ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁରସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶା ସରକାରଙ୍କ ପରାମର୍ଶାନୁସାରେ ସାମାଜିକ ଓ ପରିବେଶ ସଚେତନତାର ପ୍ରତୀକ— "ଏକ ପେଡ଼ ମା’ କେ ନାମ” ଶୀର୍ଷକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ ଦାଶ ବୃକ୍ଷରୋପଣ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଫାର୍ମାସି ବିଭାଗର ପ୍ରିନ୍ସିପାଲ ଡା. କାହ୍ନୁଚରଣ ପାଣିଗ୍ରାହୀ, କମ୍ପ୍ୟୁଟର ବିଭାଗର ପ୍ରିନ୍ସିପାଲ ଶ୍ରୀ ସମରଜିତ କର, ପ୍ରଶାସନିକ ଅଧିକାରୀ ଶ୍ରୀ ପି.ଭି. କୋଟେଶ୍ୱର ରାଓ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉତ୍ସାହପୂର୍ଣ୍ଣ ଭାବରେ ବୃକ୍ଷରୋପଣରେ ଅଂଶଗ୍ରହଣ କରିଥିଲେ ।
ବି.ଫାର୍ମାସି, ଡି.ଫାର୍ମାସି, ନର୍ସିଂ, ଡି.ଏମ୍.ଏଲ୍.ଟି., ବି.ସି.ଏ., ଏମ୍.ସି.ଏ. ଓ ଏମ୍.ବି.ଏ. ବିଭାଗର ଛାତ୍ରଛାତ୍ରୀମାନେ ବିଶେଷ ଉତ୍ସାହର ସହିତ ଅଂଶଗ୍ରହଣ କରି, ବଉଳ, କରଞ୍ଜ, ଲିମ୍ବ, ଅର୍ଜୁନ ଇତ୍ୟାଦି ୭୫ଟି ଚାରାଗଛ ରୋପିଥିଲେ । ସମଗ୍ର କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ରାଜୀବ ପଣ୍ଡା କରିଥିଲେ ।
ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ସାହୁ, ଏହି ଉଦ୍ୟମକୁ ମାନବତାମୂଳକ ପଦକ୍ଷେପ ଭାବେ ବିବର୍ଣ୍ଣନା କରି, ପରିବେଶ ସୁରକ୍ଷାରେ ସମସ୍ତଙ୍କୁ ବୃକ୍ଷରୋପଣ ମାଧ୍ୟମରେ ସକ୍ରିୟ ଭାଗିଦାର ହେବାକୁ ଆହ୍ୱାନ କରିଥିଲେ ।