ଉଚିତ ଦର ଏବଂ ସ୍ଵାସ୍ଥ୍ୟ କର ପରିବେଶରେ ଲୋକଙ୍କୁ ମିଳୁଛି ସ୍ୱାଦିଷ୍ଟ ଆହାର।
ରାଉରକେଲା/ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦର ମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଉଛି। ପାଇଲଟ୍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ ‘ଉତ୍କଳ କିଚେନ୍’ ଖୋଲିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ଭୋଜନାଳୟରେ ସ୍ୱାସ୍ଥ୍ୟକର ପରିବେଶ ସହିତ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ମିଳୁଛି।
କୁଆରମୁଣ୍ଡା ବ୍ଲକ ପାଇଁ ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ‘ଉତ୍କଳ କିଚେନ’ ପରିଚାଳନା ଦାୟିତ୍ୱ ଦିଆଯାଇଛି। ୨୦୨୧ ଜାନୁଆରି ମାସରୁ ଏହି କିଚେନ୍ ଚଳାଇ ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି।
ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି।
କୁଆରମୁଣ୍ଡାରେ ଥିବା ଉତ୍କଳ କିଚେନ ପରିଚାଳନା ପାଇଁ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ ଏହି ଭୋଜନାଳୟ ଖୋଲିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।
‘‘ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗରୁ ବଡ଼ି, ପାମ୍ପଡ଼, ଆଚାର ଆଦି ପ୍ରସ୍ତୁତିରେ ସୀମିତ ରହୁଥିଲେ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ସେମାନଙ୍କୁ ବିଭିନ୍ନ ନୂଆ କାମରେ ନିୟୋଜିତ କରାଯାଉଛି। ଉତ୍କଳ କିଚେନ ପରିଚାଳନା ଏବେ ସେମାନଙ୍କ ଜୀବିକା ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି’’, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।
କୁଆରମୁଣ୍ଡା ବ୍ଲକ୍ ପରିସରରେ ଥିବା ଉତ୍କଳ କିଚେନରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ଆବଶ୍ୟକସ୍ଥଳେ କିମ୍ବା ଅର୍ଡର ଅନୁଯାୟୀ ଏସଏଚଜି ମା’ମାନେ ରାତ୍ରିଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କିଚେନ୍ ଖୋଲାରହୁଛି।
ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ ଚା’, କଫି ଓ ପକଡ଼ି ଆଦି ତିଆରି କରାଯାଉଛି।
‘‘ଆଗରୁ ଆମେ ମା’ମାନେ କେବଳ ନିଜ ପରିବାରବର୍ଗଙ୍କ ପାଇଁ ରୋଷେଇ କରୁଥିଲୁ। ହେଲେ ଏବେ ଆମେ ବିଭିନ୍ନ ବର୍ଗର ଲୋକଙ୍କୁ ଖାଇବା ଯୋଗାଉଛୁ। ଏହି କାମ କରି ଆମକୁ ଖୁସି ଲାଗୁଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମ ପରିବାର ଚଳୁଛି’’, କହନ୍ତି ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ସୁନାନୀ।
‘‘ଉତ୍କଳ କିଚେନରେ କମ୍ ମୂଲ୍ୟରେ ଏବଂ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଭଲ ଖାଇବା ମିଳୁଛି। ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗୋଟିଏ ଜାଗାରେ ମିଳୁଥିବାରୁ ମୁଁ ଏଠାରେ ନିୟମିତ ଆସି ଖାଉଛି। ତା’ଛଡ଼ା ଏସଏଚଜି ମା’ମାନଙ୍କର ବ୍ୟବହାର ମଧ୍ୟ ଭଲ’’, କହନ୍ତି କୁଆରମୁଣ୍ଡାର ଜଣେ ଯୁବକ ରାଜେନ୍ଦ୍ର ବେହେରା।
ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କିଚେନ୍ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି।
କୁଆରମୁଣ୍ଡା ପରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକର ସଦରମହକୁମାରେ ଉତ୍କଳ କିଚେନ ଖୋଲିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି। ଏହି ୧୭ଟି ଭୋଜନାଳୟ ଚାଲିଲେ ୧୫୦ରୁ ଅଧିକ ମହିଳାଙ୍କ ପରିବାର ସିଧାସଳଖ ଭାବେ ଜୀବିକା ପାଇପାରିବେ। ସେହିଭଳି ଏହି କାର୍ଯ୍ୟକ୍ରମ ଫଳରେ ପ୍ରତିଦିନ ୨ ହଜାରରୁ ୨୫୦୦ ବ୍ୟକ୍ତି ଭୋଜନ କରିବାର ସୁବିଧା ପାଇପାରିବେ।