ହେଡଲାଇନସ୍:

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ

  • ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆନୁଷଙ୍ଗିକ ପ୍ରସ୍ତୁତି ସଂପର୍କରେ ଆଲୋଚନା

ଭୁବନେଶ୍ୱର ତା-୧୫.୦୩.୨୦୨୩: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ କ୍ୟାପିଟାଲ ହାଇସ୍କୁଲ ,ୟୁନିଟ୍-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷ ଭୁବନେଶ୍ୱରରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ପ୍ରତିଷ୍ଠା ଦିବସ ତଥା ରାଜଧାନୀ ମହୋତ୍ସବକୁସରସ, ସୁନ୍ଦର ଓ ଶାନ୍ତି, ଶୃଙ୍ଖଳାର ସହ ଏବଂ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭଲ ଭାବରେ ପାଳନ କରିବାକୁଜିଲ୍ଲାପାଳ ସମସ୍ତଙ୍କରସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଦୀର୍ଘବର୍ଷ ଧରି ସମସ୍ତଙ୍କ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଚଳିତ ବର୍ଷ ମଧ୍ୟ ଏହି ଐତିହ୍ୟ ସଂପନ୍ନ ମନ୍ଦିରମାଳିନୀ ଭୁବନେଶ୍ୱର ସହରର ପ୍ରତିଷ୍ଠା ଦିବସକୁ ଅଧିକ ଆନନ୍ଦ ଉଲ୍ଲାସର ପାଳନ ନିମନ୍ତେ ସମସ୍ତଙ୍କ ଠାରୁ ସହଯୋଗ ଆଶା କରିଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବକୁ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବା ନେଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ସନତ ମିଶ୍ର ମତ ରଖିଥିଲେ ।
ବୈଠକର ଆଲୋଚନା ଅନୁସାରେ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପରେଡ୍ ଏପ୍ରିଲ ୧୩ ତାରିଖରେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ହେବ ଓ ସେହିଦିନ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ଉତ୍ସବର ମୁଖ୍ୟ ଅତିଥି ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଶିଳାନ୍ୟାସ ଫଳକରେ ସକାଳ ୮.୦୦ ଘଣ୍ଟାସମୟରେ ପୂଷ୍ପଗୁଚ୍ଛ ଅର୍ପଣ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରି ସମବେତ ବେସାମରିକ ପରେଡରେ ଅଭିବାଦନ ଗ୍ରହଣ କରିବେ । ଉତ୍ସବ ପରିପ୍ରେକ୍ଷୀରେ ଅଭ୍ୟାସ ପରେଡ୍, ଛାତ୍ରଛାତ୍ରୀଙ୍କ ପରେଡ୍ ରେ ଅଂଶଗ୍ରହଣ ନିମନ୍ତେ ଯାତାୟତ ବ୍ୟବସ୍ଥା, ପାନୀୟଜଳ, ପରିମଳ ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ,ଆମ୍ବୁଲାନ୍ସ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ପୋଲସ୍ ବ୍ୟାଣ୍ଡ ବାଦନ, ଉତ୍ସବ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ପରେଡ୍ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭ୍ୟାସ ପରେଡ୍ ଏବଂ ମୁଖ୍ୟ ଉତ୍ସବ ଦିନପାଇଁ ୨ ଦିନ ବସ୍ ବ୍ୟବସ୍ଥା କରାଯିବ। ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଚଳିତ ବର୍ଷ ୭୫ଟି ପ୍ଲାଟୁନ୍ ଅଂଶଗ୍ରହଣ କରିବାକୁ ଥିବା ଜଣାଯାଇଛି । ପ୍ରତି ଦଳରେ ୩୨ ଜଣ ଛାତ୍ରଛାତ୍ରୀ କଲେଜ ଓ ସ୍କୁଲ ୟୁନିଫର୍ମ ସହ ଅଂଶ ଗ୍ରହଣ କରିବେ । ଶିଳାନ୍ୟାସ ଫଳକ ଓ ଉତ୍ସବ ସ୍ଥଳର ସାଜସଜ୍ଜା, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋଷ୍ଠୀଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ୧୩ ଜଣ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର, ବିଭିନ୍ନ ସରକାରୀ ଉଦ୍ୟୋଗ , ବେସରକାରୀ ଅନୁଷ୍ଠାନ ଏବଂ ରାଜଧାନୀରେ ଥିବା ବିଭିନ୍ନ ସ୍କୁଲ ଓ କଲେଜଗୁଡିକର କୋଠାକୁ ଆଲୋକମାଳାରେ ସଜ୍ଜିତ କରିବା ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତତ୍ ସହିତ ଉତ୍ସବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦଳ ପରିବେଷଣ କରିବେ । ଏଥି ସହିତ ପୂର୍ବାଂଚଳ ସାଂସ୍କୃତିକ ପରିଷଦ,କୋଲକାତା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମପରିବେଷଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ବିଭିନ୍ନ ଉପ କମିଟିମାନ ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଗତବର୍ଷ ରାଜ୍ୟ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଅନୁଷ୍ଠିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ ସ୍ତରରେ ଅନ୍ୟଏକ ବୈଠକ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ମେୟର, ଡେପୁଟୀ ମେୟର, ନିଗମର କମିଶନର ଏବଂ ରାଜଧାନୀର ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ଉତ୍ସବକୁ ଅଧିକ ସରସ ସୁନ୍ଦର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଭୁବନେଶ୍ୱର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ପଦ କୁମାର ଦଳାଇ , ଏନ୍,ସି.ସି ଗ୍ରୁପ୍ କମାଣ୍ଡାଣ୍ଟ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଶ୍ରୀ ଏସ୍.କେ.ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ଡେପୁଟୀ କମିଶନର ଶ୍ରୀ ଅଶୋକ କୁମାର ଲେଙ୍କା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାଥ ତରାଇ, ଏସିପି,ଟ୍ରାଫିକ୍ ଶ୍ରୀ ସ୍ୱସ୍ତିକ୍ ପଣ୍ଡା, ଏସିପି ହେଡକ୍ୱାର୍ଟର୍ସ ଶ୍ରୀ ଭରତ ଚନ୍ଦ୍ର ସାହୁ, ଓଏସଏପି-୭ମ ବାଟାଲିଅନ ଏସିପି ଶ୍ରୀ ଶ୍ରଦ୍ଧାକର ଧରୁଆ , ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଭୁବନେଶ୍ୱର ଶ୍ରୀ ତ୍ରିନାଥ ବେହେରା, ଆଂଚଳିକ ପରିବହନ ଅଧିକାରୀ (୧) ଶ୍ରୀ ବିକାଶ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ,ଭୁବନେଶ୍ୱର ଶ୍ରୀ ପଠାଣି ରାଉତ, ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞାପାରମିତା ଜେନା, ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ପୂର୍ତ୍ତ, ଓ୍ୱାଟକୋ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବିଭାଗ, ଭାରତ ସ୍କାଉଟ୍ ଓ ଗାଇଡ୍, ସେଣ୍ଟ ଜୋନ୍ସ ଆମ୍ବୁଲାନ୍ସ, ରେଡକ୍ରସ୍ ଆଦି ସଂପୃକ୍ତ ବିଭିନ୍ନ ଅନୁଷ୍ଠାନ ଏବଂ କ୍ୟାପିଟାଲ ହାଇସ୍କୁଲ,ୟୁନିଟ୍-୩ର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର ନାୟକଙ୍କ ସମେତ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault