କିଟ୍‍କୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, : ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏଆଇସିଟିଇ ଲୀଳାବତୀ ସମ୍ମାନ ୨୦୨୧-୨୨ ପ୍ରଦାନ କରାଯାଇଛି । ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନଧି ଦଳ ଏହି ସମ୍ମାନ ଗ୍ରହଣ କରିଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଭର୍ଚୁଆଲ୍‍ ଉପସ୍ଥିତିରେ ଏଆଇସିଟିଇ ଅଧ୍ୟକ୍ଷ ଅନୀଲ ଡି. ସହସ୍ରବୁଦ୍ଧେଙ୍କଠାରୁ ପ୍ରଫେସର ସସ୍ମିତା ସାମନ୍ତ ଏହି ସମ୍ମାନ ଗ୍ରହଣ କରିଥିଲେ । ପୁରସ୍କାର ବାବଦକୁ ନଗଦ ୧ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ମହିଳା ସଶକ୍ତିକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏହା ଏକ ପ୍ରୟାସ ହୋଇଥିବା ବେଳେ ‘ଆଇନ୍‍ ସଚେତନତା’ ଉପବିଷୟବସ୍ତୁ ଉପରେ କିଟ୍‍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପ୍ରତି ସାମ୍ୟତା ଓ ନିଷ୍ପକ୍ଷତା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ୮ଟି ବିଭିନ୍ନ ଉପ ବିଷୟବସ୍ତୁ ଉପରେ ଏଆଇସିଟିଇ ଲୀଳାବତୀ ସମ୍ମାନ ପ୍ରଦାନ କରାଯାଇଆସୁଛି । ଏଥି ମଧ୍ୟରେ ମହିଳା ଓ କିଶୋରାବସ୍ଥା ସ୍ୱାସ୍ଥ୍ୟ, ଆତ୍ମରକ୍ଷା, ପରିବେଶ, ସ୍ୱାସ୍ଥ୍ୟ ଓ ପରିମଳ, ସାକ୍ଷରତା ଓ ଜୀବନ କୌଶଳ, ମହିଳା ଔଗ୍ୟୋଗିକତା, ଆଇନ ସଚେତନତା, ମହିଳାଙ୍କ ପାଇଁ ପ୍ରଯୁକ୍ତି ଏବଂ ମହିଳା ଉଦ୍ଭାବକ ଆଦି ୮ଟି ଉପ ବିଷୟବସ୍ତୁ ରହିଛି । ତନ୍ମଧ୍ୟରୁ ସୁଖ ଓ ଶାନ୍ତି ସହ ଏକ ନ୍ୟାୟ ସଙ୍ଗତ ସମାଜ ଗଠନ ଦିଗରେ ଥିବା ଅବଦାନ ସକାଶେ କିଟ୍‍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଆଇସିଟିଇ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରତି ଉପ ବିଷୟବସ୍ତୁ ପାଇଁ ପ୍ରତି ୫ଶହରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅନୁଷ୍ଠାନ ମଧ୍ୟରୁ ଗୋଟିକୁ ବିଜୟୀ ଓ ଅନ୍ୟ ଦୁଇ ଅନୁଷ୍ଠାନକୁ ଉପବିଜେତାଙ୍କୁ ନାମ ସୁପାରିଶ କରିଥିଲେ । ବିଶେଷଜ୍ଞ କମିଟିର ସୁପାରିଶ ଅନୁସାରେ ଏଆଇସିଟିଇ ବିଜେତା ଓ ଉପବିଜେତାଙ୍କ ନାମ ଘୋଷଣା କରିଥିଲେ । ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏଆଇସିଟିଇକୁ ଧନ୍ୟବାଦ ଜଣାଇବା ସହ କିଟ୍‍ କୁଳପତି ଓ କିଟ୍‍ର ୪ ଜଣିଆ ପ୍ରତିନିଧି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍‍ ଆରମ୍ଭରୁ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ଏହି ସମ୍ମାନ କିଟରେ କାର୍ଯ୍ୟରତ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ମହିଳା କର୍ମଚାରୀଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

0
0
0
s2sdefault