥିରେ ହତାଶ ଓ ଉତ୍କ୍ଷିପ୍ତ ହୋଇ ବିଜେପି ନେତାମାନେ ଗୁଣ୍ଡାଗର୍ଦ୍ଦି କରିବା ସହ ଓ ଭୋଟରଙ୍କୁ ଧମକଚମକ ଦେବା ଆରମ୍ଭ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ନିକ୍ତିମାଲ ଅଞ୍ଚଳରେ ବିଜେପିର ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଓ ତାଙ୍କ ସମର୍ଥକମାନେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି । ଆଜି ଏନେଇ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଥିବା ବେଳେ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଲେ ଯେ ଗତକାଲି ସନ୍ଧ୍ୟାରେ ବିଜେଡି କର୍ମୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବାବେଳେ ବିଜେପିର ଏହି ନେତା ଓ ତାଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ । ଏପରିକି ଟଙ୍କଧର ତ୍ରିପାଠୀ ଓ କୁସୁମ ଟେଟେ ଦିଲ୍ଲୀପ ପ୍ରଧାନ ନାମକ ଜଣେ ବିଜେଡି କର୍ମୀଙ୍କୁ ଜାତିଆଣ ଆକ୍ଷେପ କରି ଧମକ ଦେବା ସହ ତାଙ୍କ ଗୋଡ଼ରେ ଗାଡ଼ି ଚଢ଼ାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ବିଜେପି ନେତା ଓ କର୍ମୀଙ୍କ ଏପରି ଗୁଣ୍ଡାଗର୍ଦ୍ଦିକୁ ବିରୋଧ କରି ଗାଁ ଲୋକମାନେ ଏକଜୁଟ ହେବାରୁ ସେମାନେ ସେଠାରୁ ପଳାଇ ଆସିଥିଲେ । ମାତ୍ର ସେମାନଙ୍କ ଇସାରାରେ ଏହାର କିଛି ସମୟ ପରେ ପୁନର୍ବାର ୪୦/୫୦ ଜଣ ବିଜେପି କର୍ମୀମାନେ ଗାଁରେ ପହଞ୍ଚି ବିଜେଡି ସମର୍ଥକମାନଙ୍କୁ ଧମକଚମକ ଦେବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ ଏବଂ ଟେକା ପଥର ଫିଙ୍ଗିଥିଲେ । ବିଜେଡି କର୍ମୀମାନେ ପ୍ରାଣ ଭୟରେ ସେଠାରୁ ଦୌଡ଼ି ପଳାଇଯିବା ପରେ ରକ୍ତମୁଖା ବିଜେପି କର୍ମୀମାନେ ବିଜେଡିର ପତାକା ଓ ପୋଷ୍ଟର ଆଦି ଚିରି ପକାଇଥିଲେ ଏବଂ ଆଗକୁ କେହି ବିଜେଡି ପାଇଁ ପ୍ରଚାର କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହା ଫଳରେ କାଲିଠାରୁ ନିକ୍ତିମାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଶ୍ରୀ ଦାସ ଆହୁରି କହିଲେ ଯେ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଲୋଭିତ କରିବା, ନ ମାନିଲେ ଧମକଚମକ ଦେବା ଏବଂ ଗୁଣ୍ଡାଗର୍ଦ୍ଦି କରିବା ବିଜେପିର ପୁରୁଣା ଅଭ୍ୟାସ । ପଦ୍ମପୁର ଉପନିର୍ବାଚନ ସମୟରେ ଜିଏସ୍ଟି ଚଢ଼ଉ ଚାଲିଥିବାବେଳେ ମଧ୍ୟ ବିଧାୟିକା କୁସୁମ୍ ଟେଟେଙ୍କ ସହ ଶତାଧିକ ବିଜେପି ସମର୍ଥକ ସେଠାରେ ପହଞ୍ଚି ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି କରିଥିଲେ ଏବଂ ଜିଏସ୍ଟି ଅଧିକାରୀଙ୍କୁ ଧମକଚମକ ଓ ଗାଳିଗୁଲଜ କରିଥିଲେ । ଯାହା ଜଣାପଡ଼ୁଛି, ରାଜ୍ୟ ବିଜେପିରେ କୋଣଠେସା ଅନୁଭବ କରୁଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ମୁଷ୍ଟିମେୟ ନେତା ନିଜର ଅସ୍ତିତ୍ୱ ଜାହିର କରିବାକୁ ଝାରସୁଗୁଡ଼ା ଉପନିର୍ବାଚନରେ ଜାଣିଶୁଣି ଏମିତି ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଏବଂ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି କରୁଛନ୍ତି । ବିଜେପିର ଏଭଳି କାର୍ୟ୍ୟକଳାପକୁ ନାପସନ୍ଦ କରି ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ଥିବା ମଙ୍ଗଲ ସାହୁ ଗତକାଲି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ମାତ୍ର ଏଥିରୁ କିଛି ବୁଦ୍ଧି ନ ଶିଖି ବିଜେପି ନେତାମାନେ ଗୁଣ୍ଡାଗର୍ଦ୍ଦି ଜାରି ରଖିଛନ୍ତି, ସଂପୃକ୍ତ ଅଞ୍ଚଳରେ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛନ୍ତି ଏବଂ ଏଥିରୁ ଫାଇଦା ହାସଲ ପାଇଁ ଅପଚେଷ୍ଟା କରୁଛନ୍ତି ।
ତେଣୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଏଭଳି ଗୁଣ୍ଡାଗର୍ଦ୍ଦି କରୁଥିବା ବିଜେପି ବିଧାୟିକା କୁସୁମ ଟେଟେ, ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ ଅନ୍ୟ ବିଜେପି ନେତାମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ସହିତ ଝାରସୁଗୁଡ଼ାରେ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ପରିଚାଳନା ଲାଗି ଆମେ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛୁ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ବିଜୁ ଜନତା ଦଳର ଏହି ପ୍ରତିନିଧି ଦଳରେ ଡ. ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡା, ଡ. ପ୍ରିୟବ୍ରତ ମାଝୀ, ଅମିତ ମଲ୍ଲିକ, ସ୍ଵୟଂପ୍ରକାଶ ମହାପାତ୍ର, ମିହିର ରାୟ, ଇପସିତା ସାହୁ, ଲୋରା ମହାପାତ୍ର, ମଧୁସ୍ମିତା ନାୟକ ଓ ଅପୂର୍ବା ଅପରୂପା ପ୍ରମୁଖ ସାମିଲ ଥିଲେ ।