ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ରଞ୍ଜନ କୁମାର ଦାସ ।
ପୁରୀ (ଅନିମେଶ ପଟ୍ଟନାୟକ): "ସବୁ କିଛି ମହାପ୍ରଭୁଙ୍କ ଇଛାରେ ହୁଏ । ଏଥର ରଥଯାତ୍ରା ବି ବେଶ ସୁରୁଖୁରରେ ହେବ । ସେ କରାଇବେ । ମୁଁ ନିମିତ୍ତ ମାତ୍ର ।" ଦାୟିତ୍ବ ନେବା ପରେ ଗଣମାଧ୍ୟମକୁ ଏପରି କହିଛନ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।
ମଙ୍ଗଳବାର ଦାୟିତ୍ବ ନେବା ପରେ ବିଭିନ୍ନ ଅଧିକାରୀଙ୍କ ସହ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ଶ୍ରୀ ଦାସ । ସବୁ କାର୍ଯ୍ୟ ପୂର୍ବରୁ ମହାପ୍ରଭୁଙ୍କ ଆଶିର୍ବାଦ ନେଲେ କାର୍ଯ୍ୟ ସଫଳ ହୁଏ । ମହାପ୍ରଭୁ ହିଁ ସବୁ କିଛି କରିଥାନ୍ତି । ତେଣୁ ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟ ସଫଳ ଭାବେ କରିବା ପାଇଁ ଆଶିର୍ବାଦ ଲୋଡିଥିବା କହିଛନ୍ତି ଶ୍ରୀ ଦାସ ।
ଆହୁରି ମଧ୍ଯ କହିଛନ୍ତି, ମହାପ୍ରଭୁଙ୍କ ଇଛାରେ ଏଥର ରଥଯାତ୍ରା ବି ସୁରୁଖୁରରେ ହେବ । ତେଣୁ ମୁଁ ରଥଯାତ୍ରାକୁ ଗୋଟେ ବଡ ଚାଲେଞ୍ଜ ବୋଲି ଭାବୁନି । ସେବାୟତ, ପ୍ରଶାସନ ଓ ଭକ୍ତଙ୍କ ମିଳିତ ସହଯୋଗରେ ରଥଯାତ୍ରା ସଫଳ ହେବ ବୋଲି ଆଶା କରିଛନ୍ତି ମୁଖ୍ଯ ପ୍ରଶାସକ।