ହେଡଲାଇନସ୍:

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ତାରିଖ ମାର୍ଚ୍ଚ ୩୧କୁ ଘୁଞ୍ଚାଯାଉ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୧, ୨, ୩ ଓ ୪ ନମ୍ବର ଥିବା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ତାରିଖ ସେପ୍ଟେମ୍ବର ୩୦ ତାରିଖ । ଏହା ଭିତରେ ନମ୍ବର ପ୍ଲେଟ୍ ନ ଲଗାଇଲେ ଗାଡ଼ିର ମାଲିକମାନଙ୍କୁ ମୋଟା ଅଙ୍କର ଯଥା ୫୦୦୦ ଟଙ୍କାରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଦେବାକୁ ପଡ଼ିବ ବୋଲି ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଫାଇନ୍‌ଦେବା ଭୟରେ ବହୁ ଲୋକ ଲମ୍ବା ଲାଇନ୍‌ରେ ସ୍ଲଟ୍ ବୁକିଂ ପାଇଁ ଡହଳ ବିକଳ ହେଉଛନ୍ତି । କେତେକ ହାତଗୁଞ୍ଜା ଦେଇ ଚୋରାରେ ନମ୍ବର ପ୍ଲେଟ୍ ଲଗାଇବାକୁ ମଧ୍ୟ ପଛଉ ନାହାନ୍ତି । ତେଣୁ ସାଧାରଣ ଲୋକଙ୍କର ଏହି ଅସୁବିଧାକୁ ଆଖି ଆଗରେ ରଖି ସରକାର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ତାରିଖକୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମସିହା ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ସଂକ୍ରାନ୍ତରେ ଆଜି ଏକ ଚିଠି ଲେଖି ସାଧାରଣ ଲୋକଙ୍କର ଅସୁବିଧା ଓ ଦଶହରା ଓ ଦୀପାବଳୀ ଭଳି ଗଣପର୍ବକୁ ଆଖି ଆଗରେ ରଖି ସାଧାରଣ ଲୋକଙ୍କ ପାଇଁ ଏହି ତାରିଖ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ଅନୁରୋଧ କରିଛନ୍ତି । ୧, ୨, ୩ ଓ ୪ ନମ୍ବର ପରେ ୫, ୬ ଗାଡି ନମ୍ବର ପାଇଁ ଅକ୍ଟୋବର ୩୦ତାରିଖ, ୭ ଓ ୮ ନମ୍ବର ପାଇଁ ନଭେମ୍ବର ୩୦ତାରିଖ ଓ ୯ ଏବଂ ୦ ଗାଡ଼ି ନମ୍ବର ପାଇଁ ଡିସେମ୍ବର ୩୧ ତାରିଖ ଶେଷ ତାରିଖ ରହିଛି । ଏ ସମସ୍ତ ନମ୍ବର ପାଇଁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମସିହା ଶେଷ ତାରିଖ ରଖିବାକୁ ସରକାର ପୁନର୍ବିଚାର କରିବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଅନେକ ଯାଗାରେ ଦେଖାଯାଉଛି, ଇଣ୍ଟରନେଟ୍ ନଥିବା ଯୋଗୁଁ ଗ୍ରାମାଞ୍ଚଳର ବହୁ ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିପାରୁନାହାଁନ୍ତି । ସ୍ଲଟ ବୁକିଂ କରୁଥିବା କିଛି ଲୋକ ମଧ୍ୟ ଲମ୍ବା ଲାଇନ୍ ଯୋଗୁଁ ଠେଲାପେଲାର ସମ୍ମୁଖୀନ ହୋଇ ହାତଗୁଞ୍ଜା ଦେଇ ନମ୍ବର ପ୍ଲେଟ ଲଗାଉଛନ୍ତି । ସାଧାରଣ ଲୋକଙ୍କର ଏହି ବିକଳ ଅବସ୍ଥା ଦେଖି କମ୍ପାନୀ ଦଲାଲ୍‌ମାନେ ମୋଟା ଅଙ୍କର ହାତଗୁଞ୍ଜା ନେଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଉଛନ୍ତି । ତେଣୁ ଜନସାଧାରଣଙ୍କର ଅସୁବିଧାକୁ ହୃଦୟଙ୍ଗମ କରି ସରକାର ଏହି ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଶ୍ରୀ ବେହେରା ଏହି ଚିଠିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault