ସୁନ୍ଦରଗଡ଼ - ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡ଼ିଏସ) ଜେନେରାଲ ବିପିନ ରାୱତଙ୍କ ଏକାଦଶାହ ଅବସରରେ ଆଜି ଲାଠିକଟା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ଏକ ହୋମଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ କଳସ ପୂଜନ ହେଲାପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା | ହୋମଯଜ୍ଞ ର ପୂର୍ଣ୍ଣାହୂତୀ ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା | ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ ଯୋଗଦେଇ ସ୍ବର୍ଗତ ରାୱତଙ୍କ ତ୍ୟାଗ ଓ ସମର୍ପଣମୟ ଜୀବନ ଉପରେ ବିସ୍ତୃତ ଭାବରେ ସ୍ମୃତିଚାରଣ କରିଥିବା ବେଳେ ଦେଶମାତୃକାର ସୁରକ୍ଷା ନିମନ୍ତେ ଜଣେ ସୈନିକର ଭୂମିକା ଓ ଆବଶ୍ୟକତା ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ | ଏହି ଅବସରରେ ଶ୍ରୀ କୁସୁମ କହିଥିଲେ ଯେ, ନିଜର କାର୍ଯ୍ୟକାଳ ସମୟରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ନେଇ ସ୍ବର୍ଗତ ରାୱତ ଯେଉଁ ବଳିଷ୍ଠ ତଥା ଦୂରଦର୍ଶୀ ପଦକ୍ଷେପ ନେଇଛନ୍ତି ଏବଂ ଶତ୍ରୁ ରାଷ୍ଟ୍ର ମାନଙ୍କୁ ଯେଭଳି କଡ଼ା ଜବାବ ଦେଇ ଆସିଛନ୍ତି, ତାହା ମାତୃଭୂମି ପ୍ରତି ସର୍ବୋଚ୍ଚ ବଳିଦାନ ଅଟେ | ତାଛଡା ଅତି କଠିନ ପରିସ୍ଥିତିରେ ମଧ୍ୟ ୩ ସେନା ବାହିନୀକୁ ଉଚିତ ମାର୍ଗଦର୍ଶନ ଦେବା ସହିତ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଆଧୁନିକିକରଣ ଏବଂ ଅନେକ ଆବଶ୍ୟକୀୟ ଢାଞ୍ଚାଗତ ପରିବର୍ତ୍ତନ କରିବାରେ ସେ ଯେଉଁ ବିଶ୍ୱକର୍ମାର ଭୂମିକା ନିଭାଇଛନ୍ତି, ତାହା ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଓ ପ୍ରେରଣାଦାୟକ | ତେଣୁ ରାୱତଙ୍କ ଅକାଳ ବିୟୋଗ ଦେଶପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ କୁସୁମ କହିଥିବା ବେଳେ ତାଙ୍କର ଧର୍ମପତ୍ନୀ ମଧୁଲିକା ଓ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ସୈନିକଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି | ମନ୍ଦିରର ପୂଜକ ସୁରେଶ କୁମାର ଦାସଙ୍କ ନେତୃତ୍ୱରେ ଏଇ ହୋମଯଜ୍ଞ ଏବଂ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିରର ଟ୍ରଷ୍ଟି ଗଗନ ବିହାରୀ ଶତପଥିଙ୍କ ସମେତ ବିଜୟ କୁମାର ଦାସ, ସୁଦର୍ଶନ ସୁତାର, ଅନୁ ବେହେରା, ଡଲି ଦାସ, କବିତା ସାମନ୍ତରାୟ, ସଂଯୁକ୍ତା ରାଉତ, ଲଷ୍ମୀ ମହାକୁଡ଼, ଶୈଳବାଳା ନାୟକ, କବିତା ସାହୁ, ଜ୍ୟୋତ୍ସ୍ନାରାଣୀ ଦାସ, ସୁମିତ୍ରା ପଶାୟତ, ସୁକାନ୍ତି ସାହୁ, ଚନ୍ଦ୍ରିକା ସିଂ, ପବନ ଦେବୀ, ଦେବସ୍ମିତା ନାୟକ, ଉଷାରାଣୀ ଦାସ, ପୁଷ୍ପାଞ୍ଜଳୀ ଶତପଥି, ମେନକା ସାହୁ ପ୍ରମୁଖ ରାଷ୍ଟ୍ରପ୍ରେମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ |
ରାଜ୍ୟ
ବିପିନ ରାୱତଙ୍କ ଏକାଦଶାହରେ ହୋମଯଜ୍ଞ
- Hits: 371