ହେଡଲାଇନସ୍:

ଚିଲିକାରେ କେନ୍ଦ୍ର ସରକାରଙ୍କ ୱାଟର୍ ଏରୋଡ୍ରମ୍ ପ୍ରତିଷ୍ଠା  ପାଇଁ ଏଯାବତ୍ ରାଜ୍ୟ ସମ୍ମତି ଦେଇନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ମରାଳମାଳିନୀ ଚିଲିକା ହ୍ରଦରେ ୱାଟର୍ ଏରୋଡ୍ରମ୍ ପ୍ରତିଷ୍ଠା  କରି ସି'ପ୍ଲେନ୍ ଚଳାଇବା ପାଇଁ କେନ୍ଦ୍ର ସରକାର ଯେଉଁ ବହୁ ପ୍ରଚାରିତ ଆକାଂକ୍ଷୀ ଯୋଜନା ରଖିଛନ୍ତି ତାହାକୁ ଏଯାବତ୍ ଓଡ଼ିଶା ସରକାର ପରିବେଶ ମଞ୍ଜୁରୀ ଦେଇନାହାନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ଚିଲିକାରେ ୱାଟର୍ ଏରୋଡ୍ରମ୍ ଓ ସେତୁ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ଘୋଷିତ ଯୋଜନା କାର୍ଯ୍ୟକାରୀ ହେଲେ ଚିଲିକାର ପ୍ରକୃତିକ ପରିବେଶ ବିଶେଷ କରି ପକ୍ଷୀ, ଡ଼ଲଫିନ, ମାଛ ଓ ଅନ୍ୟ ଜଳଜୀବଙ୍କ ଉପରେ କି ପ୍ରକାର ପ୍ରତିକୂଳ ପ୍ରଭାବ ସୃଷ୍ଟି ହେବ ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ରାଜ୍ୟ ସରକାରଙ୍କ ଠାରୁ ଜାଣିବାକୁ ଚାହିଁବା ସହିତ ଏହି ହ୍ରଦକୁ ପ୍ରଦୂଷଣ ମୁକ୍ତ ସହିତ ଅଧିକ ଆକର୍ଷଣୀୟ କରିବା ଲାଗି ସରକାରଙ୍କର କ'ଣ ସବୁ ପରିକଳ୍ପନା ରହିଛି ସେ ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ । 

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ପ୍ରଶ୍ନର ଉତ୍ତର ଦେଇ ଉଲ୍ଲେଖ କରିଛନ୍ତି ଯେ ପାଣିରେ ଅବତରଣ କରିପାରୁଥିବା ଉଡ଼ାଜାହାଜର ଆବଶ୍ୟକତା ସଂକ୍ରାନ୍ତରେ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଏକ ପ୍ରସ୍ତାବ ଜଙ୍ଗଲ ଓ ପରିବେଶ ବିଭାଗ ନିକଟକୁ ଆସିଛି । ଏହି ପ୍ରକଳ୍ପ ବିଷୟରେ ବିସ୍ତୃତ ବିବରଣୀ ଉପଲବ୍ଧ ହେଲାପରେ ଚିଲିକା ହ୍ରଦର ପ୍ରାକୃତିକ ପରିବେଶ ଉପରେ ବିଶେଷ କରି ପକ୍ଷୀ, ଡଲଫିନ୍ ଓ ଅନ୍ୟ ଜଳଜୀବଙ୍କ କ୍ଷେତ୍ରରେ ତାହାର କି ପ୍ରକାରର ପ୍ରଭାବ ପଡ଼ିବ ସେ ସଂକ୍ରାନ୍ତରେ ଆକଳନ କରି ସରକାର ନିଷ୍ପତ୍ତି ନେବେ । ଏଠାରେ ଉଲ୍ଲେଖନୀୟ ଯେ ଚିଲିକାରେ ୱାଟର୍ ଏରୋଡ୍ରମ୍ ଓ ସି'ପ୍ଲେନ୍ ପ୍ରକଳ୍ପ ଲାଗି କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ତାହାର ତୀବ୍ର ବିରୋଧ ହେଉଛି । 

0
0
0
s2sdefault