ସୋହେଲା(ଶାସକ ପ୍ରଶାସକ)-ଆଜି ସୋହେଲା ବ୍ଲକ ପରିସରରେ ନବ ନିର୍ମିତ ସଭା ଗୃହକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଫିତା କାଟି ଉଦ୍ଘାଟନ କରିଥିଲେ । ଏହି ଅବସରରେ ନୂତନ ସଭା ଗୃହରେ ପଂଚାୟତ ସମିତିର ନବମ ତଥା ଶେଷ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଭାରେ ଅଧ୍ୟକ୍ଷତା କରିଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା । ସଭାକୁ ସଞ୍ଚାଳନ କରିଥିଲେ ବିଡିଓ ଶ୍ରୀ ବିଶ୍ୱ ରଂଜନ କର । ମୁଖ୍ୟ ଅତିଥି ମାନ୍ୟବର ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ ସୋହେଲା ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ବରିହା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ସରକାରୀ ଅଧିକାରୀ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମଞ୍ଚରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ହିମାଲୟା ସାହୁ,ଜିପିଇଓ ମହମ୍ମଦ ଆକବର ଓ ସାଂସଦ ପ୍ରତିନିଧି ନିରଞ୍ଜନ ପଧାନ ଉପସ୍ଥିତ ଥିଲେ । ଶେଷରେ ଜିପିଇଓ ଆକବର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ପୂର୍ବତନ ଉପାଧକ୍ଷ ପ୍ରଫୁଲ୍ଲ ପଧାନ,ମାର୍କଣ୍ଡ ସା,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ ଅଫିସର ସମସ୍ତ କର୍ମଚାରୀ,ଯନ୍ତ୍ରୀ ଓ ଅଧିକାରୀ ଯୋଗ ଦେଇଥିଲେ ।