ନବୀନ ପାଲଟିଛନ୍ତି ଗୋଟେ ବ୍ରାଣ୍ଡ | ଓନିଡା ଟିଭିର ସେଇ ପୁରୁଣା ଲୋକପ୍ରିୟ ବିଜ୍ଞାପନର ଟ୍ୟାଗ ଲାଇନ " ନେବରସ ଏନଭି, ଓନର୍ସ ପ୍ରାଇଡ" ଭଳି ବିଜେଡି ଓ ବିଜେଡିର ସବୁ ନେତାଙ୍କ ପାଇଁ ନବୀନ ପାଲଟିଛନ୍ତି ଗୌରବ ବା ଗର୍ବ, ଆଉ ବିରୋଧୀଙ୍କ ପାଇଁ ଇର୍ଷା" |
ମା ମାନଙ୍କ ଆଶୀର୍ବାଦ ରହିଲେ ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ – ନବୀନ ପଟ୍ଟନାୟକ
ବିଜୁ ଜନତା ଦଳର ରଜତ ଜୟନ୍ତୀ ଉତ୍ସବ : ଓଡିଶା ବାସୀଙ୍କ ସେବାରେ ପଚିଶ ବର୍ଷ
-
ଚାଷୀ, କଳାକାର, ପ୍ରଫେସନାଲ, କଳାକାର, କ୍ରୀଡାବିତ୍, ସବୁ ବର୍ଗର ଲୋକ ବିଶେଷ କରି ଯୁବପିଢ଼ିଙ୍କୁ ବିଜେଡିରେ ସାମିଲ ହେବାକୁ ଆହ୍ଵାନ
-
ଓଡିଶା ବାସୀଙ୍କ ବିଶ୍ବାସ ଆମର ଶକ୍ତି | ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରିଚାଲିଥିବ
-
ରାଷ୍ଟ୍ରୀୟ ଦଳ ନୁହେଁ, ଏକ ଆଞ୍ଚଳିକ ଦଳ ବିଜେଡି ହିଁ ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରିପାରିବ
ପୁରୀ : ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ଏହି ଆଞ୍ଚଳିକ ଦଳ ଗଠନ ହୋଇଥିଲା । ନେତୃତ୍ୱ ନେଇଥିଲେ ବିଜୁ ନନ୍ଦନ ନବୀନ ପଟ୍ଟନାୟକ । ଇତିମଧ୍ୟରେ ବିଜୁ ଜନତା ଦଳକୁ ଆଜି ୨୫ ବର୍ଷ ପୂରିଛି । ନିଜର ଯାଦୁକରୀ ନେତୃତ୍ୱର ପରାକାଷ୍ଠାରେ ବିରୋଧୀଙ୍କୁ ଧରାଶାୟୀ କରି ନିଜର ଗ୍ରହଣୀୟତାକୁ ଆକାଶଛୁଆଁ କରିବାରେ ସକ୍ଷମ ହୋଇଛନ୍ତି ନବୀନ | ଇତିମଧ୍ୟରେ କୁସୁମ ପରସେ ପଟ ନିସ୍ତରେ ରୀତିରେ ଅନେକ ଅଜଣା ଅଚିହ୍ନା ଚେହେରା ବି ନେତା ହେବାର ସୁଯୋଗ ପାଇଛନ୍ତି |କିଛି ଉଠାଣି ଆଉ କିଛି ଗଡ଼ାଣି ଅତିକ୍ରମ କରି ପାଂଚ ପାଞ୍ଚଥର ବିଜେଡି ଶାସନ କ୍ଷମତାକୁ ଆସିଛି ନବୀନଙ୍କ ନାମାବଳୀ ଜପି | ନବୀନ ପାଲଟିଛନ୍ତି ଗୋଟେ ବ୍ରାଣ୍ଡ | ଓନିଡା ଟିଭିର ସେଇ ପୁରୁଣା ଲୋକପ୍ରିୟ ବିଜ୍ଞାପନର ଟ୍ୟାଗ ଲାଇନ " ନେବରସ ଏନଭି, ଓନର୍ସ ପ୍ରାଇଡ" ଭଳି ବିଜେଡି ଓ ବିଜେଡିର ସବୁ ନେତାଙ୍କ ପାଇଁ ନବୀନ ପାଲଟିଛନ୍ତି ଗୌରବ ବା ଗର୍ବ, ଆଉ ବିରୋଧୀଙ୍କ ପାଇଁ ଇର୍ଷା" | ତାଙ୍କ ପତିଆରାକୁ ମୁକାବିଲା କରିବାରେ ବିଫଳ ବିରୋଧୀଙ୍କ ସବୁ ଚାଲ ଆଉ ପେଁତରା | ଆଉ ସେଇଥିପାଇଁ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି ଘୋଷଣା କରି ନବୀନ ଜନମାନସରେ ପାଲଟିଯାଇଛନ୍ତି ଅପ୍ରତିଦ୍ୱନ୍ଦୀ ନେତା । ୨୫ ବର୍ଷର ଏହି ସଫଳ ଯାତ୍ରା ଆଗକୁ ନେବା ପାଇଁ ଦଳ ନିଜର ସଂକଳ୍ପକୁ ବଳବତ୍ତର ରଖି ଆଜି ପୁରୀ ତାଳବଣିଆ ପଡିଆଠାରେ ଅନୁଷ୍ଠିତ ହୋଇଛି ୨୬ତମ ପ୍ରତିଷ୍ଠା ଦିବସ | ଆଉ ଏହି ଅବସରରେ ଦଳର ନେତା ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ନବୀନ ଦେଇଛନ୍ତୁ ଗୁରୁମନ୍ତ୍ର | ମା ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶାବାସୀଙ୍କ ସେବା କରି ଚାଲିବ ବୋଲି କହି ଦଳର କର୍ମୀ ଓ ନେତାଙ୍କ ମନରେ ଭରିଛନ୍ତି ଜୋଶ | ବିଜେଡିର ଏହି ରୌପ୍ୟ ଜୟନ୍ତୀ ସମାରୋହରେ ସବୁ ବର୍ଗର ଯଥା ବରିଷ୍ଠ,ମଧ୍ୟମ,ଯୁବ ଓ ଛାତ୍ର ନେତାମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା । ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଦଳର ତୁଙ୍ଗ ନେତା ଯଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ ଆଦିଙ୍କ ଅଭିଭାଷଣ ଉପସ୍ଥିତ ପ୍ରାୟ ୫୦ ହଜାରରୁ ଅଧିକ ନେତା ଏବଂ କର୍ମୀଙ୍କୁ ଉତ୍ସାହିତ କରିଥିଲା | କିଛିଦିନ ତଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚାକୁ ଆସିଥିବା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା | ନବୀନ ତାଙ୍କ ଭାଷଣରେ କହିଥିଲେ "ମା ମାନେ ଆଗେଇ ଆସନ୍ତୁ ଦାୟିତ୍ଵ ନିଅନ୍ତୁ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ | ଆପଣମାନଙ୍କ ଆଶୀର୍ବାଦ ରହିଲେ ବିଜୁ ଜନତା ଦଳ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡିଶାର ସେବା କରିଚାଲିବ | ଚାଷୀ, କଳାକାର, ପ୍ରଫେସନାଲ, କଳାକାର, କ୍ରୀଡାବିତ୍, ସବୁ ବର୍ଗର ଲୋକ ବିଶେଷ କରି ଯୁବପିଢ଼ିଙ୍କୁ ବିଜେଡିରେ ସାମିଲ ହୁଅନ୍ତୁ | ଓଡିଶା ବାସୀଙ୍କ ବିଶ୍ବାସ ଆମର ଶକ୍ତି | ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟନାଦ କରିଚାଲିଥିବ | ରାଷ୍ଟ୍ରୀୟ ଦଳ ନୁହେଁ, ଏକ ଆଞ୍ଚଳିକ ଦଳ ବିଜେଡି ହିଁ ଓଡିଶାର ସ୍ବାର୍ଥ ପାଇଁ ଲଢେଇ କରିପାରିବ"
ବିଜେଡି ସୁପ୍ରିମୋ ଆଜି ଦଳର କର୍ମୀ ଓ ନେତାମାନଙ୍କୁ ଉଦ୍ବୋଧନ ଦେଇ ଯାହା କହିଲେ ତାହା ଏପରି .....
"ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ରକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି।
ଜୟ ଜଗନ୍ନାଥ
ଆଜି ବିଜେଡି ଓଡିଶାବାସୀଙ୍କ ସେବାର ୨୫ ବର୍ଷ ପାଳନ କରୁଛି। ଓଡିଶାର ସାଢେ ଚାରି କୋଟି ଜନତା ଆମକୁ ୨୫ ବର୍ଷ ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କ ପାଖରେ ଋଣୀ। ବିଜେଡି ସବୁବେଳେ ଓଡିଶାବାସୀଙ୍କ ପାଖରେ ଋଣୀ।
ମୋତେ ସଦାବେଳେ ଅନ୍ୟ ପାର୍ଟିର ନେତାମାନେ କୁହନ୍ତି, ପାର୍ଲିଆମେଣ୍ଟରେ, ବିଭିନ୍ନ ମିଟିଂରେ କି BJD is the most successful regional party ever. ବିଜେଡି ଲୋକଙ୍କ ବିଶ୍ବାସକୁ ଆଧାର କରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି।
ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରିକି ପାଇପାରିଛି....... ତାହେହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ।
ପ୍ରଥମ - ଗୋଟିଏ ଆଂଚଳିକ ଦଳର ମୁଖ୍ୟ କର୍ତ୍ତବ୍ୟ ହେଉଛି – ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ only ଏଜେଣ୍ଡା ରଖିକି କାମ କରିବା। ମୁଁ ଜାଣେ ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟି ନାହିଁ ।
ଆମର ପ୍ରଥମ କର୍ତ୍ତବ୍ୟ ହେଉଛି –
ଆମ ରାଜ୍ୟ ଓ ରାଜ୍ୟବାସୀ
ଓଡିଶାର ସ୍ବାର୍ଥ
ଓଡଶାର ଉନ୍ନତି
ଓଡଶାର ଗୌରବ
ଓଡଶାର ଭାଷା
ଓଡଶାର ସଂସ୍କୃତି
ଓଡିଆର ସ୍ବାଭିମାନ ପାଇଁ ବିଜେଡି କାମ କରି ଆସୁଛି।
ଦ୍ବିତୀୟ ହେଲା - ବିଜୁ ବାବୁଙ୍କ ଆଦର୍ଶ । ମୁଁ ସବୁବେଳେ କହିଆସୁଛି Biju Babu was not a leader, he was a phenomenon and he was completely futuristic – way ahead of his times ଏବଂ ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡିଶାର ଉନ୍ନତି ଓ ଓଡିଶାର ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା । ସେ ମହାନ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ ।
ତୃତୀୟ ହେଲା – ସ୍ବଚ୍ଛ ଓ ନିର୍ମଳ ଶାସନ | ଆମର ନିହିତ ସ୍ୱାର୍ଥ ହେଉଛି ଓଡିଶାର ଉନ୍ନତି । ଓଡିଶାବାସୀଙ୍କ ଉନ୍ନତି । ଏହାଛଡା ଆମ ଦଳର ଦ୍ବିତୀୟ ନିହିତ ସ୍ୱାର୍ଥ ନାହିଁ ।
ଚତୁର୍ଥ ହେଲା - ମହିଳା ସଶକ୍ତିକରଣ | ୨୦୦୦ ମସିହାରୁ ଯେତେବେଳେ ଓଡିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେତେବେଳେ ଠାରୁ ମା ମାନଙ୍କ ସଶକ୍ତିକରଣକୁ ଆମେ ଗୁରୁତ୍ବ ଦେଇ ଆସିଛୁ । ଆମର ଦୃଢ ବିଶ୍ବାସ, ମା ମାନଙ୍କ ଉନ୍ନତି ହିଁ ଓଡିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି। ମୁଁ ସବୁବେଳେ କହିଛି, ମା ମାନେ ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ରାଜ୍ୟ ସଶକ୍ତ ହେବ। ମା ମାନେ ସଶକ୍ତ ହେଲେ, ସେ ଦେଶ ସଶକ୍ତ ହେବ। ଗୋଟେ ନ ହେଲେ , ଅନ୍ୟ ଟି ହେବ ନାହିଁ ।
ବିଜେଡି ପାଇଁ ସବୁ ବର୍ଗର ଉନ୍ନତି ଗୁରୁତ୍ବପୂର୍ଣ୍ଣ । ସେ ଆମର ଆଦିବାସୀ ଭାଇଭଉଣୀ ହୁଅନ୍ତୁ, ଦଳିତ ଭାଇଭଉଣୀ ହୁଅନ୍ତୁ, ବା ଖ୍ରୀଷ୍ଟିଆନ ମୁସଲିମ ଭାଇଭଉଣୀ ହୁଅନ୍ତୁ । ସମସ୍ତଙ୍କ ଉନ୍ନତି ହେଲେ ଓଡିଶାର ଉନ୍ନତି ହେବ।
ବିଜେଡି ସବୁବେଳେ ମାଲକାମଗିରିରୁ ମୟୁରଭଂଜ ପର୍ଯ୍ୟନ୍ତ , ବରଗଡରୁ ପୁରୀ ପର୍ଯ୍ୟନ୍ତ, ସବୁ ଗାଁ, ସବୁ ସହର ଓ ସବୁ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି। Inclusive growth ଓ regional imbalance ଦୂର କରିବା ଆମର କର୍ତ୍ତବ୍ୟ ।
BJD stands for the entire Odisha……. Not just one group or one region or one class. ଓଡିଶାର ଯାହା ଯାହା ସମସ୍ୟା ରହିଛି ତାକୁ ଦୂରଦୃଷ୍ଟିରେ ରଖିକି ପେଶାଦାରି ସହିତ ଆମ ଦଳ କାମ କରୁଛି।
ସେ ବନ୍ୟା, ବାତ୍ୟା ହେଉ – ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରା ପୃଥିବୀରେ ସୁନାମ କରିଛି। ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛୁ ।
ଆମ ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖିକି ବହୁତ ପୁଞ୍ଜିନିବେଶ ଆମ ପାଖକୁ ଆସୁଛି | ପିଲାମାନଙ୍କୁ ଚାକିରୀ ମିଳିବ, ରାଜ୍ୟର ଉନ୍ନତି ହେବ ।
ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ । ସେଥିପାଇଁ କୋଭିଡ ମହାମାରୀ ଟାଇମରେ ଟେଷ୍ଟିଙ୍ଗରୁ ଟ୍ରିଟମେଣ୍ଟ ସେଥିପାଇଁ ମାଗଣାରେ ଦିଆଗଲା । ଓଡିଶା ଅନ୍ୟ ରାଜ୍ୟ ମାନଙ୍କୁ ଅମ୍ଳଜାନ ଯୋଗାଣ କଲା। BSKY ଭଲି କ୍ରାନ୍ତିକାରୀ ସ୍କିମ ଲାଗୁ କରାଗଲା । ଆମର ପ୍ରତିବଦ୍ଧତା ହେଉଛି – ପ୍ରତ୍ୟେକ ଜୀବନ ମୂଲ୍ୟବାନ। ତାକୁ ଆଧାର କରି କି କାମ କରୁଛୁ । ଦେଶ ବିଦେଶରେ ଆମ ସରକାର ଓ ଆମ ଗଭର୍ଣ୍ଣନ୍ସ ମୋଡେଲ ସମସ୍ତେ ପ୍ରଶଂସା କରୁଛନ୍ତି।
It’s a professionally run Government. Which runs on the principles of 5T. It’s a Government sensitive to people’s aspirations and needs, which has initiatives like Mo Sarkar to get citizen feedback. ମୁଁ ଯାହା ବି କହିଲି ସେ ସବୁ ଗୋଟେ ପଟରେ | କିନ୍ତୁ, ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ,ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ବ ନେଇଛନ୍ତି ବିଜେଡିର କର୍ମୀମାନେ । ବିଜୁ ପରିବାରର – ବିଜେଡିର ଲକ୍ଷ ଲକ୍ଷ କର୍ମୀ - ଆପଣମାନେ ବିଜେଡିର ଆତ୍ମା | ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡିକୁ। ଆପଣମାନେ ତୃଣମୂଳ ସ୍ତରରେ ବିରୋଧୀଙ୍କ ମୁକାବିଲା କରୁଛନ୍ତି ଓ ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ସେଥିପାଇଁ ଏହି ଦଳ ଲୋକଙ୍କର ବିଶ୍ବାସର ପାତ୍ର ହୋଇଛି। ବିଜେଡି କେବେ ବି ଜଣେ ଦୁଇ ଜଣଙ୍କ ଉପରେ ନିର୍ଭର କରି ନାହିଁ ଏବଂ ଭବିଷ୍ୟତରେ ବି କରିବ ନାହିଁ । ଏହା ଏକ ସାମାଜିକ ଆନ୍ଦୋଳନ । ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ। ଏହି ଆନ୍ଦୋଳନରେ ପ୍ରତ୍ୟେକ ଘରର ଭାଗିଦାରୀ ରହିବା କଥା। ଆମ ସ୍ବପ୍ନର ଓଡିଶା ଗଠନ କରିବାରେ ସହାୟକ ହୁଅନ୍ତୁ । ଆଉ ୧୨ ବର୍ଷ ପରେ ଓଡିଶା ଗଠନର ୧୦୦ ବର୍ଷ ପାଳନ କରାଯିବ। ୨୦ ବର୍ଷ ଆଗରୁ ଓଡିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ । ଆପଣମାନେ ଓ ସାରା ବିଶ୍ବ ତାହା ଜାଣିଛି ଓ ଦେଖୁଛି ।
ମୁଁ ଆହ୍ଵାନ କରୁଛି ,ଅନୁରୋଧ କରୁଛି...ଓଡିଶାର ଉନ୍ନତିରେ ଯାହାର ବିଶ୍ବାସ ଅଛି, ଓଡିଶା ମା ର ସେବା କରିବାକୁ ଚାହୁଁଛନ୍ତି , ସେମାନେ ସମସ୍ତେ ଆସନ୍ତୁ, ବହୁ ସଂଖ୍ୟାରେ ଆସନ୍ତୁ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ।
ସେ ପ୍ରଫେସନାଲ ହୁଅନ୍ତୁ...ସାମାଜିକ କର୍ମୀ ହୁଅନ୍ତୁ..... କଳାକାର ହୁଅନ୍ତୁ....କ୍ରୀଡ଼ାବିତ ହୁଅନ୍ତୁ ବା ଚାଷୀ ...ସେ ଯିଏ ବି ହୁଅନ୍ତୁ, ଯେ କୌଣସି କ୍ଷେତ୍ରରେ ଥାନ୍ତୁ | ଆସନ୍ତୁ, ବିଶେଷ କରି ଯୁବପିଢି ,ଯେଉଁମାନେ ନୂଆ ଓଡ଼ିଶାର ସ୍ଵପ୍ନ ଦେଖୁଛନ୍ତି, ସେମାନେ, ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ । ଏ ଦଳ ବିଜୁ ଜନତା ଦଳ ଓଡିଶାର ଦଳ
କାରଣ ଜାତୀୟ ଦଳର ଏଜେଣ୍ଡାରେ ଜାତୀୟ ରାଜନୀତି ହିଁ ରହିବ। ସେମାନଙ୍କ ଏଜେଣ୍ଡା ରେ ଓଡିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ଗୋଟିଏ ଆଂଚଳିକ ଦଳ ବିଜୁ ଜନତା ଦଳ ହିଁ ଓଡିଶାର ଉନ୍ନତି କରିପାରିବ।
ମୋର ବିନମ୍ର ଅନୁରୋଧ ,ମା ମାନେ ଆଗେଇ ଆସନ୍ତୁ ଓ ଦାୟିତ୍ଵ ନିଅନ୍ତୁ | ମା ମାନଙ୍କ ଆଶୀର୍ବାଦ ରହିଲେ ପଚିଶ ବର୍ଷ କଣ, ପଚାଶ ବର୍ଷ କଣ , ବିଜୁ ଜନତା ଦଳ ଶହେବର୍ଷ ବି ସେବା କରିଚାଲିବ | ଶଙ୍ଖ ଚିହ୍ନ ସବୁବେଳେ ଓଡ଼ିଆ ସ୍ୱାଭିମାନର ଜୟ ନାଦ କରିଚାଲି ଥିବ |
ବନ୍ଦେ ଉତ୍କଳ ଜନନୀ"