ହେଡଲାଇନସ୍:

ବିଶିଷ୍ଟ ଜନନେତା ତ୍ରିଲୋଚନ କାନୁନଗୋଙ୍କ ପରଲୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ : ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ହେବ ଶେଷକୃତ୍ୟ

ଭୁବନେଶ୍ବର :ବିଶିଷ୍ଟ ଜନନେତା ପୂର୍ବତନ ସାଂସଦ, ଅର୍ଥନୀତିଜ୍ଞ ପୂର୍ବତନ ବିଧାୟକ ତଥା ସାଲିସ ବିହୀନ ବ୍ୟକ୍ତିତ୍ୱ ତ୍ରିଲୋଚନ କାନୁନଗୋଙ୍କ ଆଜି ଦେହାନ୍ତ ହୋଇଯାଇଛି | ତାଙ୍କୁ ୮୩ ବର୍ଷ ହୋଇଥିଲା । ଶ୍ରୀ କାନୁନଗୋଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ୧୯୪୦ ମସିହା ସେପ୍ଟେମ୍ବର ୧୨ ତାରିଖରେ କଟକ ଜିଲ୍ଲାର ବଡ଼ମୂଳେଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ତ୍ରିଲୋଚନ କାନୁନଗୋ । ଓଡ଼ିଶା ରାଜନୀତିରେ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଭାବେ ତାଙ୍କର ସୁନାମ ଥିଲା । ଗୋବିନ୍ଦପୁର ଓ କଟକ ସଦର ବିଧାନସଭା ଆସନରୁ ସେ ୩ ଥର(୧୯୭୧, ୧୯୭୪,୧୯୮୫) ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୯ ମସିହାରେ ସେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ସଂସଦକୁ ନିର୍ବାଚିତ ହୋଇଥିଲେ । କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳ ବେଶ ଚର୍ଚିତ ଓ ଉଲ୍ଲେଖନୀୟ ଥିଲା । ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁଗୋ ହେଉଛନ୍ତି ତାଙ୍କର ଭାଇ |
ଶ୍ରୀ କାନୁନ୍ଗୋଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ,ସ୍ଵର୍ଗତ କାନୁନଗୋଙ୍କୁ ଜଣେ ବିଶିଷ୍ଟ ପାର୍ଲିଆମେଣ୍ଟାରିଆନ,ଅର୍ଥନୀତିଜ୍ଞ ତଥା ସମାଜସେବୀ ଭାବରେ ବର୍ଣ୍ଣନା କରିଛନ୍ତି | ସେ ଥିଲେ ସାଧାରଣ ଲୋକର ବନ୍ଧୁ ଓ ସାରା ଜୀବନ ସମାଜସେବା ପାଇଁ ନିଜକୁ ସମର୍ପିତ କରିଥିଲେ |
ସାଂସଦ ,ବିଧାୟକ ,ଦ୍ୱିତୀୟ ରାଜ୍ୟ ଅର୍ଥ କମିଶନ ର ଅଧ୍ୟକ୍ଷ ତଥା କଟକ ମୁନିସିପାଲଟି ର ଚେୟାରମ୍ଯାନ ଭବରେ ସେ ଅନେକ ଉଲ୍ଲେଖନୀୟ କାମ କରିଯାଇଛନ୍ତି | ତାଙ୍କର ନିଃସ୍ବାର୍ଥପର ସେବା ପାଇଁ ସ୍ଵର୍ଗତ କାନୁନଗୋ ସବୁବେଳେ ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି | ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ଵର୍ଗତଃ କାନୁନଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ କାନୁନଗୋଙ୍କ ବିୟୋଗରେ ଶୋକାଵ୍ୟକ୍ତ କରି କହିଛନ୍ତି ଯେ, ଓଡ଼ିଶାର ବରିଷ୍ଠ ନେତା,ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ।ଜନସାଧାରଣଙ୍କ ପାଇଁ ତାଙ୍କର ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ। ଅର୍ଥନୀତିଜ୍ଞ ଭାବେ ମଧ୍ୟ ତାଙ୍କର ବିଶେଷ ପରିଚୟ ଥିଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।

ବିଶିଷ୍ଟ ରାଜନେତା ଶ୍ରୀ କାନୁନଗୋଙ୍କ ବିୟୋଗରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ମନ୍ତ୍ରୀ ଶ୍ରୀ ନାୟକ ଏକ ଶୋକ ବାର୍ତାରେ କହିଛନ୍ତି ଯେ ସ୍ୱର୍ଗତ କାନୁନଗୋଙ୍କ ବିୟୋଗ ଖବର ପାଇ ସେ ମର୍ମାହତ । ସ୍ୱର୍ଗତ କାନୁନଗୋ ଜଣେ ପ୍ରବିଣ ରାଜନେତା , ବିଶିଷ୍ଟ ଅର୍ଥନିତୀଜ୍ଞ , ସମାଜ ସେବୀ , ବନ୍ଧୁ ବଚ୍ଛଳ , ମିଷ୍ଠଭାଷୀ ତଥା ଦରଦୀ ହୃଦୟ ବ୍ୟକ୍ତିତ୍ୱ ଥିଲେ । ତିନି ଥର ବିଧାୟକ ଭାବେ ଓ ଥରେ ଜଗତସିଂହପୁରରୁ ଲୋକସଭାକୁ ନିର୍ବାଚିତ ହୋଇ ଥିଲେ । ଉଭୟ ବିଧାନ ସଭା ଓ ଲୋକସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ତାଙ୍କର ସାରଗର୍ଭକ ଆଲୋଚନା ତାଙ୍କୁ ବେଶ ପ୍ରସିଦ୍ଧି ଆଣିପାରିଥିଲା । କଟକ ପୌରପାଳିକାର ଦୁଇଥର ଚେୟାରମ୍ୟାନ ମଧ ହୋଇଥିଲେ । ରାଜ୍ୟ ଅର୍ଥ କମିଶନ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିବା ସହିତ ଏକ ବହୁମୁଖୀ ପ୍ରତିଭାର ପରିଚୟ ସୃଷ୍ଟି କରି ପାରିଥିଲେ । ଏକ ସରଳ ନିରାଡମ୍ବର ଜୀବନ ଯାପନ କରୁଥିବା ସ୍ୱର୍ଗତ କାନୁନଗୋ ଶୃଖଳା ଓ ନିତିନିଷ୍ଠର ଜଣେ ବଡ ସାଧକ ଥିଲେ । ତାଙ୍କର ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କହିଛନ୍ତି "ସେ ଜଣେ ସ୍ଵାଭିମାନୀ, ସାଚ୍ଚୋଟ, ବିଜ୍ଞ ତଥା ପରୋପକାରୀ ବ୍ୟକ୍ତି ଥିଲେ । ସାଂସଦ ରୂପେ ତାଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ। ମୁଁ ଯେତେବେଳେ ୨୦୦୦ ମସିହାରେ ସାଂସଦ ରୂପେ ପ୍ରଥମ ଥର ସଂସଦକୁ ପ୍ରବେଶ କଲି ସେତେବେଳେ ସେ ମଧ୍ୟ ଜଣେ ସାଂସଦ ଥିଲେ । ସେ ମୋ ପାଇଁ ଜଣେ ପିତୃତୁଲ୍ୟ ବ୍ୟକ୍ତି ଥିଲେ, ତାଙ୍କ ନୀତି, ଆଦର୍ଶ ଓ ଶିକ୍ଷାରୁ ମୁଁ ବହୁଳ ଭାବେ ଉପକୃତ ହୋଇଛି । ତାଙ୍କର ବିୟୋଗ ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଅପୂରଣୀୟ କ୍ଷତି।  ସେ ମୋ ପାଇଁ ସର୍ବଦା ଏକ ପ୍ରେରଣାର ଉତ୍ସ ହୋଇ ରହିବେ"। ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବିଶିଷ୍ଟ  ଜନନେତା  ତ୍ରିଲୋଚନ  କାନୁନଗୋଙ୍କ ପରଲୋକରେ ଶୋକ ବ୍ୟକ୍ତ କରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା କହିଛନ୍ତି " ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।"

0
0
0
s2sdefault