ଅପରାଜିତା ଆତ୍ମସମୀକ୍ଷା କରନ୍ତୁ : ଡା ରାଉତ
ଭୁବନେଶ୍ୱର : ଲଘୁଚାପ ଜନିତ ଭୀଷଣ ଲଗାଣ ବର୍ଷା ଦ୍ୱାରା ଭୁବନେଶ୍ୱରରେ ସାମୟିକ ଭାବେ କିଛି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ନେଇ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମାଲୋଚନା ପରେ ତାଙ୍କୁ ଜବାବ ଦେଇଛନ୍ତି ପୂର୍ବତନମନ୍ତ୍ରୀ ଡାକ୍ତର ଦାମୋଦର ରାଉତ | ଶ୍ରୀମତୀ ଷଡ଼ଙ୍ଗୀଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ଡ ରାଉତ କହିଛନ୍ତି ଯେ " ଲଘୁଚାପ ଜନିତ ଭୀଷଣ ଲଗାଣ ବର୍ଷା ଦ୍ୱାରା ଭୁବନେଶ୍ୱରରେ ସାମୟିକ ଭାବେ କିଛି ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟାକୁ ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ 21 ବର୍ଷ ବିଜେଡି ଶାସନରେ 4 ବର୍ଷ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ ନିଜେ ଅପରାଜିତା l ସେକଥା ଭୁଲିବା ଉଚିତ ନୁହେଁ l "
ଡ଼ ରାଉତ ଆହୁରି ମଧ୍ୟ କହିଛନ୍ତି ଯେ " ପ୍ରାକୃତିକ ବିପର୍ଯ୍ୟୟ ଓ ବର୍ଷାଜନିତ ସମସ୍ୟାକୁ ନେଇ ସମାଲୋଚନା କରୁଥୁବା ସାଂସଦ ଶ୍ରୀମତୀ ଅପରାଜିତା ଉତ୍ତର ଦେବେ କି? ଦେଶର ରାଜଧାନୀ ଦିଲ୍ଲୀ ବିମାନ ବନ୍ଦର ବର୍ଷା ପାଣିରେ ଉବୁଟୁବୁ ହେଲାବେଳେ ବିଜେପି ଦଳ କଣ କରୁଛି ? ଦୀର୍ଘବର୍ଷ ଗୁଜୁରାଟରେ ବିଜେପି ଶାସନ ସତ୍ତ୍ୱେ କିଛି ଘଣ୍ଟା ବର୍ଷାରେ ଅହମଦାବାଦ ସହର ପାଣିରେ ବୁଡ଼ୁଛି, ଜାମନଗରରେ ସରକାରୀ କାଗଜପତ୍ର ବର୍ଷାପାଣିରେ ଧୋଇଗଲା, ସୁରତ ସହରର 80% ଜଳନିମଗ୍ନ ହେଉଛି, ଭଦୋଦରାରେ ସହର ଭିତରକୁ କୁମ୍ଭୀର ପଶି ଯାଉଛନ୍ତି l
ବିଜେପି ଶାସିତ ମଧ୍ୟପ୍ରଦେଶର ଇନ୍ଦୋରରେ ଲୋକ ପହଁରି ଯିବାଆସିବା କରିଛନ୍ତି, ବର୍ଷା ପାଣିରେ ବେଙ୍ଗାଲୁରୁ ସହରର ଅବସ୍ଥା ଖରାପ, ବର୍ଷାରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ମଥୁରା ଅବସ୍ଥା ଅତ୍ୟନ୍ତ ଖରାପ ହୁଏ, ଆଗ୍ରା ସହର ଭିତରେ କେତୋଟି ଡଙ୍ଗା ବି ଚାଲେ l
ଯଦି ସାତବର୍ଷ ଦେଶ ଶାସନ କଲାପରେ ଦେଶର ରାଜଧାନୀରେ ବିମାନ ବନ୍ଦର ପାଣିକୁ ଅଟକାଇ ପାରୁନାହାନ୍ତି, ବର୍ଷାପାଣିରେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଜନଜୀବନ ବିପର୍ଯ୍ୟସ୍ତ, ସହରରେ କୁମ୍ଭୀର ବୁଲିଲେଣି, ଡଙ୍ଗା ଚାଲିଲାଣି, ତେବେ ନିଜେ ଚାରିବର୍ଷ ମୁନିସିପାଲିଟି କମିଶନର ଚାକିରୀ କରିଥିବା ସହରକୁ ସମକାରଣ ପାଇଁ ସମାଲୋଚନା କରିବା ପୂର୍ବରୁ ଶ୍ରୀମତୀ ଅପରାଜିତା ଆତ୍ମସମୀକ୍ଷା କରନ୍ତୁ l"