ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁୃ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍) ଏହାର ଲାଇସେନ୍ସ ଅଂଚଳରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ଗତ ଆର୍ଥିକ ବର୍ଷରେ ଏହାର ନେଟ୍ୱର୍କରେ ଉନ୍ନତୀକରଣ ଓ ଭିତିଭୂମି ନବୀକରଣ ଜରିଆରେ ଏହାର ସ୍ଥିତିକୁ ସୁଦୃଢ଼ କରିପାରିଛି । ବିଦ୍ୟୁତ ବିତରଣର ସାମଗ୍ରିକ ଦୃଶ୍ୟପଟ୍ଟରେ ଉନ୍ନତି ଆଣିବା ପାଇଁ ଅଭିନବ ପ୍ର୍ରଯୁକ୍ତି ଓ ଉତମ ଗ୍ରାହକ ସେବା ଉପରେ କଂପାନି ଗୁରୁତ୍ୱାରୋପ କରୁଛି ।
ଏହାର ନେଟୱର୍କକୁ ଦୃଢ଼ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ୧୦୦ ସର୍କିଟ୍ କିଲୋମିଟର (ସିକେଏମ୍)ରୁ ଅଧିକ ଉପରେ ଥିବା ୩୩ କେଭି ବିଦ୍ୟୁତ ତାର ଓ ୧୧୦୦ ସିକେଏମ୍ରୁ ଅଧିକ ୧୧ କେଭି ତାରରେ ଉନ୍ନତି ଅଣାଯାଇଛି ଓ ପରିବର୍ତନ କରାଯାଇଛି । ବିଭିନ୍ନ ଅଂଚଳରେ ଯୋଗାଣ ମାନରେ ଉନ୍ନତି ଆଣିବା ଲାଗି ୧୦୦୦ରୁ ଅଧିକ ବିତରଣ ସବ୍-ଷ୍ଟେସନ (ଡିଏସ୍ଏସ୍)ର ନବୀକରଣ କରାଯାଇଛି । କଂପାନି ପକ୍ଷରୁ ପ୍ରାୟ ୧୦,୯୦୦ ଖୁଂଟ ସୁଦୃଢ଼ୀକରଣ ଓ ୩୭,୮୦୦ ଖୁଂଟର କଙ୍କ୍ରିଟ କରାଯିବା ବ୍ୟତୀତ ଏହାର ନେଟୱର୍କରେ ୪୨,୭୪୩ ନୂଆ ଏଲ୍ଟି ଓ ଏଚ୍ଟି ଖୁଂଟ ଯୋଡ଼ାଯାଇଛି । ଭିତିଭୂମିରେ ଉନ୍ନତୀକରଣ ଓ ସୁଦୃଢ଼ୀକରଣ ବ୍ୟତୀତ, ଟିପିସିଓଡିଏଲ୍ ପକ୍ଷରୁ ନିରାପତା ଉପରେ ଗୁରୁତ୍ୱକୁ ନିଶ୍ଚିତ କରାଯାଇଛି । ହାତୀ ଉପଦ୍ରୁତ ଅଂଚଳରେ ୧୦୦ ଡିଏସ୍ଏସ୍ ସହିତ ୧୨୦୦ରୁ ଅଧିକ ଖୋଲା ଡିଏସ୍ଏସ୍ରେ ବାଡ଼ ଦିଆଯାଇଛି ।
ଉପକରଣ ଓ ନେଟ୍ୱର୍କ ଭିତିଭୂମିର ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ଉତ୍ସାହଜନକ ଫଳ ପ୍ରଦାନ କରିଛି । ଉପକରଣର ଜୀବନକାଳ ଚିହ୍ନଟ କରିବା ଲାଗି ଥର୍ମୋଗ୍ରାଫି ଓ ଡିଜଲ୍ଭଡ୍ ଗ୍ୟାସ ଆନାଲିସିସ୍ ଭଳି ସ୍ଥିତି ଭିତିକ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ କଂପାନି ଗ୍ରହଣ କରିଛି ଓ ଠିକ୍ ସମୟରେ ରକ୍ଷଣାବେକ୍ଷଣ କରାଯାଇଛି । ବର୍ଷକ ପୂର୍ବେ ବିଭ୍ରାଟ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୩ କେଭିରେ ବିଭ୍ରାଟରେ ୬୪ ପ୍ରତିଶତ ଓ ୧୧ କେଭି ବିଭ୍ରାଟରେ ୩୭% ହ୍ରାସ କରିବା ସଫଳତା ମିଳିପାରିଛି ।
ବିିଦ୍ୟୁତ ଯୋଗାଣ ସମ୍ପର୍କିତ ସେବାକୁ ଅଧିକ ଗ୍ରାହକ ମିତବ୍ୟୟୀ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଗତ ଆର୍ଥିକ ବର୍ଷରେ ବହୁ ସଂଖ୍ୟକ ଅଭିଯାନ ଗ୍ରହଣ କରାଯାଇଛି । ଢେଙ୍କାନାଳ, ପାରାଦୀପ, ସାଲେପୁର ଓ ଜଗତସିଂହପୁର ଭଳି ସ୍ଥାନରେ ନୂତନ ଗ୍ରାହକ ସେବା କେନ୍ଦ୍ର ଖୋଲିବା ସହ କଂପାନି ଏହାର ମୋଟ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟାକୁ ୧୪ ପର୍ଯ୍ୟନ୍ତ ବଢ଼ାଇଛି । ଗାଓଁ ଚଲୋ ଅଭିଯାନରେ ବିଭିନ୍ନ ଗ୍ରାମରେ ୬୬୦ ରୁ ଅଧିକ ଶିବିର ଆୟୋଜନ କରି କଂପାନି ଗ୍ରାମୀଣ ଗ୍ରାହକଙ୍କ ନିକଟରେ ପହଂଚିପାରିଛି । ଅଭିଯୋଗ କରିବା ଓ ବିଲ୍ ପେମେଂଟ୍କୁ ସହଜ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଡିଜିଟାଲ୍ ପ୍ଲାଟଫର୍ମ ଉପରେ ଗୁରୁତ୍ୱ ଦିଆଯାଇଛି ଓ ବିଭିନ୍ନ ପ୍ରକାର ସେବା ଯଥା ବିଲ୍ ପଇଠ କରିବା, ନୂଆ ସଂଯୋଗ, ଅଭିଯୋଗ ଇତ୍ୟାଦି ପାଇଁ ଏକ ଡିଜିଟାଲ୍ ସମାଧାନ ଭାବେ ଟିପିସିଓଡିଏଲ୍ ମିତ୍ର ଆପ୍ର ପ୍ରସାର କରାଯାଇଛି । ଡିଜିଟାଲ୍ ପେମେଂଟ୍ର ପ୍ରସାର କରିବା ଲାଗି କଂପାନି ପକ୍ଷରୁ ସଠିକ୍ ସମୟରେ ବିଲ୍ ପଇଠ ଉପରେ ୨% ରିହାତି ଦିଆଯାଉଛି ଏବଂ ନିର୍ଧାରିତ ତାରିଖ ମଧ୍ୟରେ ଅନଲାଇନ୍ରେ ବିଲ୍ ପଇଠ କରୁଥିବା ଗ୍ରାହକମାନଙ୍କ ଲାଗି ପେ ଆଣ୍ଡ୍ ୱିନ୍ ସ୍କିମ୍ ଚାଲୁ ରଖାଯାଇଛି ।
ଏହି ଅବସରରେ ଟିପିସିଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଏମ୍ ସେନବାଗମ କହିଛନ୍ତି ଯେ, “ଓଡ଼ିଶାରେ ଆମେ ଆଉ ଏକ ସଫଳ ବିତରଣ ସଂସ୍କାର କାହାଣୀ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ଗତ ଆର୍ଥିକ ବର୍ଷରେ ଆମେ ସଠିକ୍ ଦିଗରେ ଅଗ୍ରସର ହୋଇଛୁ । ସବୁ ନବୀକରଣ, ନେଟ୍ୱର୍କ ଉନ୍ନତି ଓ ଆଧୁନିକ ଫଳ-କୈନ୍ଦ୍ରୀକ ପ୍ରଯୁକ୍ତିର ବ୍ୟବହାର ସହିତ ଟିପିସିଓଡିଏଲ୍ର ବିତରଣ ଭିତିଭୂମି ବହୁତ ଭଲ ଆକାର ନେଇଛି । ଶ୍ରେଷ୍ଠ ସେବା ଓ ସବୁଠୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହିତ ଆମେ ଆମ କାର୍ଯ୍ୟ କ୍ଷେତ୍ରର ଅନ୍ୟାନ୍ୟ ବିଷୟରେ ପ୍ରଯୁକ୍ତି ଜନିତ ଉନ୍ନତୀକରଣ ଉପରେ କାର୍ଯ୍ୟ କରୁଛୁ ।’’
ରାଜ୍ୟ
ଟିପିସିଓଡିଏଲ୍ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁଦୃଢ଼ କରିବା ପାଇଁ ନେଟ୍ୱର୍କରେ ଉନ୍ନତି, ପ୍ରଯୁକ୍ତି, ଗ୍ରାହକ ସେବା ଉପରେ ଗୁରୁତ୍ୱ
- Hits: 632