ହେଡଲାଇନସ୍:

ବିଜେପି ସରକାରଙ୍କ କୃଷିମାରଣା ନୀତି ବିରୋଧରେ ବିଜେଡିର ବିରାଟ ବାଇକ୍ ରେଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ), ୨୬/୧୨:-ବିଜେପି ସରକାରଙ୍କ କୃଷିମାରଣା ନୀତିକୁ ବିରୋଧ କରି ବିପକ୍ଷ ବିଜେଡି ପକ୍ଷରୁ ଆଜି ଏକ ବିରାଟ ବାଇକ ରେଲି ପ୍ରଦର୍ଶନ କରା ଯାଇଛି। ପୂର୍ବତନ ବିଧାୟକ ଶ୍ରୀ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ରାମପୁର ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ ହୋଇଥିବା ଏହି ବାଇକ୍ ଶୋଭାଯାତ୍ରାରେ ଶହ ଶହ ବାଇକରେ ଶହ ଶହ କର୍ମୀ ଓ ଜନ ସାଧାରଣ ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ଦେଇ ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା। ରେଲି ସମୟରେ ବିଜେପି ସରକାର ବିରୋଧରେ ଜୋରଦାର ନାରାବାଜି ଦିଆଯାଇଥିଲା। ପରେ ବିଜେଡି ପକ୍ଷରୁ ଏକ ସାତ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ଯାଇଥିଲେ। କିନ୍ତୁ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ହସ୍ତାନ୍ତର କରାଯାଇଥିଲା। ଦାବିପତ୍ରରେ ଓଡ଼ିଶା ସରକାରଙ୍କ ଚାଷୀମାରଣା ନୀତି, ଧାନ କ୍ରୟରେ ମିଲରମାନଙ୍କ ଦାଦାଗିରି, ଚାଷୀମାନଙ୍କୁ ସମୟରେ ଟୋକନ୍ ପ୍ରଦାନ, ଧାନ ଓଜନ ପାଞ୍ଚ ରୁ ଦଶ କେଜି କଟଣୀ ଛଟଣୀ, ମନରେଗା ଯୋଜନାର ନାମ ବଦଳାଇ ରାଜନୈତିକ ନାମକରଣ କରାଯିବା ପରି ବିଭିନ୍ନ ଜନବିରୋଧୀ ନୀତିର ତୀବ୍ର ବିରୋଧ କରାଯାଇଥିଲା।
ପରେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଠାରେ ଆୟୋଜିତ ସଭାରେ ଶ୍ରୀ ମେହେର ଓଡ଼ିଶା ସରକାରଙ୍କ ବିରୋଧରେ ଜୋରଦାର ଭାଷଣ ଦେଇଥିଲେ। ଆଜି ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ସେ ବିଜୁ ପରିବାରର ସମସ୍ତ କର୍ମୀ ଓ ସଭ୍ୟ-ସଭ୍ୟାଙ୍କୁ ଏକତାର ସୂତ୍ରରେ ବାନ୍ଧି ରହିବାକୁ ଆହ୍ୱାନ ଦେଇଥିଲେ। ଆଗାମୀ ଦିନରେ ବିଜେଡି ସଂଗଠନକୁ ଗ୍ରାମରୁ ସହର ପର୍ଯ୍ୟନ୍ତ ଅଧିକ ସକ୍ରିୟ କରି ତାହାର ଅସଲ ପରାକ୍ରମ ଓଡ଼ିଶାବାସୀଙ୍କ ସମ୍ମୁଖରେ ପ୍ରଦର୍ଶନ କରାଯିବ ବୋଲି ସେ କହିଥିଲେ।

0
0
0
s2sdefault