ଭୁବନେଶ୍ୱର : ଏଆଇଏଫ୍ଏଫ୍ ଅଧ୍ୟକ୍ଷ କଲ୍ୟାଣ ଚୌବେ, ଫିଫା ଡାଇରେକ୍ଟର ଅଫ୍ ୟୁଥ୍ ଟୁର୍ଣ୍ଣାମେଂଟ୍ସ ଜାମି ୟାର୍ଜା ଓ ଏଆଇଏଫ୍ଏଫ୍ ସେକ୍ରେଟାରୀ ଜେନେରାଲ ଡଃ ସାଜି ପ୍ରଭାକରନ୍ଙ୍କ ଉପସ୍ଥିତିରେ ଓଡିଶା ଟୁରିଜିମ୍, ହିରୋ ମୋଟୋକର୍ପ, ଏନ୍ଟିପିସି ଲିମିଟେଡ୍, ପାୱାର ଗ୍ରିଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ ଓ ୟୁନାଇଟେଡ୍ ଫସ୍ଫରସ୍ ଲିମିଟେଡ୍ (ୟୁପିଏଲ୍)କୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ପାଇଁ ଜାତୀୟ ସମର୍ଥନକାରୀ ଭାବେ ଘୋଷଣା କରାଯାଇଛି । ଏହି ଅବସରରେ ଓଡିଶା ଟୁରିଜିମ୍, ହିରୋ ମୋଟୋକର୍ପ, ଏନ୍ଟିପିସି ଲିମିଟେଡ୍ ଓ ପାୱାର ଗ୍ରିଡ୍ କର୍ପୋରେଶନ ଅଫ୍ ଇଣ୍ଡିଆର ପ୍ରତିନିଧିମାନେ ଉପସ୍ଥିତ ଥିଲେ ଏବଂ ଆସନ୍ତା ଅକ୍ଟୋବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ଦ୍ୱିବର୍ଷୀୟ ଟୁର୍ଣ୍ଣାମେଂଟ୍ ପାଇଁ ଖୁସି ବ୍ୟକ୍ତ କରିଥିଲେ ।
ଏସମ୍ପର୍କରେ ଓଡିଶା ଟୁରିଜିମ୍ର ଜଏଂଟ୍ ଡାଇରେକ୍ଟର ଟୁରିଜିମ୍ ବିଶ୍ୱଜିତ ରାଉତ୍ରାୟ କହିଛନ୍ତି, ‘ଓଡିଶା ଟୁରିଜିମ୍ ବିଶ୍ୱକୁ ଏହି ସୁନ୍ଦର ରାଜ୍ୟକୁ ସ୍ୱାଗତ କରୁଛି । ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ଭଳି ପ୍ରମୁଖ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ୍ଗୁଡିକୁ ଆୟୋଜନ କରିବା ଦ୍ୱାରା ତାହା ଆମକୁ ଆମର ବିବିଧତା ଓ ସ୍ୱତନ୍ତ୍ର ଆତିଥେୟତାକୁ ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି । ଏହା କିଶୋର ବାଳକ, ବାଳିକାମାନଙ୍କୁ ଆମ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଇଭେଂଟ୍ ଦେଖିବାର ସୁଯୋଗ ଦେଉଛି ଯାହା ସେମାନଙ୍କୁ ପ୍ରୋତ୍ସାହିତ କରିବ ।’ ସେହିପରି ହିରୋ ମୋଟୋକର୍ପ ଲିଃରେ କର୍ପୋରେଟ୍ କମ୍ୟୁନିକେଶନ ଓ ସିଏସ୍ଆର୍ ମୁଖ୍ୟ ଭରତେନ୍ଦୁ କବି କହିଛନ୍ତି, ‘ଭାରତରେ ହେବାକୁ ଥିବା ଆଗାମୀ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଏକ ସ୍ମରଣୀୟ ମୁହୂର୍ତ ହେବ ଏବଂ ହିରୋ ମୋଟୋକର୍ପ ଏହାର ଏକ ଅଂଶ ହୋଇ ଗର୍ବ ଅନୁଭବ କରୁଛି ।’ ଟୁର୍ଣ୍ଣାମେଂଟ୍ ପାଇଁ ଲୋକାଲ ଅର୍ଗାନାଇଜିଙ୍ଗ୍ କମିଟି (ଏଲ୍ଓସି)ର ଅଧ୍ୟକ୍ଷ ଶ୍ରୀଯୁକ୍ତ କଲ୍ୟାଣ କହିଛନ୍ତି, ‘ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ୍ ଆୟୋଜନ କରିବା ପ୍ରତି ନିଜର ଯୋଗଦାନ ପାଇଁ ଆମେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶକ୍ତି ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ଆର୍.କେ ସିଂହଙ୍କ ନିକଟରେ ଅତ୍ୟଧିକ କୃତଜ୍ଞ । ଆମେ ଏନ୍ଟିପିସି ଲିମିଟେଡ୍, ପାୱାର ଗ୍ରିଡ୍ କର୍ପୋରେଶନ ଅଫ୍ ଇଣ୍ଡିଆ, ୟୁପିଏଲ୍, ହିରୋ ମୋଟୋକର୍ପ ଓ ଓଡିଶା ଟୁରିଜିମ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଉଛୁ । ଆମର ସାର୍ବଜନିକ କ୍ଷେତ୍ରର ଯୁନିଟ୍ଗୁଡିକ ସର୍ବଦା କ୍ରୀଡାର ବିକାଶ ଓ ଅଭିବୃଦ୍ଧିକୁ ସମର୍ଥନ କରିଆସିଛନ୍ତି ।’
ଏନ୍ଟିପିସି ଲିଃର ନିର୍ଦ୍ଦେଶକ (ଏଚ୍ଆର୍) ଦିଲ୍ଲୀପ କୁମାର ପଟେଲ୍ କହିଛନ୍ତି, ‘୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍୍ର ଏକ ଜାତୀୟ ସମର୍ଥନକାରୀ ହେବା ଏନ୍ଟିପିସି ପାଇଁ ଏକ ଗୌରବର ବିଷୟ । ଜାତୀୟ ସ୍କ୍ୱାଡ୍ ଦେଶବ୍ୟାପୀ ପ୍ରତିଭାଶାଳୀ ମହିଳା ଫୁଟ୍ବଲ ଖେଳାଳିରେ ଭରି ରହିଛି ଏବଂ ଏନ୍ଟିପିସି ସବୁବେଳେ ମହିଳା ସଶକ୍ତିକରଣ ଏବଂ ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରୁଛି ।’ଅନ୍ୟପକ୍ଷରେ ବାଳିକାଙ୍କୁ ପ୍ରୋତ୍ସାହିତ କରିବାର ଏକ ଦୃଢ ଲକ୍ଷ୍ୟ ସହିତ ପାୱାର ଗ୍ରିଡ୍ କର୍ପୋରେଶନ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭି.କେ ସିଂହ କହିଛନ୍ତି, ‘ପାୱାର ଗ୍ରିଡ୍ ବାଳିକାମାନଙ୍କୁ ପ୍ରୋତ୍ସାହିତ କରିବାରେ ଦୃଢ ଭାବେ ବିଶ୍ୱାସ ରଖିଥାଏ ଏବଂ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଇଭେଂଟ୍ ଯାହା ସମାଜ ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚିତ କରୁଛି ।’