ଓଡିଆ ଭାଷା ଓ ଗଣମାଧ୍ୟମ ସଂପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଆମ ଓଡିଆ ଭାଷା ଦେଶରେ ୬ଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ଓଡିଆ ଭାଷାର ସମୃଦ୍ଧିରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ଆଜି ପୂର୍ବାହ୍ଣରେ ଦୈନିକ ଓଡିଆ ଖବରକାଗଜ“ସକାଳ ସାଥୀ’ର ୬ଷ୍ଠ ସ୍ୱନକ୍ଷତ୍ର ଦିବସରେ ଯୋଗଦେଇ ବିଶିଷ୍ଟ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ‘ସକାଳ ସାଥୀ’ ସମସ୍ତଙ୍କର ସାଥୀ ଭାବେ ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଜାରି ରଖି ଜନସାଧାରଣଙ୍କର ପ୍ରିୟଭାଜନ ହେଉବୋଲି କହିଥିଲେ । ଏଥି ସହିତ ସକାଳ ସାଥୀ ପରିବାର ତରଫରୁ ବିଭିନ୍ନ ସମୟରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟସେବା ଶିବିର, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଆଦି ଯେପରି ସମାଜସେବା କାର୍ଯ୍ୟକ୍ରମ କରାଯାଉଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ରବି ଦାସ ଯୋଗ ଦେଇ କହିଲେ ଯେ,ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାର କର୍ତ୍ତବ୍ୟ କରିଚାଲିଛି । ସେଥିପାଇଁ ସମାଜରେ ଗଣମାଧ୍ୟମର ସମ୍ମାନ ରହିଛି । ଏହି ସମ୍ମାନକୁଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରତ୍ୟେକ ସ୍ତରରେ ଗୁରୁତ୍ୱ ଦେବା ସହ ଓଡିଆ ଭାଷାକୁ ଗଣଭାଷା ଭାବେ ଅଭିହିତ କରି ଏହାର ସୁରକ୍ଷା, ବହୁଳ ବ୍ୟବହାର ଓ ସମ୍ବାଦ ପ୍ରକାଶନ ବେଳେ ନିର୍ଭୁଲ ଶବ୍ଦ ବ୍ୟବହାର ଓ ବାକ୍ୟଗଠନ ପ୍ରତି ଯତ୍ନବାନ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ଅର୍ଥ ସେବା ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ସଂଗ୍ରାମକେଶରୀ ସାମନ୍ତରାୟ ଯୋଗଦେଇ ଓଡିଆ ଭାଷା, ସାହିତ୍ୟର ଇତିହାସ ଓ ସାଂପ୍ରତିକ ସ୍ଥିତିରେ ଗଣମାଧ୍ୟମର ଭୂମିକା ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ,ଭୁବନେଶ୍ୱର ଶ୍ରୀ ପଠାଣି ରାଉତ ଯୋଗଦେଇ ଡିଡିଟାଲ ମିଡିଆ ଯୁଗରେ ମୋବାଇଲ ବା କମ୍ପ୍ୟୁଟର ଯୋଗେ ଶଦ୍ଦ ସଂଯୋଜନା କଲାବେଳେ ଓଡିଆ ଭାଷାର ନିର୍ଭୁଲ ବ୍ୟବହାର ପ୍ରତି ଧ୍ୟାନ ଦେବାକୁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହିତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଜରିଆରେ ସାମ୍ବାଦିକମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ । ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ଯୋଗଦେଇ କହିଲେ ଯେ, ସାମ୍ବାଦିକମାନେ ଲେଖାମାଧ୍ୟମରେ ସମାଜର ହିତ ସାଧନ ପାଇଁ ସେମାନଙ୍କର ପ୍ରଚେଷ୍ଟା ଜାରି ରଖନ୍ତୁ । ପ୍ରତ୍ୟହ ସମ୍ବାଦପତ୍ର ପଢିବା, ଲେଖିବା ଅଭ୍ୟାସ କରିବା ସମ୍ବାଦ ପ୍ରକାଶନରେ ନୂତନତ୍ୱ ଆଣିଥାଏ ବୋଲି ଶ୍ରୀମତୀ ରାୟ ପ୍ରକାଶ କରିଥିଲେ । ସକାଳ ସାଥୀ ସମ୍ବାଦପତ୍ର ପରିବାରର ମୁଖ୍ୟ ଉପଦେଷ୍ଟା ଡକ୍ଟର ଶ୍ରୀବତ୍ସ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ପୂର୍ବତଟ ରେଳପଥର ଜନସଂପର୍କ ଅଧିକାରୀ ଶ୍ରୀ ନିରାକାର ଦାଶ, ବରିଷ୍ଠ ସାମ୍ବାଦିକ ପରମେଶ୍ୱର ଦାସ, ସନ୍ଆରୋମେଟିକ୍ ର ଅଧ୍ୟକ୍ଷ ତଥା ସମାଜସେବୀ ଶ୍ରୀ ପ୍ରବୋଧ କୁମାର ବଡପଣ୍ଡାଯୋଗଦେଇ ବକ୍ତବ୍ୟ ରଖିଥିଲେ । ସକାଳସାଥୀ ଖବରକାଗଜର ସଂପାଦକ ଶ୍ରୀ ପ୍ରସନ୍ନ କୁମାର ଦାସ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶ୍ରୀ ରବୀନ୍ଦ୍ର କୁମାର ମହାପାତ୍ର ମଂଚ ପରିଚାଳନା କରିଥିଲେ ।ଅତିଥିମାନଙ୍କ ଦ୍ୱାରା ସକାଳ ସାଥୀ ସମ୍ବାଦପତ୍ରର ସ୍ୱନକ୍ଷତ୍ର ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା । ଏହି ଅବସରରେସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନଙ୍କୁ ତଥା ସକାଳ ସାଥୀ ଖବରକାଗଜର ବିଭିନ୍ନ ଜିଲ୍ଲା ଏବଂ ଅଂଚଳର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସକାଳସାଥୀ ଓ୍ୱେଲଫେୟାର ଟ୍ରଷ୍ଟର ସଭାପତି ଶ୍ରୀ ସୋମନାଥ ମହାନ୍ତି, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମିନତୀ ପାଣିଗ୍ରାହୀ, ଉପ ସଭାପତି ଶ୍ରୀ ଅନଘ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ମୁକୁନ୍ଦ କୁମାର ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ ।