ହେଡଲାଇନସ୍:

ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଏକ ଜରୁରୀ ତଥା ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମ୍ମିଳନୀର ଜିଲ୍ଲା ଶାଖା ସଭାପତି ଗୁରୁ ଗୌରବ ଶ୍ରୀ ଗୌରଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ କାର୍ଯ୍ୟକ୍ରମରେ ସମ୍ମିଳନୀର ରାଜ୍ୟ ଉପସଭାପତି ଉପାନ୍ତ-ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ଶ୍ରୀ ଭାରତ ଭୂଷଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀ ବିନୋଦ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ ।
ମୁଖ୍ୟତଃ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ବିରୋଧରେ ଅତ୍ୟନ୍ତ କଟୁ-ମନ୍ତବ୍ୟ ଭାଷା ଦେଇ କୋରାପୁଟ ଜିଲ୍ଲା ଜୟପୁର ସହରର ଦୁଇଜଣ ଲେଖକ ତାଙ୍କ ରଚିତ ପୁସ୍ତକରେ ମହାରାଜାଙ୍କୁ ବ୍ରିଟିଶ ସରକାରଙ୍କ ଚାଟୁକାର ଥିଲେ , ଭଳି ବହୁ ଅପମାନ ଜନକ ବାକ୍ୟ ଓ ଶବ୍ଦ ବ୍ୟବହାର କରି ତାହା ଲେଖି ସ୍ଥାନିତ କରିଥିବା ଯୋଗୁଁ ତାର ଘୋର ନିନ୍ଦା ଓ ପ୍ରତିବାଦ କରାଯାଇଥିଲା ।
ଅନ୍ୟପକ୍ଷରେ ଏହି ପ୍ରତିବାଦର ସ୍ୱରକୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲା ଓ ପ୍ରାନ୍ତୀୟ ସ୍ତରରେ ପ୍ରତିବାଦ ସଭାର ଆୟୋଜନ ସମେତ ବିକ୍ଷୋଭ କରିବା ପାଇଁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିସହିତ ଏହା ବିରୋଧରେ ସ୍ଥାନୀୟ ଜିଲ୍ଲା କୋର୍ଟରେ ଏକ ମାନହାନୀ ମକଦ୍ଦମା ଜିଲ୍ଲା ଉତ୍କଳ ସମ୍ମିଳନୀ ଓ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିପାଇଁ ୧୫ ଜଣିଆ ଏକ କମିଟି ମଧ୍ୟ ମନୋନୀତ କରାଯାଇଥିଲା ।
ଏହି ବୈଠକ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ଶ୍ରୀ ଅନାଦି ପାଣିଗ୍ରାହୀ , ଶ୍ରୀ ହରି ମୋହନ ପଟ୍ଟନାୟକ , ଶ୍ରୀ ଜଗଦୀଶ ମହାପାତ୍ର , ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ସତ୍ୟ ନାରାୟଣ ମହାରଣା , ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ , ଗଣେଶ ରାଜୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault