ବ୍ଲକ ପ୍ରବେଶ ପଥ ପାଲଟିଛି ଏନଏଚ ବିଭାଗର ଆବର୍ଜନା କୁଣ୍ଡ
ବୌଦ୍ଧ(ସିମୁନ୍ ନାଏକ) : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ | ସେହି ଢଙ୍ଗରେ ହରଭଂଗା ବ୍ଲକ ସ୍ୱଚ୍ଛତା ଅଭିଯାନ କେମିତି ଜାରି ରଖିଛି ତାହା ପ୍ରମାଣିତ ହୋଇ ଯାଉଛି ଏହି ବ୍ଲକର କାର୍ଯ୍ୟାଳୟ ଫାଟକ ନିକଟରୁ | ପ୍ରଧାନ ମନ୍ତ୍ରୀ ଦେଇଥିବା ସ୍ୱଚ୍ଛ ଭାରତ ମିଶନର ଆହ୍ୱାନ ପ୍ରତି ସମଗ୍ର ଦେଶର ପୁର ଠାରୁ ପଲ୍ଲୀ ଯାଏଁ ବିପୁଳ ଜନସମର୍ଥନ ହାସଲ କରିବା ସହିତ ବିଭିନ୍ନ ପ୍ରାନ୍ତରେ ଥିବା ସରକାରୀ ଓ ବେସରକାରୀ ଦପ୍ତର ଗୁଡିକରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମାନେ ସ୍ୱେଚ୍ଛାକୃତ ଭାବେ ସଫେଇ ଅଭିଯାନ ରେ ସାମିଲ ହେବା ଭଳି ପ୍ରେରଣା ଦାୟକ ନଜିର ଦେଖିବାକୁ ମିଳୁଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର ଯୋଜନା ର ସୁପରିଚାଳନା କରୁଥିବା ବୌଦ୍ଧ ଜିଲ୍ଲାର ଖୋଦ ହରଭଙ୍ଗା ପଂଚାୟତ ସମିତି କାର୍ଯ୍ୟଳୟ ପରିସରର ପ୍ରବେଶ ପଥ ସମ୍ପ୍ରତି ଅଘୋଷିତ ଡମ୍ପିଂୟାର୍ଡ ପାଲଟିଥିବା ଭଳି ଅଭାବନିୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ଏନ୍ଏଚ୍ କର୍ତୁପକ୍ଷଙ୍କ ଦ୍ୱାରା ୫୭ ନଂ ଜାତୀୟ ରାଜପଥ କଡରେ ଥିବା ଚାରିଛକ ବଜାର ର ବର୍ଜ୍ୟପାଣି ନିଷ୍କାସନ ପାଇଁ କିଛି ଦିନ ତଳେ ନିର୍ମାଣ ହୋଇଥିବା ଡ୍ରେନ ଟି ବ୍ଲକର ପ୍ରବେଶ ପଥ ପାର୍ଶ୍ୱରେ ଛାଡି ଦିଆଯାଇଥିବାରୁ ସାମାନ୍ୟ ବର୍ଷା ଟିକେ ହେଲେ ଚାରିଛକ ବଜାର ରେ ଥିବା ବିଭିନ୍ନ ହୋଟେଲ ସମେତ ବିଭିନ୍ନ ଘରୁ ନିଷ୍କାସିତ ହେଉଥିବା କୁଢ କୁଢ ବର୍ଜ୍ୟ ଆବର୍ଜନା ଓ ମଇଳା ପାଣି ଡ୍ରେନରୁ ସିଧାସଳଖ ବ୍ଲକ ମୁଖ୍ୟ ପ୍ରବେଶ ପଥ ଦେଇ ପରିସର ଭିତରକୁ ପ୍ରବେଶ କରୁଥିବା ବେଳେ ଏହାକୁ କିପରି ରୋକାଯାଇ ପାରିବ ଏ ଦିଗରେ ବିହୀତ ପଦକ୍ଷେପ ନେବା ପରିବର୍ତେ ବ୍ଲକ କର୍ତୁପକ୍ଷ ଓଲଟି ନିଦାବିଷ୍ନୁ ସାଜିଥିବାରୁ ଏହାକୁ ନେଇ ବୁଦ୍ଧିଜୀବି ଓ ଜଣାଶୁଣା ମହଲରେ ଅସନ୍ତୋଷ ଦେଖାଦେଇଛି । ଏପରିକି ବର୍ଷା ସମୟରେ ଡ୍ରେନର ଆବର୍ଜନା ମଇଳା ପାଣି ବ୍ଲକର ମୁଖ୍ୟ ପ୍ରବେଶ ପଥ ଦେଇ ପ୍ରବାହିତ ହେଉଥିବା ସମୟରେ ବ୍ଲକ ଓ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟଳୟକୁ ଆସିଥିବା ଲୋକ ଏବଂ ମହିଳା କର୍ମଚାରୀ ମାନେ ନିରୁପାୟ ହୋଇ ସେହି ପାଣି ରେ ଯାତାୟାତ କରୁଥିବା ଘଟଣା ସେମାନଙ୍କୁ ବ୍ୟଥିତ କରିଛି । ଏନେଇ ହରଭଙ୍ଗା ଏବିଡିଓ ବଙ୍କିମ୍ ଚନ୍ଦ୍ର ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରି ପ୍ରତିକ୍ରିୟା ନେବାରୁ ସେ ଅଧିକ ବର୍ଷା ହେବା ମାତ୍ରେ ଡ୍ରେନର ପାଣି ସହିତ କୁଢ କୁଢ ଆବର୍ଜନା ବ୍ଲକ ପରିସରରେ ଭର୍ତି ହୋଇ ଯାଉଥିବାରୁ କେବଳ ସାଧାରଣ ଲୋକ ନୁହଁନ୍ତି ଆମେ ମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛୁ । ଆମ କାର୍ଯ୍ୟଳୟର ମୁଖ୍ୟ ଗେଟ ପାର୍ଶ୍ୱ ନିକଟରେ ରହିଥିବା ଡ୍ରେନଟିକୁ ଅଧିକ ସମ୍ପ୍ରସାରଣ କରି ଅନ୍ୟତ୍ର ନେବାକୁ ଆମେ ସମ୍ପୃକ୍ତ ବିଭାଗୀୟ କର୍ତୁପକ୍ଷଙ୍କୁ ଜଣାଇବୁ ବୋଲି କହିଥିଲେ ।







