ଭୁବନେଶ୍ୱର: ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ ପୁସ୍ତକପ୍ରେମୀଙ୍କୁ ବିବିଧ ଲେଖକଙ୍କ ଉପସ୍ଥିତି ଏବଂ ଆଲୋଚନା ସହିତ ପୁଲକିତ କରିବାକୁ ପୁଣି ଥରେ ଫେରିଛି ।
ଏହି ଉତ୍ସବକୁ ଅମିତାଭ ଘୋଷ ଉଦ୍ଘାଟନ କରିବେ ଏବଂ ଏଥିରେ ଲେଖକ ଓ ନାମୀ କଳାକାରମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର କ୍ଲବ୍ଠାରେ ଆୟୋଜନ କରାଯାଉଛି ଏବଂ ଏହା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ ।
ଏହି ଉତ୍ସବରେ ମଧ୍ୟ ବିଶିଷ୍ଟ ନୃତ୍ୟ ବିଶାରଦା ମଲ୍ଲିକା ସରାଭାଇଙ୍କ ଉପସ୍ଥିତି ଦେଖିବାକୁ ମିଳିବ ଯିଏ ତାଙ୍କ ପୁସ୍ତକ ‘ଇନ୍ ଫ୍ରି ଫଲ୍’ ସର୍ମ୍ପକରେ ଉଦ୍ଘାଟନ ଦିବସର ପରବର୍ତ୍ତୀ ସମୟରେ ନିଜର ବକ୍ତବ୍ୟ ରଖିବେ । ଓଡ଼ିଆ ମଞ୍ଚ ଓ ଚଳଚ୍ଚିତ୍ର ପ୍ରତି ବର୍ଦ୍ଧିତ ଆଗ୍ରହ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ସୋଫିଆ ଆଲମ୍ ଏବଂ ତନୟା ପଟନାୟକ ‘ଆହେ ନୀଳ ଶଇଳ’ର ଅଭୂତପୂର୍ବ ସଫଳତା ସମ୍ପର୍କରେ ଆଲୋଚନା କରିବେ ଏବଂ ଅନୁପମ ପଟନାୟକ ଓ ଗୌରହରୀ ଦାସ ଓଡ଼ିଆ ଚଳଚ୍ଚିତ୍ରର ନବୋନ୍ମେଷ ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରତୀକ୍ଷା ଉପରେ ଦୃଷ୍ଟନିବଦ୍ଧ କରିବେ, ଯାହା ଦାସ’ବାପଙ୍କ ଉପରେ ଆଧାରିତ ଥିଲା ।
ଯୁବ କବି ସୁଜିତ କୁମାର ଶତପଥୀ, ଶ୍ରୀମା ଶତପଥୀ, ନିଖିଳେଶ ମିଶ୍ର ଓ ସ୍ୱାଗତିକା ମିଶ୍ର ପ୍ରମୁଖ ସେମାନଙ୍କର ସ୍ୱରଚିତ କବିତାଗୁଡିକ ଉତ୍ସବର ଦ୍ୱିତୀୟ ଦିବସରେ ପାଠ କରିବେ । ବିଶିଷ୍ଟ ବ୍ୟକ୍ତି ଗୋପିନାଥ ମହାନ୍ତି ଓ ଜଗଦୀଶ ମହାନ୍ତିଙ୍କ ସମ୍ପର୍କରେ ଅଧିବେଶନରେ ଆଲୋଚନା କରାଯିବା କାର୍ଯ୍ୟକ୍ରମ ରହିଛି ଯେଉଁଥିରେ ଦୁଇଟି ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚନ ହେବ ।
ଓଡ଼ିଶା ଓ ରାଜ୍ୟ ବାହାରେ ଓଡ଼ିଆ ସଂସ୍କୃତିକୁ ଯେଉଁଭଳ ଦୃଷ୍ଟିକୋଣ ନେଇ ଦେଖାଯାଉଛି ସେ ସମ୍ପର୍କରେ ପୁରସ୍କାର ବିଜେତା ଲେଖକ ପାରମିତି ଶତପଥୀ, ଗାୟତ୍ରୀବାଳା ପଣ୍ଡା ଏବଂ ମୋନାଲିସା ଜେନା ପ୍ରମୁଖ ଆଲୋଚନା କରିବେ । ଓଡ଼ିଆ ଅଧିବେଶନ ବ୍ୟତୀତ କିଶୋର କୁମାରଙ୍କ ଜୀବନୀ ଏବଂ ଆଙ୍ଗ୍ଲୋ-ଇଣ୍ଡିଆନ ଗୋଷ୍ଠୀଙ୍କର ଇତିହାସ ଉପରେ ଦୃଷ୍ଟିନିବଦ୍ଧକରୁଥିବା ତଥା ବେରୀ ଓ’ବ୍ରିଏନ୍ଙ୍କ ଅବଦାନ ଉପରେ ଇଂରାଜୀରେ ରଚିତ ଅନେକ ନୂତନ ପୁସ୍ତକ ଉନ୍ମୋଚିତ ହେବ । ପ୍ରାକ୍ତନ ବ୍ରିଟିଶ ମ୍ୟୁଜିୟମ ଡାଇରେକ୍ଟର ରିଚାର୍ଡ ବ୍ଲର୍ଟନ ଭାରତର ଇତିହାସ ଉପରେ ତାଙ୍କର ପୁସ୍ତକ ବିଭିନ୍ନ ବସ୍ତୁ ଜରିଆରେ ଉପସ୍ଥାପନ କରିବେ ଏବଂ ବୋଷ୍ଟନସ୍ଥିତ ଲେଖିକା ଚିତ୍ରିତା ବାନାର୍ଜୀ ଚୈତନ୍ୟ ମହାପ୍ରଭୁଙ୍କ ଉପରେ ତାଙ୍କ ରଚିତ ପୁସ୍ତକ ତଥା ଭାରତରେ ଖାଦ୍ୟ ଇତିହାସ ସର୍ମ୍ପକରେ ତାଙ୍କର ବହୁଚର୍ଚ୍ଚିତ ପୁସ୍ତକଗୁଡିକ ସମ୍ପର୍କରେ ଆଲୋଚନା କରିବେ । ସୁମନ୍ୟୁ ଶତପଥୀଙ୍କର ନନ୍ସେନ୍ସ ଭର୍ସ ଉପରେ ଲିଖିତ ପୁସ୍ତକ ମଧ୍ୟ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବ ।
ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ର ଏକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଉତ୍ସବରେ ସପ୍ତାହାନ୍ତରେ ଶେଷ ଦିବସରେ କରାଯାଉଥିବା ଚମତ୍କାର ପ୍ରଦର୍ଶନ । ଓସ୍ତାଦ୍ ସୁଜାତ ଖାନ୍ ଉତ୍ସବରେ ଫେବୃଆରୀ ୪ ତାରିଖ ଶନିବାର ଦିନ ଭୁବନେଶ୍ୱର କ୍ଲବ୍ରେ ତାଙ୍କ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ ଏବଂ ପଙ୍କଜ କପୁର ରେଲ ଅଡିଟୋରିୟମ୍ରେ ଫେବୃଆରୀ ୫ ତାରିଖରେ ଏକକ ଅଭିନୟ ‘ଦୋଫେରି’ ପ୍ରଦର୍ଶନ କରିବେ । ଏହି ପ୍ରଦର୍ଶନ ନିମନ୍ତେ ପାସ୍ଗୁଡିକ ଉତ୍ସବ ସମୟରେ ଭୁବନେଶ୍ୱର କ୍ଲବ୍ରେ ଉପଲବ୍ଧ ହେବ । ପ୍ରବୀଣ ଅଭିନେତା ଉତ୍ସବ ଅବସରରେ ଶନିବାର ଦିନ ସୁପ୍ରିୟା ପାଠକ କପୁରଙ୍କ ସହିତ ମିଶି ନିଜର ବକ୍ତବ୍ୟ ରଖିବେ ।