ହେଡଲାଇନସ୍:

ଦିଗହରା "ମୁଁ ବି ପଢ଼ିବି" କାର୍ଯ୍ୟକ୍ରମ  ପାଇବ ନୂଆ ଜୀବନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୟୂରଭଞ୍ଜକୁ ବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀ ମୁକ୍ତ ଜିଲ୍ଲାରେ ପରିଣତ କରାଇବାକୁ ଘୋଷଣା କଲେ ଜିଲ୍ଲାପାଳ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଦିନେ ଅଭିଯାନ ଆରମ୍ଭ ହୋଇଥିଲା ସମଗ୍ର ଜିଲ୍ଲାର କୌଣସି ଜଣେ ଛାତ୍ର ଛାତ୍ରୀ ଯେମିତି ବିଦ୍ୟାଳୟରୁ ବାହାରେ ରହିବେ ନାହିଁ | ଆଉ ତାହାର ନେତୃତ୍ୱ ନେଇଥିଲେ ତତ୍କାଳୀନ ଜ଼ିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ | ତାଙ୍କ ଦ୍ୱାରା ପରିକଳ୍ପିତ "ମୁଁ ବି ପଢ଼ିବି " କାର୍ଯ୍ୟକ୍ରମ ପାଇଥିଲା ଉଲ୍ଲେଖନୀୟ ସଫଳତା | ହେଲେ ତାଙ୍କ ବଦଳି ପରେ "ମୁଁ ବି ପଢ଼ିବି" ହୋଇଥିଲା ଦିଗହରା | ହେଲେ  ମୟୂରଭଞ୍ଜକୁ ବିଦ୍ୟାଳୟ ବାହାରେ ଛାତ୍ରୀଛାତ୍ର ମୁକ୍ତ ଜିଲ୍ଲାରେ ପରିଣତ କରାଇବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ କୁମାର ଭରଦ୍ୱାଜ ଏକ ଖବରଦାତା ସମ୍ମିଳନୀରେ ଘୋଷଣା କରିବା ପରେ ଏବେ ସେଇ ଅଭିଯାନ ପୁଣି ନୂଆ ରୂପ ଅଣାଇବା ବୋଲି ନୂଆ ଆଶା ସଂଚାର ହୋଇଛି  ।

ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଛନ୍ତି ଯେ  ଏଥି ନିମନ୍ତେ ବିଦ୍ୟାଳୟରେ ଅନୁପସ୍ଥିତ ରହିଥିବା ଛାତ୍ରୀଛାତ୍ରମାନଙ୍କୁ ଚିହ୍ନଟ କାର୍ଯ୍ୟ ଶେଷ ହୋଇ ଅନୁପସ୍ଥିତ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କ ସହିତ ଆଲୋଚନା ମଧ୍ୟ ସରିଛି । ପ୍ରଥମେ ପ୍ରତ୍ୟେକ ଗ୍ରାମରେ ଏହି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗ୍ରାମର ପଲ୍ଲୀସଭାରେ ଏ ବିଷୟରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଅନିୟମିତ ଉପସ୍ଥାନ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରାଯାଇଥିଲା । ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇଥିବା ୫ରୁ ୧୪ ବର୍ଷର ଛାତ୍ରୀଛାତ୍ରମାନଙ୍କ ମଧ୍ୟରୁ ମୋଟ ୨,୦୦୨ ଛାତ୍ରୀଛାତ୍ର ଦୀର୍ଘ ସମୟ ଧରି ଅନୁପସ୍ଥିତ ରହୁଥିବାର ଚିହ୍ନଟ କରାଯାଇଥିବା ସମୟରେ ୨,୬୩୮ ଛାତ୍ରୀଛାତ୍ର ଅଧାରୁ ପାଠପଢ଼ା ଛାଡ଼ିଥିବା ଓ ୧୯୧ ଛାତ୍ରୀଛାତ୍ର ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ କୌଣସି ଦିନ ବିଦ୍ୟାଳୟର ହତା ମାଡ଼ି ନ ଥିବାର ଚିହ୍ନଟ କରାଯାଇଛି । ଜିଲ୍ଲାରେ ଚିହ୍ନଟ କରାଯାଇଥିବା ଏହି ୪ ହଜାର ୮ଶହ ୩୧ ଛାତ୍ରୀଛାତ୍ରମାନଙ୍କୁ ଶ୍ରେଣୀଗୃହକୁ ଫେରାଇ ଆଣି ସେମାନଙ୍କ ଗୁଣାତ୍ମକ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯାଇଛି । ଅଧାରୁ ପାଠପଢ଼ା ଛାଡ଼ିଥିବା ପିଲାମାନଙ୍କୁ ସେମାନଙ୍କ ବୟସ ଅନୁସାରେ ବ୍ରିଜ କୋର୍ସ ମାଧ୍ୟମରେ ବିଦ୍ୟାଳୟମୁଖୀ କରାଇ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥି ନିମନ୍ତେ ବିଦ୍ୟାଳୟ ବାହାରେ ରହିଥିବା ପିଲାମାନଙ୍କୁ ଜିଲ୍ଲାର ଆବାସିକ ବିଦ୍ୟାଳୟ , ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ତାଲିମ କେନ୍ଦ୍ରରେ ନାମ ଲେଖାଇବା, ଆବଶ୍ୟକ ପଡ଼ିଲେ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ବିଦ୍ୟାଳୟକୁ ନିରାପଦରେ ଯାତାୟତ ନିମନ୍ତେ ଭତ୍ତାର ବ୍ୟବସ୍ଥା, ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କ ସହିତ ପରାମର୍ଶ କରାଯାଇ ସେମାନଙ୍କ ସୁବିଧା ଅନୁସାରେ ଉପଯୁକ୍ତ ବିଦ୍ୟାଳୟରେ ନାମକୁ ପୁନଃ ପଞ୍ଜିକରଣ କରାଇବା ଆଦି ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ପ୍ରଶାସନିକସ୍ତରରେ ଗ୍ରହଣ କରାଯାଇଛି । ତେଣୁ ମୟୂରଭଞ୍ଜ ଜିଲ୍ଲାକୁ ବିଦ୍ୟାଳୟ ବାହାରେ ଛାତ୍ରୀଛାତ୍ର ମୁକ୍ତ ଜିଲ୍ଲାରେ ପରିଣତ କରାବା ନିମନ୍ତେ ଜିଲ୍ଲାବାସୀଙ୍କୁ ସହଯୋଗର ହାତ ବଢ଼ାଇ ଆଗେଇ ଆସିବାକୁ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଖବରଦାତା ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେବା ସଂଗେସଂଗେ ୬ରୁ ୧୬ ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟରେ ନାମ ଲେଖାଇନଥିବା, ଅଧାରୁ ପାଠପଢ଼ା ଛାଡ଼ିଥିବା ଓ ନାମ ଲେଖାଇ ବିଦ୍ୟାଳୟକୁ ଯାଉନଥିବା ପିଲାମାନଙ୍କ ବିଷୟରେ ସୂଚନା ପାଇଲେ ନିକଟସ୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ କିମ୍ବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା କରି ସେମାନଙ୍କର ବିଦ୍ୟାଳୟରେ ନାମ ଲେଖାଇବା ଦିଗରେ ଜନସାଧାରଣଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ । ଉକ୍ତ ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସୂଚନାଯୋଗ୍ୟଯେ, ମୟୂରଭଞ୍ଜ ଜିଲ୍ଲାକୁ ୨୦୧୪ ସେପ୍ଟେମ୍ବର ୫ରେ ଫ୍ରି ଫ୍ରମ ଆଉଟ ଅଫ ସ୍କୁଲ ଚିଲଡ୍ରେନ ଜିଲ୍ଲା ଭାବେ ତତ୍କାଳୀନ  ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘୋଷଣା କରିଥିଲେ । ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀପାଟିଲଙ୍କ ନିଜସ୍ୱ ଯୋଜନା “ମୁଁ ବି ପଢ଼ିବି” ଜିଲ୍ଲାରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ସଫଳ ହେବା ପରେ ରାଜ୍ୟ ସରକାର ଏହାକୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ କରାଇବା ଆରମ୍ଭ କରାଇବା ସହିତ ଏହାକୁ ଦିଲ୍ଲୀକୁ ପଠାଇଥିଲେ । କେନ୍ଦ୍ର ସରକାର ମଧ୍ୟ ଏହାକୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ଆରମ୍ଭ କରିଥିଲେ । ମାତ୍ର ଜିଲ୍ଲାପାଳ ଶ୍ରୀପାଟିଲଙ୍କ ୨୩.୦୪.୨୦୧୭ରେ ବଦଳି ପରେ ମୁଁ ବି ପଢ଼ିବି ଯୋଜନା ଲକ୍ଷ୍ୟ ଭ୍ରଷ୍ଟ ହେବାରେ ଲାଗିଥିଲା । ବର୍ତ୍ତମାନର ଜିଲ୍ଲାପାଳ ପୁଣି ଥରେ ଏହାକୁ ତାର ଲକ୍ଷ୍ୟସ୍ଥଳରେ ପହଁଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିବାର ପରିଲକ୍ଷିତ ହୋଇଛି । 

 

0
0
0
s2sdefault