ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା: ଅଂଶଗ୍ରହଣ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୁଆଦିଲ୍ଲୀ : ବିଜୁ ଜନତା ଦଳ ପକ୍ଷରୁ ବିଜେଡିର ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଆଜି ରାଜ୍ୟସଭାରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି | ଶ୍ରୀ ମଙ୍ଗରାଜ ଓଡ଼ିଆରେ ତାଙ୍କ ଅଭିଭାଷଣ ରଖି କହିଥିଲେ ଯେ,ଓଡିଶା ଦେଶର ଦ୍ରୁତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ରାଜ୍ୟର ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ ଏହାର ବାସ୍ତବତା ହୃଦୟଙ୍ଗମ ହେବ । ଓଡିଶାକୁ ଭିତ୍ତିଭୂମି ସହାୟତା ଓ ସମ୍ବଳ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ଜାତୀୟ ରାଜପଥ, ଡିଜିଟାଲ କନେକ୍ଟିଭିଟି ଓ ବ୍ୟାଙ୍କିଙ୍ଗ ସେବା ଭିତ୍ତିଭୂମି ବିକାଶର ପ୍ରମୁଖ କ୍ଷେତ୍ର ।
ରାଜ୍ୟରେ ଏହାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ବହୁ ଜାତୀୟ ରାଜପଥ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଟକ-ସମ୍ବଲପୁର ପରି ବହୁ ଜାତୀୟ ରାଜପଥ ପ୍ରକଳ୍ପ ବହୁ ବର୍ଷ ଧରି ଦୁର୍ବଳ ଅବସ୍ଥାରେ ରହିଛି । ଉପକୂଳ ରାଜପଥ ପ୍ରକଳ୍ପ କେବଳ ଫାଇଲରେ ସୀମିତ ରହିଛି । ରାଜ୍ୟରେ ଉପକୂଳ ରାଜପଥ ପ୍ରକଳ୍ପରେ ଗୋଟିଏ ବି ଇଟା ପଡିନି ବୋଲି ଶ୍ରୀ ମଙ୍ଗରାଜ କହିଥିଲେ |
ରେଳବାଇରେ ଓଡିଶାକୁ ସମ୍ପୁର୍ଣ୍ଣ ଅବହେଳା କରାଯାଉଛି । ବହୁ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେଉଛନ୍ତି । ଜୟପୁର-ନବରଙ୍ଗପୁର. ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୫୦% ଅର୍ଥ ରାଜ୍ୟ ଦେଉଛି । ଏହିସବୁ ପ୍ରକଳ୍ପରେ କୌଣସି ଅଗ୍ରଗତି ହେଉନାହିଁ । ପାରାଦ୍ବୀପ-ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଉନି ରେଳବାଇ । ଏହି ପ୍ରକଳ୍ପ ପାଇଁ ଜମି ଓ ପ୍ରକଳ୍ପ ଖର୍ଚ୍ଚର ୫୦% ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଦଳ ତରଫରୁ ମତ ରଖି କହିଛନ୍ତି ଯେ, ରାଜ୍ୟର ୧୨ଟି ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଚୁକ୍ତିନାମା ହୋଇଥିଲା । କେବଳ ଭୁବନେଶ୍ବରକୁ ବାଦ ଦେଲେ ଅନ୍ୟ ୧୧ଟି ଷ୍ଟେସନର ବିକାଶ ହୋଇନି । ରାଜ୍ୟରେ ମୋବାଇଲ ଓ ଡିଜିଟାଲ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ । ଆଦିବାସୀ ଅଧ୍ୟୁକ୍ଷିତ, ଦକ୍ଷିଣ ଓ ପଶ୍ଚିମ ଓଡିଶାର ଲୋକେ ଏହି ସେବା ପାଇପାରୁନାହାଁନ୍ତି । ଏବେ ବି ଲୋକେ ଗଛରେ ଚଢି ମୋବାଇଲ ନେଟୱର୍କ ବ୍ୟବହାର କରୁଛନ୍ତି । ରାଜ୍ୟର ବହୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ନାହିଁ । ପଞ୍ଚାୟତରେ ବ୍ୟାଙ୍କର କାର୍ଯ୍ୟାଳୟ ନଥିବାରୁ ଲୋକେ ପ୍ରଭାବିତ ହେଉଛନ୍ତି । ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଏଦିଗରେ ଧ୍ୟାନ ଦେବାକୁ ସଂସଦରେ ଦାବି ରଖିଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।

0
0
0
s2sdefault