ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶୁଭାରମ୍ଭ, ୧୦ ତାରିଖ ଯାଏଁ ଚାଲିବ ଏହି ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରଯାଇଛି। ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ରଠାରେ ଆୟୋଜିତ ଏହି ମେଳା ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଛି। ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ଚାଷୀ ଭାଇଭଉଣୀଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞାନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଳାର ଆୟୋଜନ କରାଯାଉଛି।

ଚାରି ଦିନ ବ୍ୟାପି ଚାଲିବାକୁ ଥିବା ଏହି ମେଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚାଷୀ ଭାଇଭଉଣୀମାନେ ଯୋଗ ଦେଉଛନ୍ତି। ମଙ୍ଗଳବାର ଦିନ ସୁନ୍ଦରଗଡ଼ ସଦର ସହିତ କୁତ୍ରା, ରାଜଗାଙ୍ଗପୁର, ବଡଗାଁ ଏବଂ ସବଡ଼େଗା ବ୍ଲକର ପ୍ରାୟ ୨୫୦ଜଣ ଚାଷୀ ଏହି ମେଳାରେ ଭାଗ ନେଇଥିଲେ।

ଏହି ଅବସରରେ ବାୟୋଫ୍ଲକ ଏବଂ ଅନ୍ୟାନ୍ୟ ପ୍ରଣାଳୀରେ ମାଛ ଚାଷ ଉପରେ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଆଗ୍ରହୀ ଚାଷୀମାନେ ଏହି ଆଲୋଚନାରେ ଭାଗ ନେଇ କିପରି ସଫଳ ମାଛ ଚାଷୀ ହୋଇପାରିବେ ଏବଂ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ବିଷୟରେ ବିଶେଷଜ୍ଞମାନଙ୍କଠାରୁ ପଚାରି ବୁଝିଥିଲେ।

ଏହି ମେଳାକୁ ଆସିଥିବା ଚାଷୀମାନେ ବିଭିନ୍ନ ଆଧୁନିକ କୃଷି ଯନ୍ତ୍ରପାତି ବୁଲି ଦେଖିବା ସହ ଚାଷରେ ଉନ୍ନତ ମାନର ଜ୍ଞାନ କୌଶଳ ପ୍ରୟୋଗ କରାଯାଇ କିପରି ଅଧିକ ଅମଳ କରାଯାଇ ପାରିବ ସେ ସମ୍ପର୍କରେ କୃଷି ବିଶେଷଜ୍ଞଙ୍କଠାରୁ ପରାମର୍ଶ ନେଇଥିଲେ।

କୃଷି ଯନ୍ତ୍ରପାତି ମେଳାରେ ଆଧୁନିକ ଯନ୍ତ୍ରପାତି ଷ୍ଟଲ ପଡ଼ିଛି। କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଆଧୁନିକ ଯନ୍ତ୍ରପାତିର ଉପକାରିତା, କାର୍ଯ୍ୟକାରିତା ଏବଂ ବ୍ୟବହାର ସମ୍ପର୍କରେ ଚାଷୀମାନେ ଜାଣିବାର ସୁଯୋଗ ପାଇଛନ୍ତି। ତା’ଛଡ଼ା ଆବଶ୍ୟକ ମୁତାବକ ଯନ୍ତ୍ରପାତି କିଣିବା ଏବଂ ସେଥିରେ ସରକାର ଦେଉଥିବା ସବସିଡ୍ ନେବାର ସୁଯୋଗ ପାଇପାରିବେ।

କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କଲେ ଚାଷୀମାନଙ୍କର ଶ୍ରମ ଲାଘବ ହେବା ସହ କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ ହୋଇପାରିବ। ଚାଷୀମାନଙ୍କ ଆୟ ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇପାରିବ।

ମେଳାରେ କୃଷି ବିଭାଗ, ଓଡ଼ିଷା କୃଷି ଶିଳ୍ପ ନିଗମ, ଓଡ଼ିଶା ମିଲେଟ୍ସ ମିଶନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ଡିଲରମାନଙ୍କ ପକ୍ଷରୁ ଷ୍ଟଲ ଖୋଲାଯାଇଛି।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ବିରମିତ୍ରପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ, ତଲସରାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମିରାସେ, ଉତ୍ତରାଞ୍ଚଳ କୃଷି ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ଵୀରାଜ ମହାନ୍ତି ଯୋଗ ଦେଇଥିଲେ।

ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ବେହେରା, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଶ୍ରୀଯୁକ୍ତ ଅରୁଣ ସାହୁ, ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହରିବନ୍ଧୁ ସେଠ୍, ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନସିଂହ ସୋରେନ ପ୍ରମୁଖ ଯୋଗ ଦେଇଥିଲେ।

ଅତିଥିମାନେ ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ଏହି ଅବସରରେ ୨୫ଜଣ ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଆସନ୍ତା ୩ ଦିନରେ ଅନ୍ୟ ବ୍ଲକ ମାନଙ୍କର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବ।

0
0
0
s2sdefault