ହେଡଲାଇନସ୍:

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା ।
ଯେତେବେଳେ ବାଳକଟିକୁ ମଧ୍ୟରାତ୍ରରେ ସମ୍ ହସ୍ପିଟାଲ୍ର ଜରୁରୀକାଳୀନ ସେବା ବିଭାଗକୁ ଅଣାଯାଇଥିଲା ସେତେବେଳେ ତା’ ଶରୀରର ଏକ ତୃତୀୟାଂଶ ପୋଡି ହୋଇଯାଇଥିବା ସହ ଆଖି, ନାକ, ମୁହଁ, ଗାଲ ଏବଂ ବେକରେ ଗୁରୁତର କ୍ଷତ ହୋଇଥିଲା । ଏଥି ସହିତ ତା’ର ଛାତି, ପେଟ, ହାତ ଏବଂ ଗୋଡ ପୋଡି ହୋଇଯାଇଥିବା ବେଳେ ତା’ ପେଟ ମଧ୍ୟରୁ ଅନ୍ତନଳୀ ବାହାରକୁ ବାହାରି ଆସିଥିଲା । ଡାକ୍ତରମାନେ ପ୍ରଥମେ ଶିଶୁଟିର ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ ପ୍ରାଥମିକ ଚିକିତ୍ସା କରିବା ସହ ତା’ ଶରୀରରେ ଥିବା କ୍ଷତଗୁଡିକର ଉପଯୁକ୍ତ ପରୀକ୍ଷା ନିରୀକ୍ଷା କରିଥିଲେ ।
ବାଳକଟିର ଚିକିତ୍ସା ଓ ସର୍ଜରୀ ନିମନ୍ତେ ଶିଶୁରୋଗ, ସାଧାରଣ ଶଲ୍ୟ, ଶିଶୁ ଶଲ୍ୟ, ପ୍ଲାଷ୍ଟିକ ସର୍ଜରୀ, ଓପ୍ଥାଲମୋଲୋଜି ଏବଂ ରେଡିଓଲୋଜି ବିଭାଗର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଯଦିଓ ଗୁରୁତର ଭାବେ ପୋଡି ହୋଇଯାଇଥିବା ଏହି ବାଳକଟିର ଅବସ୍ଥା ଖୁବ୍ ସଙ୍କଟାପନ୍ନ ଥିଲା ତା’ ପେଟର କ୍ଷତ ଗଭୀର ହୋଇଥିବାରୁ ତୁରନ୍ତ ସର୍ଜରୀ ପାଇଁ ନିଷ୍ପତି ନିଆଯାଇଥିଲା ।
ସର୍ଜରୀ ପରେ ବାଳକଟିକୁ ଆଇସିୟୁରେ ରଖାଯିବା ସହ ଦୀର୍ଘ ଏକ ମାସ ଧରି ତା’ର ସ୍ୱାସ୍ଥ୍ୟାବସ୍ଥା ନିରୀକ୍ଷଣ କରାଯାଇଥିଲା । ସୁସ୍ଥ ହେବା ପରେ ସେ ଚାଲିବା ଓ ବସିବାକୁ ସକ୍ଷମ ହୋଇପାରିଥିଲା । “ଆମେ ଖୁବ୍ ଖୁସୀ ଯେ ଆମ ଚେଷ୍ଟା ଫଳରେ ଶିଶୁ ଏବଂ ତା’ର ଅଭିଭାବକଙ୍କ ମୁହଁରେ ପୁଣି ଥରେ ହସ ଫେରିଆସିଛି” ବୋଲି ପେଡିଆଟି୍ରକ୍ ସର୍ଜରୀ ବିଭାଗର ପ୍ରଫେସର (ଡଃ) ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି ।
ବାଳକଟିର ଚିକିତ୍ସା ନିମନ୍ତେ ଗଠିତ ଟିମ୍ରେ ଜେନେରାଲ୍ ସର୍ଜରୀ ବିଭାଗର ଡାକ୍ତର ଜେ.ଏନ୍ ସେନାପତି ଓ ଡାକ୍ତର ସୋନାଲି ମହାନ୍ତି, ପେଡିଆଟି୍ରକ୍ ସର୍ଜରୀ ବିଭାଗର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଓ ଡାକ୍ତର ସୁଧାଂଶୁ ଏସ୍ ପାତ୍ର, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ସୁଶାନ୍ତ ମିଶ୍ର ଓ ଡାକ୍ତର ରାଜେଶ ଗନ୍ତାୟତ, ରେଡିଓଲୋଜି ବିଭାଗର ଡାକ୍ତର ସତ୍ୟ ଏସ୍. ମହାପାତ୍ର ଏବଂ ଆନେସ୍ଥେସିଆ ବିଭାଗର ଡାକ୍ତର ରଞ୍ଜିତା ଆଚାର୍ଯ୍ୟ, ଡାକ୍ତର ରୋହନ୍ ନାୟକ, ଡାକ୍ତର ଅଶୋକ ଓ ଡାକ୍ତର ମିନଲ୍ ପ୍ରମୁଖ ସାମିଲ ଥିଲେ । ଏହି ଟିମ୍କୁ ଫାର୍ମାସିଷ୍ଟ ସସ୍ମିତା ଓ ପ୍ରଣତୀ ଏବଂ ନର୍ସିଂ ଷ୍ଟାଫ୍ ବିଶ୍ୱରଞ୍ଜନ, ପୁଷ୍ପଲତା, ସ୍ମୃତିରେଖା ଓ ତୋଫାନ୍ ପ୍ରମୁଖ ସାହାଯ୍ୟ କରିଥିଲେ ।

0
0
0
s2sdefault