ରାଲିକରି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କଲେ ସୁଲୋଚନା
ଭୁବନେଶ୍ଵର: ବି.ଏମ୍.ସି ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାରର ସେତିକି ଜୋରଦାର ହେଉଛି | ନିଜ ସପକ୍ଷକୁ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀ|। ଆଜି ପ୍ରଚାର ସମୟରେ ଲୋକଙ୍କୁ ଭୋଟ ଭିକ୍ଷା କଲାବେଳେ ପଖାଳ ଦିବସକୁ ପ୍ରଚାରର ଅଂଶ ବିଶେଷ କରିବାକୁ ଭୁଲିନାହାନ୍ତି ବି.ଏମ୍.ସିର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ପ୍ରଚାର ଭିତରେ ପଖାଳକୁ ସାମିଲ କରି ମହିଳାଙ୍କ ଗହଣରେ ପଖାଳ ଦିବସ ପାଳି ସାଧାରଣ ଲୋକଙ୍କର ପ୍ରିୟ ଭାଜନ ହୋଇଥିଲେ ଶ୍ରୀମତୀ ଦାସ । ବରମୁଣ୍ଡା ତ୍ରିଶକ୍ତି ମହିଳା ପରିଷଦର ସଦସ୍ୟା ଶ୍ରୀମତୀ ସଂଯୁକ୍ତା ଭୂତିଆଙ୍କ ନିମନ୍ତ୍ରଣ କ୍ରମେ ମହାସଂଘର ଭଉଣୀ ମାନଙ୍କ ସହ ଶ୍ରୀମତୀ ଦାସ ପଖାଳ ଖାଇ ରାଜଧାନବାସୀଙ୍କୁ ଏକ ନୁଆ ବାର୍ତ୍ତା ଦେଇଥିଲେ ।
ପ୍ରଭାତରେ ବୁଦ୍ଧ ପାର୍କରେ ବୁଦ୍ଧିଜୀବି ମାନଙ୍କ ସହ ଆଲୋଚନା କରି ଆଗାମୀ ବି.ଏମ୍.ସି ନିର୍ବାଚନରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦର ଭୁବନେଶ୍ୱର ଗଢିବାର ଯେଉଁ ଅଭିପ୍ରାୟ ରହିଛି ସେଥିପାଇଁ ମାର୍ଚ୍ଚ ୨୪ ତାରିଖ ଦିନ ବିଜେଡି ସପକ୍ଷରେ ମତଦାନ ଦେବାକୁ ଅନୁରୋଧ କରିଥିଲେ ।
ଦିନର ପ୍ରଚଣ୍ଡ ଖରା ଓ ପ୍ରଚାରର ଉଷ୍ମତା ଭିତରେ ଶୋଭାଯାତ୍ରା ଗୋଟିକ ପରେ ଗୋଟଏ ୱାର୍ଡ ଅତିକ୍ରମ କରିଥିଲା । ଦିନ ପ୍ରାୟ ୮ଟା ବେଳେ ୱାର୍ଡ ନମ୍ୱର ୫୪ର ପୁନାମା ଗେଟ ଠାରୁ ଏକ ବିଶାଳ ଶୋଭାଯାତ୍ରରେ ବାହାରି ଶ୍ରୀମତୀ ଦାସ ନିଜ ସମର୍ଥକ, ସ୍ଥାନୀୟ ଜନତା, ବିଭିନ୍ନ ଯୁବସଙ୍ଘର କର୍ମକର୍ତ୍ତା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଗହଣରେ ବଢେଇବାଙ୍କ ଛକ ଆଡ଼କୁ ଆଗେଇଥିଲେ । ରାସ୍ତାରେ ସ୍ଥାନୀୟ ଜନତା ମାନଙ୍କ ସହ ଭେଟି ସହଯୋଗ ଓ ଆଶିର୍ବାଦ କାମନା କରିଥିଲେ ।
ବଢ଼େଇବାଙ୍କ ଛକରୁ ମାଉସୀ ମା' ଛକ ଦେଇ ଶିଶୁଭବନ ଛକ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳ, ପଳାସପଲ୍ଲୀ, ଭୀମପୁର, ଗଙ୍ଗ ନଗର, ଫାର୍ମ ଗେଟ୍, ସିରିପୁର, ଡେଲଟା ଛକ ଓ ପରିଶେଷରେ କୃଷି ବିହାର ଠାରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମତୀ ଦାସ ପାତ୍ରପଡ଼ାରେ ପହଞ୍ଚି ପୁନଃ ଶୋଭାଯାତ୍ରା ପ୍ରାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ପାତ୍ରପଡାଠାରୁ ଭଗବାନପୁର ଦେଇ ୱାର୍ଡ ନମ୍ବର ୫୪, ୫୩, ୫୨, ୫୧, ୪୮ ଓ ୬୫ର ବିଭିନ୍ନ ଅଞ୍ଚଳ ଅତିକ୍ରମ କରି ବରମୁଣ୍ଡା ଠାରେ ଶେଷ ହୋଇଥିଲା ।
ଏହାପରେ ଶ୍ରୀମତୀ ଦାସ ବିଜେଡି ଅପ୍ରବାସୀ ସାମ୍ମୁଖ୍ୟ ଦ୍ଵାରା ଆୟୋଜିତ ଏକ ବିଶାଳ ସଭାରେ ଯୋଗ ଦେଇ ନିର୍ବାଚନରେ ବିଜେଡିକୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଫଳସ୍ଵରୁପ ଉପସ୍ଥିତ ଜନତା ମଧ୍ୟ ପୁର୍ଣ୍ଣ ସମର୍ଥନ ଜ୍ଞାପନ କରିଥିଲେ । ଏହି ସଭାରେ ଓଡ଼ିଆ ଜନ ଜୀବନର ପ୍ରିୟ ଖାଦ୍ୟ ପଖାଳର ଓଡ଼ିଶାବାସୀଙ୍କ ପ୍ରଗତିରେ ମହତ୍ତ୍ଵ ପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ଲୁଣ ଲଙ୍କା ଆମ୍ବୁଲରେ ଅର୍ଥନୀତି ତିଆରି ଥିବା ଓଡିଆ, ପ୍ରାକୃତିକ ବିପର୍ଯ୍ୟୟ ଭଳି ଆହ୍ବାନକୁ ମୁକାବିଲା କରିବାରେ ସମର୍ଥ ହୋଇଛି ବୋଲି ଶ୍ରୀମତୀ ଦାସ ବକ୍ତବ୍ୟରେ କହିଥିଲେ ।
ଆଜି ଅପରାହ୍ନରେ ଶ୍ରୀମତୀ ଦାସଙ୍କ ଶୋଭାଯାତ୍ରା ଲକ୍ଷ୍ମୀସାଗରର ମେଲଣ ପଡିଆ ଠାରୁ ଆରମ୍ଭ ହୋଇ ଚିନ୍ତାମଣିଶ୍ୱର ଯାଏଁ ଚାଲିଥିଲା । ଏହି ଶୋଭାଯାତ୍ରାରେ ରାଜଧାନବାସୀଙ୍କର ସେବା କରିବାକୁ ସୁଯୋଗ ଦେବାପାଇଁ ସେମାନଙ୍କଠାରୁ ସହଯୋଗ ଆଶା କରିଥିଲେ । ପରବର୍ତ୍ତୀ ସମୟରେ ଏହି ଶୋଭାଯାତ୍ରା କଟକ ରୋଡ ସ୍ଥିତ ହଠାତ୍ କଲୋନୀ ଠାରେ ପହଞ୍ଚି ରସୁଲଗଡ ଜି.ଜି.ପି କଲୋନୀ ଅଭିମୁଖେ ବାହାରିଥିଲା । ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ସହ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଶ୍ରୀମତୀ ଦାସ ୱାର୍ଡ ନମ୍ୱର ୩୨ର ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ଠାରେ ଅନୁଷ୍ଠିତ ଏକ ସଭାରେ ଯୋଗଦେଇଥିଲେ ଏବଂ ସ୍ଥାନୀୟ ଜନତା ବିଜେଡି ପ୍ରତି ବିପୁଳ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସେଠାରୁ ବାହାରି ଶ୍ରୀମତୀ ଦାସଙ୍କ ଶୋଭାଯାତ୍ରା ପୁଷ୍ପକ ହୋଟେଲ ନିକଟସ୍ଥ ରିଫୁଜି କଲୋନୀ ଠାରେ ପହଞ୍ଚିଥିଲା ଏବଂ ସେଠାକାର ସେ ସ୍ଥାନୀୟ ଜନତାଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ରବିବାର ଦିନର ପ୍ରଚାର ବନ୍ଦ କରିଥିଲେ ।