ହେଡଲାଇନସ୍:

ନୂତନ ପେନସନ ଯୋଜନାର କରୁଣ ପରିଣତି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅବସର ପରେ ପାନ ଦୋକାନ କରି ଚଳୁଛନ୍ତି ଶିକ୍ଷକ

ନୟାଗଡ଼,୧୫ା୩ (ଲକ୍ଷ୍ମୀଧର ସାହୁ): ଏକ ଜନମଙ୍ଗଳକାରି ରାଷ୍ଟ୍ରରେ ସରକାର ନାଗରିକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ପ୍ରକାରର ଜନ କଲ୍ୟାଣକାରୀ ଯୋଜନା ସବୁ ପ୍ରଣୟନ କରିଥାନ୍ତି । ଏହା ଦ୍ୱାରା ସମାଜରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକମାନେ ସୁଖ ସ୍ୱାଚ୍ଛନ୍ଦରେ ଜୀବନ ଅତିବାହିତ କରିଥାନ୍ତି । ମାତ୍ର ଯେଉଁ ଯୋଜନା ଦ୍ୱାରା ଜଣେ ସାଧାରଣ ନାଗରିକର ଜୀବନ ଦୁର୍ବିସହ ହେଇ ଉଠେ ସେଭଳି ଯୋଜନା ସରକାର କାହାପାଇଁ ପ୍ରଣୟନ କରିଥାନ୍ତି ତାହା ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ୨୦୦୫ ମସିହାରୁ ସରକାରୀ ଚାକିରିଆ ମାନଙ୍କ ପାଇଁ ନୂତନ ପେନସନ ଯୋଜନା ଲାଗୁ କରିଛନ୍ତି । ଏହାଦ୍ୱାରା ଜଣେ ସରକାରୀ ଶିକ୍ଷକ ନିଜ ଅବସର ପରେ କିଭଳି ଅତ୍ୟନ୍ତ ଦୟନୀୟ ଜୀବନ ବିତାଉଛନ୍ତି ତାହାର ଏକ କରୁଣ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟିଠାରେ । ପ୍ରଥମେ ନନଫର୍ମାଲ ଶିକ୍ଷକଭାବେ ଶିକ୍ଷକତା ଆରମ୍ଭ କରି ପରବର୍ତ୍ତି ସମୟରେ ଏହା ବନ୍ଦ ହୋଇଯିବାରୁ ଶିକ୍ଷକ ପ୍ରହଲ୍ଲାଦ ସାଥୁଆ ୨୦୦୫ ମସିହାରେ ଶିକ୍ଷା ସହାୟକ ଭାବେ ନୟାଗଡ଼ ବ୍ଲକ ଅନ୍ତର୍ଗତ କଦଳୀବସ୍ତ ପ୍ରାଥମିକ ସ୍କୁଲରେ ଯୋଗଦାନ କରିଥିଲେ । ୬ବର୍ଷ ପରେ ୨୦୧୧ ମସିହାରେ ନିୟମିତ ହୋଇ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଭାବେ କାର୍ଯ୍ୟକରି ଗତ ୨୦୧୯ ମସିହାରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥଲେ । ମାତ୍ର ଅବସର ଗ୍ରହଣପରେ ଅବସର କାଳୀନ କୌଣସି ଭତ୍ତା ମିଳି ନଥିଲା ସଂପୃକ୍ତ ଶିକ୍ଷକଙ୍କୁ । ତେବେ ନୂତନ ପେନସନ ଯୋଜନାରେ ସେ ଏବେ ମାସକୁ ମାତ୍ର ୫ଶହରୁ ୬ଶହ ଟଙ୍କା ପେନସନ ପାଉଛନ୍ତି । ଏହି ଟଙ୍କାରେ ନିଜ ପିଲାଛୁଆ ସଂସାର କିଭଳି ସମ୍ଭାଳିବେ ତାକୁ ନେଇ ମୁଣ୍ଡରେ ପଡ଼ିଥିଲା ଚଡ଼କ । ପୁଅ ଝିଅଙ୍କ ପାଠପଢ଼ା ଖର୍ଚ୍ଚ,ରୋଗୀଣା ବାପା ମାଆ ତଥା ନିଜର ଔଷଧ ଖର୍ଚ୍ଚ ତା’ସହିତ ପେଟକୁ ଆହାର ଚିନ୍ତା । ଏପରି ପରିସ୍ଥିତିରେ ବାଧ୍ୟ ହୋଇ ନିଜ ପରିବାରର ଗୁଜୁରଣ ମେଣ୍ଟାଇବା ପାଇଁ ଇଟାମାଟି ବସଷ୍ଟାଣ୍ଡଠାରେ ଆରମ୍ଭ କରିଛନ୍ତି ଏକ ଛୋଟିଆ ପାନ ଦୋକାନ । ଶିକ୍ଷକତା ପରି ଏକ ମହାନ ତଥା ମର୍ଯ୍ୟଦାପୂର୍ଣ୍ଣ ଚାକିରିରୁ ଅବସର ନେଇ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଶିକ୍ଷକ ଶ୍ରୀଯୁକ୍ତ ସାଥୁଆଙ୍କୁ ସରକାରଙ୍କ ନୂତନ ପେନସନ ଯୋଜନା ଗଢ଼ି ତୋଳିଥିଲା ଏକ ପାନ ଦୋକାନୀଭାବେ । ଏ ନେଇ ଶିକ୍ଷକ ଶ୍ରୀଯୁକ୍ତ ସାଥୁଆ ଅତି କ୍ଷୋଭ ତଥା କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ କହିଥିଲେ ଯେ ଶିକ୍ଷକତା ପରି ଏକ ମର୍ଯ୍ୟଦା ଜନକ ଚାକିରୀ କରି ଅନେକ ପିଲାଙ୍କୁ ମଣିଷ କରିବା ପରେ ସରକାର ଅବସର ପରେ ଆମ ପେଟରେ ଏପରି ନାତ ମାରିବେ ବୋଲି ଜାଣି ନଥିଲି । ୫୦୦/୬୦୦ଟଙ୍କା ପେନସନରେ ନିଜ ଔଷଧ ଖର୍ଚ୍ଚ ଉଠୁ ନଥିବା ବେଳେ ବାଧ୍ୟ ହୋଇ ଏ ବାର୍ଦ୍ଧକ୍ୟ ବୟସରେ ପେଟ ପୋଷିବାକୁ ପାନ ଦୋକାନ କରିବା ଛଡ଼ା ମୋ ପାଖରେ ଆଉ କୌଣସି ଉପାୟ ନଥିଲା । ତେବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ଏହି ନୂତନ ପେନସନ ଯୋଜନା କାହାର କଲ୍ୟାଣ ପାଇଁ ଉଦ୍ଦିଷ୍ଟ? ଏ ନେଇ ବରିଷ୍ଠ ସମାଜସେବୀ କମ୍ରେଡ଼ ବିଶ୍ୱନାଥ ମହାପାତ୍ର କୁହନ୍ତି ସରକାରଙ୍କ ତୃଟିପୂର୍ଣ୍ଣ ଯୋଜନା ଯୋଗୁଁ ଶିକ୍ଷକ ସମାଜ ଭାଗଭାଗ ହୋଇଯାଇଛି । ଅବସର ପରେ ସମସ୍ତ ନୂତନ ପେନସନଭୁକ୍ତ ଶିକ୍ଷକମାନେ ଏପରି ପାନ ଦୋକାନ କରିବାକୁ ବାଧ୍ୟ ହେବେ । ସରକାରଙ୍କ ଏହି ନୂତନ ପେନସନ ଯୋଜନାକୁ ସେ ଦୃଢ଼ ନିନ୍ଦା କରିଥିବା ବେଳେ ଜଣେ ଶିକ୍ଷକ ସମ୍ମାନର ସହିତ ବଞ୍ଚିବା ପାଇଁ ଅତି କମରେ ୩୦ ହଜାର ଟଙ୍କା ପେନସନ ଦେବା ପାଇଁ ଦାବି ଜଣାଇଛନ୍ତି । ବିଶିଷ୍ଟ ଶିକ୍ଷାବିତ ତଥା ବୁଦ୍ଧିଜୀବୀ ଡ.ଆଶୁତୋଷ ମିଶ୍ରଙ୍କ ମତରେ ସରକାର ନୂତନ ପେନସନ ଯୋଜନା ନାମରେ ଶିକ୍ଷକ ମାନଙ୍କ ଦରମାରୁ ୧୦ ପ୍ରତିଶତ କାଟି ରଖୁଥିବା ଟଙ୍କାକୁ ସେୟାର ବଜାରରେ ବିନିଯୋଗ କରି ସେଥିରୁ ମିଳୁଥିବା ଲାଭାଂଶକୁ ପେନସନ ଆକାରରେ ପ୍ରଦାନ କରୁଛନ୍ତି । ଅସ୍ଥିର ସେୟାର ବଜାର ଏକ ଜୁଆ ଖେଳ ସଦୃଶ ହୋଇଥିବା ବେଳେ ସରକାର ଶିକ୍ଷକ କର୍ମଚାରୀଙ୍କ ଟଙ୍କାକୁ ଏପରି ଜୁଆ ଖେଳରେ ବିନିଯୋଗ କରିବା କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅବସର ପରେ ଜଣେ କର୍ମଚାରୀ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ବେଳେ ମାତ୍ର ୫୦୦/୬୦୦ଟଙ୍କା ପେନସନ ତା’ର ଔଷଧ ଖର୍ଚ୍ଚକୁ ନିଅଣ୍ଟ ଅଟେ । ଏପରି ସ୍ଥଳେ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ଅଟେ । ସରକାର ତୁରନ୍ତ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା ଆବଶ୍ୟକ ବୋଲି ଡ.ମିଶ୍ର କହିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକସଂଘର ବରିଷ୍ଠ ଶିକ୍ଷକ ନେତା ଲକ୍ଷ୍ମୀଧର ସାହୁଙ୍କ ମତରେ ନୂତନ ପେନସନ ଯୋଜନା ଆଗାମୀ ଦିନରେ ଅନେକ ଶିକ୍ଷିତ ଭିକାରୀ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତ ଦେବା ସହିତ ଆସନ୍ତା ଦିନ ମାନଙ୍କରେ ଯେତେବେଳେ ଅଧିକ ଶିକ୍ଷକ ଅବସର ଗ୍ରହଣ କରିବେ ଏହି ପରି ଅନେକ ଘଟଣା ସାମନାକୁ ଆସିବ । ବର୍ତ୍ତମାନ ସମୟରେ ମାସକୁ ୫୦୦/୬୦୦ଟଙ୍କା ରୋଜଗାର କୌଣସି ଭିକାରୀର ମଧ୍ୟ ନଥିବ । ଜଣେ ଶିକ୍ଷକ ଅବସର ପରେ ସସମ୍ମାନର ସହିତ ବଞ୍ଚିବାକୁ ହେଲେ ଅତି କମରେ ୨୫ରୁ ୩୦ ହଜାର ଟଙ୍କା ପେନସନ ପାଇବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ ସରକାର ତୁରନ୍ତ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଦାବି କରିଛନ୍ତି ।

0
0
0
s2sdefault