ପୌରପାଳିକା କାର୍ଯ୍ୟାଳୟରେ ଦୁର୍ନୀତିର ଗନ୍ଧ ଭଣଭଣ
ଲୋକଙ୍କ ଦାବି " ଅଭିଯୋଗ ଉପରେ ଟିକେ ନିଘା କରନ୍ତୁ ଜିଲ୍ଲା ଓ ପୌର ପ୍ରଶାସନ
ସୁନ୍ଦରଗଡ:- ବିଗତ ଦୁଇବର୍ଷରୁ ଅଧିକ ସମୟ ଧରି ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ନିର୍ମାଣ କାମ ଗୁଡିକରେ ବ୍ୟାପକ ମାତ୍ରାରେ ଘୋଟାଲା ହୋଇଥିବା ଖବର ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି | ଜିଲ୍ଲା ପ୍ରଶାସନ ପକ୍ଷରୁ ଖବର ସମ୍ପର୍କରେ କୌଣସି ପ୍ରକାର ଗୁରୁତ୍ୱ ଦେଉନଥିବା କାରଣରୁ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନ ଆଙ୍କିହୋଇଛି ଯେ ଜିଲ୍ଲାପାଳଙ୍କ କାନରେ ଏ ଅନିୟମିତତା ଅଭିଯୋଗ ପହଁଚୁଛି ନ ନାହିଁ |
ପୌରପାଳିକା ଅଧୀନରେ ନିର୍ମାଣ ଠିକାକାର୍ଯ୍ୟ କରିଥିବା ଠିକାଦାରଙ୍କ ପକ୍ଷରୁ ଯାହା ଜଣାପଡିଛି ଯେ ପୌରପାଳିକା କାର୍ଯ୍ୟାଳୟ ପକ୍ଷରୁ ବିଗତ ତିନିବର୍ଷ ଭିତରେ ପାଖାପାଖି ୫ କୋଟି ଟଙ୍କାର ନିର୍ମାଣ ହୋଇଥିବା ସିସି ରୋଡ଼ ,ଡ୍ରେନ , ହାଇମାକ୍ସ ଲାଇଟ ଭଳି ଅନେକ ଠିକାକାର୍ଯ୍ୟରେ ବ୍ୟାପକ ଘୋଟଲା କରି ବିନା କୌଣସି ଗଣମାଧ୍ୟମ ପତ୍ରିକାରେ ବିଜ୍ଞାପନ କିମ୍ବା କୌଣସି ଟେଣ୍ଡର ନୋଟିସ ନକରି ଅଧିକାରୀ ମାନେ କାମ ବଣ୍ଟନ କରିଛନ୍ତି ଯାହା ସରକାରୀ ମାର୍ଗଦର୍ଶିକା ଉପରେ ନିୟମ ଉଲଂଘନର ନଗ୍ନ ଉଦାହରଣ କହିଲେ ହୁଏତ ଅଚୁକ୍ତି ହେବନାହିଁ | ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ବିଗତ ପାଞ୍ଚବର୍ଷ ଭିତରେ ପୌରପାଳିକା କାର୍ଯ୍ୟାଳୟ ପକ୍ଷରୁ ଟେଣ୍ଡର ହୋଇଥିବା ଫାଇଲ ଗୁଡିକୁ ତର୍ଜମା କଲେ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଠିକ ଭାବରେ ବୁଝିପାରିବ ଯେ ଜଣେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଉଁ ହିସାବରେ ସହକାରୀ ଯନ୍ତ୍ରୀଙ୍କ ସନ୍ତକ ମାରି ନିଜକୁ ସହକାରୀ ଯନ୍ତ୍ରୀର ଆଖ୍ୟା ମଧ୍ୟ ଦେଇ ଚାଲିଥିଲେ ବୋଲି | ସୂଚନା ମୁତାବକ ପୂର୍ବତନ ପୌରପାଳିକା କାର୍ଯ୍ୟ ନିର୍ଵାହି ଅଧିକାରୀ ଅଶୋକ କୁମାର ମିଶ୍ର ଏବଂ କନିଷ୍ଠ ସହକାରୀ ଯନ୍ତ୍ରୀ ଜୟନ୍ତ ନାରାୟଣ ପଣ୍ଡାଙ୍କ ନାମରେ ଠିକାଦାରଙ୍କ ପକ୍ଷରୁ ଦୁର୍ନୀତିର ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ଟାଉନ ଥାନାରେ ଦୁର୍ନୀତି ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି | ଯାହାଫଳରେ ଜୟନ୍ତ ପଣ୍ଡାଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା |କୋର୍ଟରେ ବେଲ ନମିଳିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ଅପରପକ୍ଷରେ ପୂର୍ବତନ ଅଧିକାରୀ ମିଶ୍ରଙ୍କୁ କୁଆଡ଼େ ପୋଲିସ ଖୋଜାଖୋଜି ଚଳାଇଛି ବୋଲି ଜଣାପଡ଼ିଛି | ସବୁଠାରୁ ଆଚମ୍ବିତ କଥାଟି ହେଉଛି ଯେ ଦୁର୍ନୀତିରେ ସାମିଲଥିବା ଦୁଇ ଅଧିକାରୀ ଯଥା କାର୍ଯ୍ୟରତ ଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଏବଂ ସେହି ବିଭାଗର ମହିଳା କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମଧ୍ୟ ମଲା ମଲା ଅଭିଯୋଗ ରହିଥିବା ସତ୍ତ୍ୱେ ତାଙ୍କ ନାମରେ ପ୍ରଶାସନ ପକ୍ଷରୁ କାହିଁକି ଅଭିଯୋଗ ହୋଇନାହିଁ କିମ୍ବା ଠିକାଦାର ମାନଙ୍କ ପକ୍ଷରୁ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ସନ୍ଦେହ ସୃଷ୍ଟି କରୁଛି | ମହିଳା ଯନ୍ତ୍ରୀ ଜଣକ ଗୋଟିଏ ସରକାରୀ ଅନାବାଦୀ ଜାଗା ଅକ୍ତିଆର କରି ଘର ତିଆରି କରିଛନ୍ତି ଏବଂ ନିଜର ସୁବିଧା ପାଇଁ କାର୍ଯ୍ୟାଳୟ ଟଙ୍କାରୁ ବିନା ଟେଣ୍ଡରରେ ମୁଖ୍ୟ ରାସ୍ତାରୁ ନିଜକୋଠା ଯାଏଁ ପିଚୁରାସ୍ତା ନିର୍ମାଣ କରାଇବା ସହ ତୁରନ୍ତ ବିଲ ଉଠାଇବା ଅଭିଯୋଗ ଏବେ ଚର୍ଚ୍ଚାର ଖୋରାକ ସାଜିଛି | କିନ୍ତୁ ସେହି ସମୟରୁ ଅନେକ ଠିକାଦାର ସେହିପରି ସହରର କୋଣ ଅନୁକୋଣରେ ଛୋଟମୋଟ ନିର୍ମାଣକାର୍ଯ୍ୟ କରିଥିଲେ ମଧ୍ୟ କନିଷ୍ଠ ଯନ୍ତ୍ରୀ କେଉଁମନ୍ଦ ଉଦେଶ୍ୟରଖି ଉପରିସ୍ଥ ଅଧିକାରୀ ମାନଙ୍କ ସହ ସାଲିସରେ ବିଲ କାଗଜପତ୍ର ନକରି ହଇରାଣ କରାଇବା ଘଟଣା ଏବେ ସହରରେ ଚର୍ଚ୍ଚାର ପ୍ରମୁଖପ୍ରସଙ୍ଗ ହୋଇଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛିଯେ ପୂର୍ବତନ ଅଧିକାରୀ ମିଶ୍ର ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ବେପାରୀ ଠାରୁ ନଗଦ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ୩୧ ଡିସେମ୍ବର ୨୦୨୦ ତାରିଖରେ ଛନ୍ଦି ହେବାପରେ ଆଉଜଣେ ଅଧିକାରୀ ଯୋଗ ଦେଇଥିଲେ ସେ ମଧ୍ୟ ପାଖାପାଖି ୬ ମାସ କାର୍ଯ୍ୟରତ ଥିଲେ | ତାଙ୍କ ସମୟରେ ମଧ୍ୟ ଅନେକ ଟେଣ୍ଡର ହେରଫେର କରିଥିବା ଠିକାଦାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି | ସେହିପରି ସରକାରୀ ତହବିଲରୁ ସରକାରୀ ବାସ ଭବନ ପାଇଁ କିଣା ହୋଇଥିବା ଘରୋଇ ଉପକରଣ ଯଥା ଏସି, ଗୋଡ଼ ରେଜ, ଟେବୁଲ ଚୌକି ,ଫ୍ୟାନ ,କୁଳର ,ଶାଗୁଆନ ପଲଙ୍କ ଗୁଡିକୁ ରାତିଅଧିଆ ନେଇକି ଫେରାର ହୋଇଯିବା ଭଳି ଦୁର୍ନୀତି ଅଭିଯୋଗ ରହିଛି | ବିଭିନ୍ନ ସଭା ସମିତି ନକରି ଖର୍ଚ୍ଚ ଦେଖେଇବା ଭଳି ଅନେକ ସଙ୍ଗୀନ ଅଭିଯୋଗ ତାଙ୍କ ନାମରେ ରହିଛି ଯାହା ସ୍ୱତନ୍ତ୍ର ତଦନ୍ତ ସାପେକ୍ଷ ବୋଲି ବିଭିନ୍ନ ସଚେତନ ନାଗରିକ ମାନେ ମତ ପ୍ରକାଶ କରିଛନ୍ତି | ସେହିପରି ବର୍ତ୍ତମାନର କାର୍ଯ୍ୟରତ ପୌରପାଳିକା ଅଧିକାରୀ ମଧ୍ୟ ଯୋଗଦେବା ପରଠାରୁ ଜନସାଧାରଣ ଉଦ୍ଧିଷ୍ଟ ନିମନ୍ତେ ବ୍ୟବହୃତ ହେଉଥିବା ମସାତେଲ, ଗାମାକସିନ , ଏବଂ ସହରର ସୌନ୍ଦର୍ଯ୍ୟ କରଣପାଇଁ ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ କିଣାରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର କରିଥିବା ସେହି କାର୍ଯ୍ୟାଳୟ ଠିକାଦାର ମାନେ ଗୁରୁତ୍ତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି ଯାହା ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭିଜିଲାନ୍ସ ତଦନ୍ତ କରାଗଲେ ଏହି କାର୍ଯ୍ୟାଳୟ ତରଫରୁ ବିଗତ ୫ବର୍ଷ ଭିତରେ ପାଖାପାଖି ୨୦କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗର ପର୍ଦାଫାସ ହୋଇ ପାରିବ ବୋଲି ଜିଲ୍ଲାର ବରିଷ୍ଟ ନାଗରିକ ମଞ୍ଚ ଓ ଜନସାଧାରଣରେ ମତପ୍ରକାଶ ପାଇଛି |