ହେଡଲାଇନସ୍:

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ତର୍ଜାତୀୟ ସ୍ୱୀକୃତି ପାଇପାରିଛି : ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ନୂତନ ଭାବେ ମନ୍ତ୍ରୀପଦ ଗ୍ରହଣ କରିବା ପରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସ୍‌ ପରିଦର୍ଶନରେ ଯାଇଥିଲେ । ନୂତନ ମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା, ଯୁଗ୍ମ ରିଲିଫ୍‌ କମିଶନର ଶ୍ରୀ ପଦ୍ମନାଭ ବେହେରା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ।
ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଜେନା କହିଲେ ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆଜି ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଅନ୍ୟ ପକ୍ଷରେ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ମଧ୍ୟ ବୃଦ୍ଧି ପାଇଛି । ଫନି ଓ ୟାସ୍‌ ଭଳି ବାତ୍ୟାର ମୁକାବିଲା କ୍ଷେତ୍ରରେ, ଆଗୁଆ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇପାରିଥିଲା । ଫଳରେ ବ୍ୟାପକ କ୍ଷୟକ୍ଷତି ଓ ଜନଜୀବନହାନିକୁ ରୋକାଯାଇ ପାରିଥିଲା ।
ଏବେ ବାତ୍ୟା ଆଉ ଆଗଭଳି ଋତୁ ଅନୁଯାୟୀ ସଂଘଟିତ ନହୋଇ ବର୍ଷର ଯେ କୌଣସି ସମୟରେ ବାତ୍ୟା ଭଳି ପରିସ୍ଥିତି ଉପୁଜୁଛି । ଏହା ସହ ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ଓ ପାଣିରେ ବୁଡ଼ି ମୃତ୍ୟୁ ଭଳି ସମସ୍ୟା ଆମ ପାଇଁ ଆଜି ଆହ୍ୱାନ ପାଲଟିଛି । କେରଳ ଓ ଆସାମ ଭଳି ରାଜ୍ୟ ସାପକାମୁଡ଼ା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍‌ ଦିଆଗଲେ ଜୀବନ ବଞ୍ଚାଇହେବ । ଏଥି ପାଇଁ ବିଭାଗ ପକ୍ଷରୁ ଏକ ମୋବାଇଲ୍‌ ଆପ୍‌ ଲଞ୍ଚ କରାଯିବ । ଏଥିରୁ ରାଜ୍ୟର ପ୍ରତ୍ୟେକଟି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଥିବା ଆଣ୍ଟିଭେନମ୍‌ ଷ୍ଟକ୍‌ ବିଷୟରେ ଜାଣିହେବ । ସେହିଭଳି ପାଣିରେ ବୁଡ଼ି ମୃତ୍ୟୁକୁ ରୋକାଯିବା ପାଇଁ ପ୍ରତ୍ୟେକ ଅଞ୍ଚଳରେ କିଛି ସେ୍ୱଚ୍ଛାସେବୀଙ୍କୁ ସନ୍ତରଣ ତାଲିମ ପ୍ରଦାନ କରାଯିବ ।
ବର୍ତ୍ତମାନ ରାଜ୍ୟରେ ମୋଟ ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବାବେଳେ ନୂଆକରି ୫୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯାଉଛି । ଚିଲିକା କୂଳରେ କିଛି ସମ୍ବେଦନଶୀଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି । ରାଜ୍ୟରେ ପ୍ରଥମ କରି ସାତଭାୟା ଅଞ୍ଚଳକୁ କ୍ଲାଇମେଟ୍‌ ରିଫୁ୍ୟଜି ରିହାବିଲିଟେସନ୍‌ ପଲିସିରେ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ଏବେ ରାଜ୍ୟରେ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ଦୁଇଟି ଗ୍ରାମ ରହିଥିବାବେଳେ ଆଗକୁ ଅଧିକ ଗ୍ରାମକୁ ସୁନାମି ମୁକାବିଲା କ୍ଷେତ୍ରରେ ପ୍ରସ୍ତୁତ ରହିବାକୁ ତାଲିମ ଦିଆଯିବ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଯେ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଦେଶ ମଧ୍ୟରେ ନୁହେଁ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଉକ୍ତି ‘ପ୍ରତିଟି ଜୀବନ ମୂଲ୍ୟବାନ’କୁ ପାଥେୟ କରି ସରକାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆନ୍ତରିକତାର ସହ ନିରନ୍ତର ଭାବେ କାର୍ଯ୍ୟକରି ଆସୁଛନ୍ତି । ଫଳରେ ଶୂନ୍ୟ ମୃତୁ୍ୟହାର କ୍ଷେତ୍ରରେ ଗୁରୁତ୍ୱ ଦେବା ସହ ଜନଜୀବନହାନି ରୋକିବା ସମ୍ଭବ ହୋଇପାରୁଛି । ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମକୁ ଆହୁରି ଆଗକୁ ଯିବାକୁ ହେବ । ଏଥି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ଆମର ଲକ୍ଷ୍ୟ ସଫଳ ହେବ ।

0
0
0
s2sdefault