ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜର ସଭା କକ୍ଷ ଠାରେ ପାଳିତ ହୋଇଯାଇଛି।
ସଂଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୂପେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗଦେଇ ଲିଙ୍ଗଗତ ସମାନତା ଓ ମହିଳାମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନ କରିଥିଲେ।
ମୁଖ୍ୟବକ୍ତା ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ନିଜ ବକ୍ତବ୍ୟରେ ସମାଜରେ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ଓ ଡ଼.କଲ୍ୟାଣୀ ମିଶ୍ର ମହିଳାମାନେ ଆଗକୁ ବଢିବା ସମ୍ପର୍କରେ ଆଲୋକପାତ କରିଥିଲେ।
ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଲିଙ୍ଗଗତ ସମାନତା ପାଇଁ ପ୍ରଯୁକ୍ତି ବିଦ୍ୟା ଓ ନୂତନତା ସମ୍ପର୍କରେ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯିବା ପରେ ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ଅତିଥି ମାନଙ୍କୁ ମଞ୍ଚକୁ ଆବାହନ କରିଥିଲେ ଏବଂ ଶ୍ରୀମତୀ ସରିତା ପାଣିଗ୍ରାହୀ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସୁଶ୍ରୀ ଶ୍ଵେତା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସଂପାଦିକା ଶ୍ରୀମତୀ ମିନାକୁମାରୀ ଟହଲ ବାର୍ଷିକ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା "ଆକାଂକ୍ଷା"ର ଉନ୍ମୋଚନ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ କରକମଳରେ ହୋଇଥିଲା।
ପରେ ବାଲେଶ୍ଵର ଜିଲ୍ଲାର ନୃତ୍ୟ ଗୁରୁ ସମାଜସେବୀ ଓ ସାଂସ୍କୃତିକ ସଂଗଠକ ଶ୍ରୀମତୀ ଜ୍ୟୋତିର୍ମୟୀ ସାମଲଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ "ଆକାଂକ୍ଷା" ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ସମ୍ବର୍ଦ୍ଧନା ପର୍ବର ମାନପତ୍ର ପଠନ କରିଥିଲେ।
ପରେ ମହିଳା ସ୍ନାତକ ମହାବିଦ୍ୟାଳୟ ଛାତ୍ରୀମାନେ ବାଲ୍ୟ ବିବାହ ବନ୍ଦ କରିବାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ ଏବଂ ମହିଳା ଓ କନ୍ୟା ଶିଶୁମାନଙ୍କର ଝୋଟି ଓ ଭାଷଣ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ନିବେଦିତା ପଟ୍ଟନାୟକ ଓ ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶରତ ସାହୁ , ମୁରଲୀଧର ପରିଚ୍ଛା , ତ୍ରିପତି ପଣ୍ଡା ,ବିଷ୍ଣୁ ପଣ୍ଡା , ମନୋଜ ପଣ୍ଡା , ଗୁରୁଜୀ ସରୋଜ ପଣ୍ଡା , ଜ୍ୟୋତି ଦାସ , ଧରିତ୍ରୀ ଶବର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସର୍ବଶେଷରେ ଶ୍ରୀମତୀ ସୁନିତା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।