କେନ୍ଦୁଝର// ଯୋଡ଼ା (ପାର୍ଥ ସାରଥୀ ଷଡ଼ଙ୍ଗୀ): ଆସନ୍ତା କାଲି ମୂଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ କେନ୍ଦୁଝର ଜିଲ୍ଲା ଚଳଚଞ୍ଚଳ ଥିବା ବେଳେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଦୁଇ ସଂପାଦକ ରୁଦ୍ର ପ୍ରସାଦ ବେହେରା ଏବଂ ପ୍ରେମ ପ୍ରକାଶ ମୁଣ୍ଡା, ନଗର ଯୁବମୋର୍ଚ୍ଚା ସଭାପତି ପ୍ରିୟବ୍ରତ ଜେନା ଏବଂ ମିଡ଼ିଆ ସେଲ୍ ଜିଲ୍ଲା ସଂଯୋଜକ ଶିବ କୁମାର ରାଠୋର ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି କେନ୍ଦୁଝରର ବହୁ ପ୍ରତିକ୍ଷିତ ଧରଣୀଧର ଭେଷଜ ମହାବିଦ୍ୟାଳୟର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ୨୦୧୬ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ପ୍ରେରିତ ହୋଇଥିବା " ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା" ମାଧ୍ୟମରେ ଜିଲ୍ଲାରେ ଗଠିତ ହୋଇଥିବା "ଜିଲ୍ଲା ଖଣିଜ ପାଣ୍ଠି " (DMF) ର ଅର୍ଥରୁ ସମସ୍ତ ଅର୍ଥ କେନ୍ଦୁଝର ମେଡିକାଲ କଲେଜ ପାଇଁ ବିନିଯୋଗ ହୋଇ ଥିବା ବେଳେ ରାଜ୍ୟ ସରକାର କେତେ ଅର୍ଥ ସହଯୋଗ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି ଯୁବମୋର୍ଚ୍ଚା। ସେହିପରି ୩ ବର୍ଷ ପୂର୍ବରୁ ଜିଲ୍ଳାର OMBADC ପାଣ୍ଠି ରୁ ରାଜ୍ୟ ସରକାର ସୁଧ ଆକାରରେ ନେଇଥିବା ଋଣ କେବେ ପରିଶୋଧ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରଶ୍ନ ରଖିଛି ଯୁବମୋର୍ଚ୍ଚା। 5T ରୂପାନ୍ତରିକରଣରେ ରାଜ୍ୟ ସରକାର ନିଜ ରାଜକୋଷରୁ ସମସ୍ତ ଜିଲ୍ଲାକୁ ପାଣ୍ଠି ଯୋଗାଇଥିବା ବେଳେ ବିନା ଟେଣ୍ଡର ରେ କେନ୍ଦୁଝର ଜିଲ୍ଲାର ସମସ୍ତ 5T ପ୍ରକଳ୍ପକୁ ରାଜ୍ୟର ଅନୁଦାନ କାହିଁକି ବନ୍ଦ କଲେ ଏବଂ DMF ରୁ ପାଣ୍ଠି ଖର୍ଚ୍ଚ କରି ମିଛ ପ୍ରଚାର କଲେ, ତା' ର ଜବାବ୍ ମାଗିଛି ଯୁବମୋର୍ଚ୍ଚା। ନିର୍ବାଚନ ପୂର୍ବରୁ କେନ୍ଦୁଝର ରେ ମେଗା ଇସ୍ପାତ କାରଖାନା କରିବାର ଦିବା ସ୍ବପ୍ନ ଦେଖାଇ ଜିଲ୍ଲାବାସୀ ଙ୍କୁ ରାଜ୍ୟ ସରକାର ଠକିଛନ୍ତି ବୋଲି ଆକ୍ଷେପ କରିଛି ଯୁବମୋର୍ଚ୍ଚା। ସେହିପରି ରାଜ୍ୟକୁ ସର୍ବାଧିକ ରାଜସ୍ୱ ଦେଉଥିବା କେନ୍ଦୁଝର ଜିଲ୍ଲାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ରାଜ୍ୟ ସରକାର କେତେ ସଫଳ ତା' ର ହିସାବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ଵାନ ଦେଇଛି ଯୁବମୋର୍ଚ୍ଚା। ଧରଣୀଧର ଭେଷଜ ମହାବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ DMF ଅନୁଦାନରୁ ଗଠିତ ହୋଇ ଥିବାରୁ ଏହାର ଶ୍ରେୟ ସମସ୍ତ ଜିଲ୍ଲାବାସୀଙ୍କର କିନ୍ତୁ ମୂଖ୍ୟମନ୍ତ୍ରୀ ନିଜ ପ୍ରଚାର କରି ପର ତିଅଣରେ ଅତିଥି ଚର୍ଚ୍ଚା କରୁଛନ୍ତି ବୋଲି କଟାକ୍ଷ କରିଛି ଯୁବମୋର୍ଚ୍ଚା। କେନ୍ଦୁଝର ଜିଲ୍ଲା ର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ଲକ୍ଷ୍ୟରେ ଆସୁଥିବା ମୂଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାର ଙ୍କ ଅନୁଦାନ କେତେ ସେ ତଥ୍ଯ ସାର୍ବଜନୀନ କରିବାକୁ ଯୁବମୋର୍ଚ୍ଚା ଆହ୍ଵାନ ଦେଇଛି। ୫ ଦଫା ପ୍ରଶ୍ନ ର ଏକ ପ୍ରେସ ବିଜ୍ଞପ୍ତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି। ଆସନ୍ତା କାଲି ଧରଣୀଧର ଙ୍କ ମାଟିରେ ମୁଖ୍ୟମନ୍ତ୍ରୀ ଏ ପ୍ରଶ୍ନ ର ଉତ୍ତର ସମଗ୍ର ଜିଲ୍ଲାବାସୀଙ୍କ ନିକଟରେ ରଖିବାକୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ ଆହ୍ଵାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ପକ୍ଷରୁ ପ୍ରିତମ ମହାପାତ୍ର, ରୂପେଶ ରଣା, ମଙ୍ଗଳ ମୁଣ୍ଡା ଏବଂ ଅସିତ୍ ନନ୍ଦନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ କେନ୍ଦ୍ର ସରକାରଙ୍କ ଯୋଜନାରୁ DMF ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇଥିବା ମେଡିକାଲ କଲେଜର ଉଦ୍ଘାଟନ ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ଜିଲ୍ଲାବାସୀ ଙ୍କୁ ଅଭିନନ୍ଦନ ଜଣାଇଛି ଜିଲ୍ଲା ଯୁବମୋର୍ଚ୍ଚା।
ରାଜ୍ୟ
କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚ ପ୍ରଶ୍ନ
- Hits: 428











