ଭୁବନେଶ୍ୱର : ବାଧୁଛି ଜାଳେଣି ଗ୍ୟାସ ଦରବୃଦ୍ଧି | ତାତିଲେଣି ଲୋକେ । ଦିଗହରା ବି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ଠାରି ଯୋଜନ ଦୂରରେ ହିତାଧିକାରୀ | ଉଜ୍ଜ୍ଵଳା ସିଲିଣ୍ଡର ରିଫିଲିଂ ନ କରିପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମହିଳା । ଏହାକୁ ଦୃଢ ପ୍ରତିବାଦ କରିଛି ବିଜୁ ଜନତା ଦଳ | ତେଣୁ କାଲିଠୁ ବିଜେଡିର ଆନ୍ଦୋଳନ | ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ନଭେମ୍ବର ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଓ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।
ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଉଭୟ ନେତା କହିଛନ୍ତି ଯେ " ଗତ ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଜ୍ଜ୍ୱଳା ଗ୍ୟାସ୍ ରିଫିଲିଂ ହାର କମ ଥିବା କହିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ଅନୁସାରେ, ୯୮ ନୁହେଁ ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ବଢ଼ିଛି । ଉଜ୍ଜ୍ୱଳା ଯୋଜନା କରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଠକିଛନ୍ତି ଓ ଫାଙ୍କିଛନ୍ତି । ଏବେ ସିଲିଣ୍ଡର ଦାମ ୯ ଶହ ଟଙ୍କା ଉପରେ ରହିଛି । ଗ୍ୟାସ୍ ଦର ନ କମାଇଲେ ବିରାଟ ଜନ ଆନ୍ଦୋଳନ ହେବ । କେନ୍ଦ୍ର ସରକାର ଦର ହ୍ରାସ ନ କରିବା ଯାଏ ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ହେବ | "
ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି " ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ସ୍ୱର ହୋଇ ଆନ୍ଦୋଳନ କରିବ । ଆସନ୍ତାକାଲି କଟକ ଆରଡିସି ଜୋନର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନ କରାଯିବ । ଆନ୍ଦୋଳନ ତୀବ୍ରତର ହେବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରବଞ୍ଚନାରେ ପରିଣତ ହୋଇଛି ।"
ରାଜ୍ୟ
ବାଧୁଛି ଜାଳେଣି ଗ୍ୟାସ ଦରବୃଦ୍ଧି : କାଲିଠୁ ବିଜେଡିର ଆନ୍ଦୋଳନ
- Hits: 372