ବାଲେଶ୍ୱର( ଶାସକ ପ୍ରଶାସକ) - ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ଗ୍ରାମପଞ୍ଚାୟତର ରୂପାଵାଲି ଖେଳ ପଡିଆର ଉନ୍ନତିକରଣ ଲାଗି ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି I ଆଜି ମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ବରୁଣସିଂ ଗ୍ରାମପଞ୍ଚାୟତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଡ଼ିଆର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହି ପଡ଼ିଆର ଉନ୍ନତି କରଣ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ 40 ଲକ୍ଷ ଟଙ୍କା ଅନୁମୋଦନ କରିଥିବା ସେ କହିଥିଲେ I
ମନ୍ତ୍ରୀ ଶ୍ରୀ ବେହେରା କହିଲେଯେ ବାଲେଶ୍ୱର ଜିଲ୍ଲା ତଥା ରେମୁଣା ବ୍ଲକର ଯୁବକ ମାନଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ ଦେଖି ଖୁବ ଖୁସି ଲଗୁଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ଯୁବ ବର୍ଗଙ୍କ ଉନ୍ନତି ପାଇଁ ଅନେକ ସ୍ବପ୍ନ ଦେଖିଛନ୍ତି I ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା କ୍ରୀଡା କ୍ଷେତ୍ରରେ ଅନେକ ଉନ୍ନତି କରିଛି I ଆଜି ବିଶ୍ୱକ୍ରୀଡ଼ା ମାନଚିତ୍ରରେ ସମଗ୍ର ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି I ତୃଣମୂଳ ସ୍ତରରୁ କ୍ରୀଡ଼ାର ବିକାଶକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବାବେଳେ ଆଗାମୀ ଦିନରେ ଏହା ଅଧିକ ବ୍ୟାପକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ I
ସେହିପରି ଆଜିର ଉତ୍ସବରେ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେବା ସହ ଏହି ଖେଳ ପଡିଆର ଉନ୍ନତି ପାଇଁ ନିଜ ବିଧାୟକ ପାଣ୍ଠିରୁ 10 ଲକ୍ଷ ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଥିଲେ I ରୁପାବାଲି ଖେଳ ପଡିଆର ଉନ୍ନତି କରଣ ପାଇଁ କ୍ରୀଡ଼ାମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘୋଷଣା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି I
ରୁପାବାଲି ଖେଳ ପଡିଆର ଉନ୍ନତି କରଣ ପାଇଁ ନିରନ୍ତର କରିଆସିଥିବା ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା ଆଜିର ଏହି ଉତ୍ସବରେ ସଭା ପରିଚାଳନା କରିଥିଲେ I ଏଥି ସହିତ ଏହି ଅଞ୍ଚଳରେ ଥିବା ଠାକୁରାପଦା ଖେଳ ପଡିଆର ଉନ୍ନତି କରଣ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ଆଜି ସେ ନେବେଦନ ଜଣାଇଲେ I ରାଜ୍ୟସରକାରଙ୍କ ଏହି କ୍ରୀଡା ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉଦେଶ୍ୟରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ରୁପାବାଲି ପଡିଆକୁ ବୁଲି ଦେଖିଥିଲେ I
ଆଜିର ଉତ୍ସବରେ ନୀଳଗିରି ରୋଡ କ୍ଳବ ର ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାଲିକ, ସିମନ ଦାସମହାପାତ୍ର, ବିନାଶିଷ ଜେନା, ରବୀନ୍ଦ୍ର କୁମାର ମହାକୁଡ଼, ସ୍ଥାନୀୟ ତହସିଲଦାର ଓ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ I ଉତ୍ସବ ଶେଷରେ ସାହାର୍ଦା ଗ୍ରାମର ଶିକ୍ଷାବିତ ତଥା ସମାଜସେବୀ ଶ୍ରୀମତୀ ଶାନ୍ତା ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉତ୍ସବରେ ଯୋଗଦେଇଥିବା କ୍ରୀଡାମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରେମୁଣା ବିଧାୟକ, ଜିଲ୍ଲପାଳଙ୍କ ସମେତ ସମସ୍ତ ଜନପ୍ରତିନିଧି ଓ ପଞ୍ଚାୟତ ବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ରାଜ୍ୟ
ରୁପାବାଲି ଖେଳ ପଡିଆର ଉନ୍ନତିକରଣ ପାଇଁ ପଡିଲା ଭିତ୍ତିପ୍ରସ୍ତର
- Hits: 342