ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି-୨୦୨୫ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ସ୍ଵତନ୍ତ୍ର ଅତିଥି ଭାବେ ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର, ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଆୟୋଜକ ବିଦ୍ୟାଳୟର ଛାତ୍ରୀ ଜୁଲି ସାହୁ ଓ ନିତୁ ବେହେରା ସ୍ୱାଗତ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ଶ୍ରୀୟାଶ୍ରୀ ପଟ୍ଟନାୟକ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ। ତଳବେଲଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ନୀଳାଞ୍ଚଳ ପାନଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଏଥିରେ ଜିଲ୍ଲା ଅନ୍ତର୍ଗତ ୧୩ଟି ବ୍ଲକରୁ ପ୍ରଥମ ହୋଇ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଣ୍ଠ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ବିତର୍କ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସ୍ବତନ୍ତ୍ର ଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀସ ଅନିମେଷ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପବିତ୍ର ମୋହନ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ତପିମଣି ଜାନି, ଜିଲ୍ଲା ଶାରୀରିକ ନିରୀକ୍ଷକ ରୂପସିଂ ରାଉତ, ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶଙ୍କ ସମେତ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଚାସୀନ ଥିଲେ। ସିଆରସିସି ଡିଲେଶ୍ୱର ରଣା ସଭା ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ ଧନ୍ୟବାଦ ଦେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'ରେ ଯୋଗ ଦେବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଆୟୋଜକ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ଡିପିସି ଓ ଡିଇଓ ଅଫିସର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।











