ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ଜିଲ୍ଲା ପରିଷଦ ତୃତୀୟ ସାଧାରଣ ଅଧିବେଶନ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢ଼ାବୁଢ଼ିଆଣି ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପ୍ରମୂଖ ସମସ୍ୟା ଉପରେ ଆଲୋଚନା କରାଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ପ୍ରମୂଖ ଉପସ୍ଥିତଥିଲେ । ବିଧାୟକ ଡ. ସାହୁ ନିଦ୍ଧାରିତ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ । ସବୁ କାମକୁ ଠିକ ସମୟରେ ସାରିବାକୁ ପରାମର୍ଶ ଦେଇଥିଲେ । ୫ଟିକୁ ଅନୁସରଣ କରି ପ୍ରତ୍ୟେକ କାର୍ଯ୍ୟକୁ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ପ୍ରତ୍ୟେକ ବିଭାଗ ଅଧିକାରୀଙ୍କୁ ସଠିକ ସମୟରେ କାମ ସାରିବାକୁ ପରାମର୍ଶ ଦେଇଥିଲେ । ସମନ୍ୱୟ ଭିତ୍ତିରେ କାମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ୨୫ ହଜାର ୮୦୪ ଗୋଟି ଆବାସ ହିତାଧିକାରୀ ପାଇବାକୁ ଯୋଗ୍ୟ ଥିବା ବେଳେ ମୋଟ ୧୯ ହଜାର ୧୧୯ ଗୋଟି ଆବାସ ଅନୁମୋଦନ ହୋଇଛି । ଯାହା ଫଳରେ ନାନାଦି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା ।
ସ୍ୱାସ୍ଥ୍ୟ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଆସିଥିବା ଅନୁଦାନ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ଚାଲିଛି, ତାହାର ସନ୍ତୋଷ ଜନକ ଉତ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦାନ କରି ପାରିନଥିଲେ । ଯାହାକୁ ନେଇ ଅନେକ ସଦସ୍ୟ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଦଶପଲ୍ଲାରେ ଆମ୍ବୁଲାନ୍ସ ଥିବା ବେଳେ ଡ୍ରାଇଭର ନଥିବା ଦର୍ଶାଇ ଦଶପଲ୍ଲା ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ ଡ୍ରାଇଭର ଯୋଗାଇ ଦେବାକୁ ଦାବି ରଖିଥିଲେ । ଅନେକ ସ୍ଥାନରେ ଡାକ୍ତର ଅଭାବକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ନଳକୂପ ମରାମତି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ସହିତ ୩ଟି ବ୍ଲକ ପାଇଁ ମୁଖ୍ୟମନ୍ତ୍ରୀ ମେଗା ପ୍ରକଳ୍ପ ଅନୁମୋଦନ କରିଥିବାରୁ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା । ତୁରନ୍ତ ପ୍ରକଳ୍ପ କାମ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ଧାନକିଣା ଉପରେ ଆଲୋଚନା ସମୟରେ ସହକାରୀ ସମବାୟ ନିବନ୍ଧକ ହାଡ଼ିବନ୍ଧୁ ମହାକୁଡ଼ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ସମ୍ବଲପୁର ମିଲର ଧାନକିଣା ଆରମ୍ଭ କରିଥିବାରୁ ବୈଠକରେ ପ୍ରଶଂସା କରାଯାଇଥିଲା । ଏହି ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବିଭିନ୍ନ ବିଭାଗ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।