ଯାତ୍ରା ସମୟରେ ମନ୍ଦିର ରାସ୍ତା ପାଶ୍ୱର୍ରେ ଆମିଷ ବିକ୍ରୟ ନିଷେଧ
ଓଡ଼ଗାଁ, ୧୫|୦୩ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ପ୍ରସିଦ୍ଧ ସ୍ୱର୍ଣ୍ଣକଳସ କ୍ଷେତ୍ରଭାବେ ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ବିଜେ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଓଡ଼ଗାଁ ବ୍ଲକ ସଭାଗୃହ ଠାରେ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ,ବିଡ଼ିଓ ସନ୍ତୋଷ କୁମାର ଜେନା, ତହସିଲଦାର ଅନିଲ କୁମାର ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଥିଲେ।ନୟାଗଡ଼ ଜିଲ୍ଲା ଦେବୋତ୍ତର ମ୍ୟାନେଜର ତାପସ ପଟ୍ଟନାୟକ ମନ୍ଦିର ପ୍ରଶାସନ ତରଫରୁ ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ଶୁକ୍ରବାର ଠାରୁ ୧୦ ଏପ୍ରିଲ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାର ଗୁରୁବାରକୁ ଛାଡି କ୍ରମରେ ୩୦ରେ ଜନ୍ମନାରାୟଣ ବେଶ, ୩୧ରେ ତାଡ଼କାବଦ୍ଧ, ୦୧ରେ ଅହଲ୍ୟା ଉଦ୍ଧାରଣ ବେଶ, ୦୨ରେଗଙ୍ଗାପାର ବେଶ, ୦୩ରେଧନୁଭଗ୍ନ (ସୀତା ବିବାହ)ବେଶ, ୦୪ରେବନବାସବେଶ, ୦୫ରେ ଚିତ୍ରକୂଟ ବେଶ, ୦୭ରେ ଅଷ୍ଟାବଧାନ ବେଶ, ୦୮ରେ ଯୁଦ୍ଧଯାତ୍ରା ବେଶ, ୦୯ରେ ଅଭିଷେକ ସନ୍ଧ୍ୟା ବେଶ ଅନୁଷ୍ଠିତ ହେବା ସହ ତାପରଦିନ ୧୦ରେ ଠାକୁର ପାଣିଖେଳ କରିବେ। ମନ୍ଦିର ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଅନ୍ୟପକ୍ଷେ ବୈଠକରେ ପୂଜକ ପରିଷଦ ଓ ସୁଆରପରିଷଦର ଅଧିକାଂଶ ସଦସ୍ୟ ଅନୁପସ୍ଥିତ ରହିଥିବା କାରଣରୁ ବୈଠକରେ ଦେବନୀତି ସମ୍ପର୍କରେ ଆଲୋଚନା ହୋଇନଥିବା ବେଳେ ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ଆଲୋଚନା ଦ୍ବାରା ଏହାର ସମାଧାନ ପାଇଁ ନିଷ୍ପତ୍ତି ହେଇଥିଲା । ହନୁମାନଛକଠାରୁ ରଘୁନାଥ ମନ୍ଦିର ରାସ୍ତା ପାଶ୍ୱରେ ଆମିଷ ବିକ୍ରି ବନ୍ଦ ରଖିବାକୁ ବୈଠକରେ ସ୍ଥିର ହୋଇଥିଲା ।