ବନ କର୍ମଚାରୀଙ୍କ ଦ୍ୱାରା ମୁଣ୍ଡ, ସିଂଘ, ଅନ୍ତବୁଜୁଳା ଓ ଲାଞ୍ଜ ଜବତକୁ ମାଟିରେ ପୋତାଗଲା
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗୟଳସିଂ ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ଲାଗି ରହିଥିବା ଜଦୁପୁର ନିକଟସ୍ଥ ମଧୁଆମାରୁ ଗ୍ରାମ୍ୟ ଜଙ୍ଗଲରେ ଆଜି ସକାଳେ ଓଡ଼ଗାଁ ବନକର୍ମଚାରୀ ମାନେ ଗୋଟିଏ ମୃତ ଗୟଳର ମୁଣ୍ଡ, ସିଂଘ, ଅନ୍ତବୁଜୁଳା ଓ ଲାଞ୍ଜକୁ ଜବତ କରିଥିଲେ । ତେବେ ଚିହ୍ନଟ ଅଂଶକୁ ଶିକାରୀମାନେ ଛାଡ଼ିଦେଇ ଅନ୍ୟ ଅଂଶକୁ କାଟିନେଇ ଜଙ୍ଗଲି ମାଂସ ଭାବେ ଲୋକମାନଙ୍କୁ ବିକ୍ରୀ କରିଦେଇଥିବା ଅନୁମାନ କରାଯାଉଛି । ବନବିଭାଗ ପ୍ରାଣୀଚିକିତ୍ସକଙ୍କୁ ଡକାଇ ବ୍ୟବଚ୍ଛେଦ କରିବା ପରେ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମୃତ ଗୟଳର ପଡିରହିଥିବା ବଳକା ଅଂଶ ଗୁଡ଼ିକୁ ମାଟି ତଳେ ପୋତି ଦିଆଯାଇଥିଲା । କୌଣସି ଶିକାରୀ ଦ୍ବାରା ବିଛା ଯାଇଥିବା ବିଦ୍ୟୁତ ଜାଲରେ ପଡି ଗୟଳଟି ପ୍ରାଣ ହରାଇଥିବା ବନବିଭାଗ ଠାରୁ ପ୍ରକାଶ । ମୃତ ମାଇ ଗୟଳଟିର ବୟସ ୪/୫ ବର୍ଷ ହୋଇଥିବା ବେଳେ ତାର ଓଜନ ୩/୪ କ୍ୱିଣ୍ଟାଲ ହୋଇପାରେ ବୋଲି ଅନୁମାନ କରାଯାଇଛି । ଉକ୍ତ ଘଟଣାରେ ୪ଜଣ ଅପରାଧି ରହିଥିବା ଜଣାପଡ଼ିଥିବା ବେଳେ ବନବିଭାଗ ଜଣକୁ ଅଟକ ରଖି ପଚରାଉଚରା କରୁଛି ।
ସୁଚନା ଥାଉକି ଗୟଳସିଂ ସଂରକ୍ଷିତ ଜଙ୍ଗଲ ସ୍ଥାନୀୟ ଅଞ୍ଚଳର ଶିକାରୀମାନଙ୍କ ପାଇଁ ଅମର ଭୁବନ ପାଲଟି ଯାଇଥିବା ବେଳେ ପ୍ରତିଦିନ ଏଠାରେ ବିଦ୍ୟୁତ ତାର ବିଛାଇ ଅବାଧରେ ଶିକାର କରି ଚାଲିଛନ୍ତି। ବିଦ୍ୟୁତ ଜାଲରେ ଯେକୌଣସି ପ୍ରାଣୀ ସଂସ୍ପର୍ଶରେ ଆସି ମୃତ୍ୟୁ ହେଲେ ଅଦରକାରୀ ପ୍ରାଣୀର ମୃତ ଶରୀରରୁ ମାଂସକାଟି ଆଣି ଗାଁ ଗହଳିରେ କୋଟରା ଇତ୍ୟାଦି ମାଂସ କହି ବିକ୍ରୀ କରୁଛନ୍ତି। ଆଜି ମଧ୍ୟ ଚିହ୍ନଟ ହୋଇଥିବା ଗୟଳର ମାଂସକୁ ଏହିଭଳି ଭାବେ ବିକ୍ରି ହୋଇଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ପଦାଧିକାରୀ ମାନେ ଗୁରୁତର ସହ ଧ୍ୟାନ ଦେଲେ ଅନେକାଂଶରେ ଅବାଧ ପଶୁ ଶିକାରକୁ ରୋକାଯାଇପାରିବ।