ନୟାଗଡ଼,୨୩/୨: ସରକାର ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଶିକ୍ଷକମାନେ ପୁଣି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର ନିଦାବିଷ୍ଣୁ ସାଜି ଚୁପ ରହିଛନ୍ତି । ଫଳରେ ରାଜ୍ୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ବାଧ୍ୟ ହୋଇ ଗତ ନଭେମ୍ବର ମାସରେ ଭୁବନେଶ୍ୱରଠାରେ ବିଧାନସଭା ସମ୍ମୁଖରେ ଏକ ବିଶାଳ ସମାବେଶରେ ଏକତ୍ରିତ ହୋଇ ୪ଦିନ ଧରି ଜୋରଦାର ଆନ୍ଦୋଳନ କରିଥିଲେ । ପରେ ମୁଖ୍ୟ ଶାସନ ସଚିବ ମହାସଂଘ ନେତୃତ୍ୱଙ୍କ ସହିତ ଆଲୋଚନା କରି ଡିସେମ୍ବର ୧୬ରୁ ୨୦ ତାରିଖ ମଧ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଲିଖିତ ପ୍ରତିଶୃତି ପ୍ରଦାନ କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖା ଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୨୧ ତାରିଖରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା ଓ ଆସନ୍ତା ଡିସେମ୍ବର ୨୯ ତାରିଖରେ ଶିକ୍ଷକ ମହାସଂଘ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଳି ମୁଖ୍ୟ ସଚିବ ପ୍ରେସ ରିଲିଜ ମାଧ୍ୟମରେ ଜଣାଇଥିଲେ । ତେବେ ଡିସେମ୍ବର ୨୯ ତାରିଖରେ ଶିକ୍ଷକ ମହାସଂଘ ସହିତ ବିଭିନ୍ନ ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବର୍ତ୍ତମାନ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ନିମନ୍ତେ ୧ଲକ୍ଷ ୨୦ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ପ୍ରାଥମିକ ଶିକ୍ଷକମାନଙ୍କ ଦାବି ପୂରଣକରିବା ପାଇଁ ନୟାଗଡ଼ ବ୍ଳକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ପୀତବାସ ପ୍ରଧାନ,ସଂପାଦକ ସୁରେଶ ସେଠୀ,ଲକ୍ଷ୍ମୀଧର ସାହୁ,ସଂଗ୍ରାମ ସାହୁ,ପ୍ରଦୀପ କୁମାର ସାହୁ,ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ,ମିନାକ୍ଷୀ କର,ଅଶୋକ ମଲ୍ଲ,ସଲିମ ଇବ୍ରାହୀମ,ଚିତ୍ତରଂଜନ ଦାଶ,ଶରତ ସାମନ୍ତରାୟ,ଜୀବନଜ୍ୟୋତି ହୋତା ପ୍ରମୁଖ ଏକ ପ୍ରେସ ବିବୃତିରେ ଦାବି କରିଛନ୍ତି ।
ରାଜ୍ୟ
ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଚେତାବନୀ
- Hits: 282