-
କୁଟୁଣି ଗାଁରୁ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଶାଳ ସାଇଜ ଓ ଶାଗୁଆନ ପଟା ଜବତ,
-
କର୍ମଚାରୀଙ୍କ ସମ୍ପର୍କିୟ ଜଣାପଡ଼ିବାରୁ ଅଭିଯୁକ୍ତକୁ ଅଧା ବାଟରେ ଛାଡ଼ି ଦେବା ଚର୍ଚ୍ଚା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ପଞ୍ଚିଡା ଓ ଓଡ଼ଗାଁ ବନାଞ୍ଚଳରେ ଚାଲିଛି ନାମମାତ୍ର ସୁରକ୍ଷା ବ୍ୟବସ୍ଥା । ଏହି ୨ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରୁ ପ୍ରତିଦିନ ଶାଳ ଶାଗୁଆନ କାଠ କାଟି ବାହାରକୁ ଚାଲାଣ ହେଉଛି । ଅତର୍କିତ ଚଢ଼ାଉର ବାହାନାରେ ଜବତ୍ କାଠ ପଟା ସମୁଦ୍ରକୁ ସଂଙ୍ଖେ ପରି ।ଶୁକ୍ରବାର ଦିନ ପଞ୍ଚିଡା ବନାଞ୍ଚଳ ଅନ୍ତର୍ଗତ କୁଟୁଣି ବିଟ୍ କୁଟୁଣି ଗାଁରେ ଅତର୍କିତ ଚଢ଼ାଉ କରିବା ନାଁରେ ଶାଳ କାଠ ସାଇଜ ୧ଶହଖଣ୍ଡ ଓ ଶାଗୁଆନ ପଟା ୧ଶହ ୯୫ଖଣ୍ଡ ଜବତ୍ କରିଥିଲେ। ଅଭିଯୁକ୍ତକୁ ସାଙ୍ଗରେ ଆଣି ସମ୍ପର୍କିୟ ଜାଣିବା ପରେ ଅଧାବାଟରୁ ଛାଡିଦେଇଥିବା ଚର୍ଚ୍ଚା ଚାଲିଛି । ଏଠାରେ ପ୍ରଶ୍ନ ଉଠେ ଜଙ୍ଗଲରେ କାଠକଟାକୁ ଅଟକାଇ ପାରିଲେ ଏଭଳି ଚଢ଼ାଉର ଆବଶ୍ୟକତା ରହିବନାହିଁ । ବନ କର୍ମଚାରୀ ମାନେ କାର୍ଯ୍ୟାଳୟରେ ନବସି ପ୍ରତିଦିନ ଜଙ୍ଗଲ ମଧ୍ୟରେ ସୁରକ୍ଷା ପାଇଁ ଘୁରି ବୁଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ କାଠ ଚୋରିହେବା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଣୁ କାଠଚୋର ଓ ଅସାଧୁ ବନକର୍ମଚାରୀଙ୍କ ମଧ୍ୟରେ ସମ୍ପର୍କ ରହୁଥିବା ଘଟଣାରୁ ପ୍ରତୀୟମାନ ହେଉଛି । ଏଠି ନାମମାତ୍ର ଚଢ଼ାଉ ପ୍ରହସନରେ ପରିଣତ ହୋଇଛି । ସେହିପରି ଓଡ଼ଗାଁ ବନାଞ୍ଚଳ କଥା କହିଲେ ନସରେ । ପ୍ରତିଦିନ ଜଙ୍ଗଲ କଟା ଚାଲିଛି । ଧରପଗଡର ପ୍ରଶ୍ନ ଉଠୁନି । ଅବାଧ ପ୍ରାଣୀ ଶିକାର ଏଠି ହୋଇଛି ନିତିଦିନିଆ ଘଟଣା । ଶିକାର ପରେ ପ୍ରାଣୀର ମାଂସ କାଟି ପଲିଥିନରେ ରଖି ଯୋଗାଯୋଗରେ ଥିବା କିଛି ମାଂସ ବିକାଳୀଙ୍କୁ ୧୦/୧୫ଟି ଲେଖାଏଁ ପ୍ୟାକେଟ ଦେଇ ସାଇକେଲ, ଟିଭିଏସ ମୋପେଡ ବାଇକ୍ ଅଥବା ସ୍କୁଟିରେ ନେଇ ଚୋରାଲୁଚାରେ ଗାଁ ଗାଁରେ ବିକ୍ରି କରନ୍ତି। ଶିକାରୀ ବିଛାଇଥିବା ବିଦ୍ୟୁତ ଫାସରେ ଫସିଥିବା ଗୟଳ ହେଉ ଅବା ମାଙ୍କଡ ସେମାନଙ୍କର ମୁଣ୍ଡ, ଲାଞ୍ଜ, ଗୋଡ, ଚମଡା ଲୁଚାଇଦେଇ କୋଟରା ଶମ୍ବର ମାଂସ କହି ବିକ୍ରିକରି ଟଙ୍କା ରୋଜଗାରେ ମାତିଛନ୍ତି ଶିକାରୀ । ଗୟଳସିଂ ସଂରକ୍ଷିତ ଜଙ୍ଗଲରୁ ୭/୧୦ବର୍ଷ ମଧ୍ୟରେ ହୋଇଥିବା ଶାଳବଲ୍ଲା ଏବଂ କାଠକାଟି ହଳୁଆମାନେ ବୋହି ଚାଲିଛନ୍ତି । ଏଥିପ୍ରତି ବନବିଭାଗର କୈାଣସି ଆକଟ ନଥିବାରୁ କ୍ରମଶଃ ଏହା ବୃଦ୍ଧି ପାଇବାକୁ ଲାଗିଛି । ଗତ ୨ବର୍ଷ ପୂର୍ବେ ଦେଖିଥିବା ଜଙ୍ଗଲ ଏବେ ଶ୍ରୀହୀନ ହୋଇପଡ଼ିଲାଣି । ଚୋରା କାଠ ବେପାରୀ ମାନେ ସକ୍ରିୟ ହୋଇପଡିଥିବା ବେଳେ ଲଗାମ ଦେବା ପାଇଁ କୈାଣସି ଦୃଢ଼ ବ୍ୟବସ୍ଥା ନାହିଁ । ଯଦି ଏହିପରି କାଠକଟା ଲାଗିରହେ ତେବେ ଜଙ୍ଗଲ ସୁରକ୍ଷା ଅସମ୍ଭବ ହୋଇପଡିବ ନିଶ୍ଚିତ।