-
"ନବୀନ ପଟ୍ଟନାୟକଙ୍କ ପ୍ରଚାରରେ ଘାଇଲା ବିଜେପି"
-
"୧୧ ତାରିଖରେ ହେବ ଜନ ଆକ୍ରୋଶର ପ୍ରତିଫଳନ"
ଭୁବନେଶ୍ୱର, ୦୯/୧୧/୨୦୨୫: ରାଜ୍ୟର ବହୁ ଚର୍ଚ୍ଚିତ ନୂଆପଡ଼ା ଉପନିର୍ବାଚନରେ ଭୋଟ ପଡ଼ିବାକୁ ୨୪ ଘଣ୍ଟା ବାକି ଥିବାବେଳେ ଭୋଟରଙ୍କ ମନ ଜିଣିବାରେ କୌଣସି ସୁଯୋଗ ହାତଛଡା କରି ନାହିଁ ବିଜେଡି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଆରମ୍ଭରୁ ହାଇଭୋଲଟେଜ୍ ପ୍ରଚାର ମାଧ୍ୟମରେ ନୂଆପଡ଼ା ବିଧାନସଭା କ୍ଷେତ୍ରର କୋଣ ଅନୁକୋଣରେ ପହଞ୍ଚି ଲୋକଙ୍କ ବିଶ୍ୱାସ ଜିତିବାରେ ବେଶ ସଫଳ ହୋଇଛନ୍ତି । ତେବେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇ ଦୁଇ ଥର ଦମଦାର ପ୍ରଚାର ପରେ ବିଜେଡି ସପକ୍ଷରେ ନିର୍ବାଚନୀ ହାୱା ବେଶ ଗତିଶୀଳ ଥିବା ଭୋଟରଙ୍କ ହାବଭାବରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି । ନୂଆପଡାରେ ପୁଣିଥରେ ନବୀନ ମ୍ୟାଜିକ ଚଳାଇବା ପାଇଁ ଭୋଟର ପ୍ରସ୍ତୁତ ହୋଇସାରିଛନ୍ତି ବୋଲି ବିଜେଡି ଦାବି କରିଛି ।
ରୋଡ୍ ଶୋ’, ଜନସଭା, ପଥପ୍ରାନ୍ତ ସଭା, ପଦଯାତ୍ରା କରି ବିଜେଡିର ବରିଷ୍ଠ ଓ ସ୍ଥାନୀୟ ନେତୃତ୍ୱଙ୍କ ସହ ଶ୍ରୀମତୀ ଛୁରିଆ ଲୋକଙ୍କ ପାଖରେ ପହଞ୍ଚି, ସେମାନଙ୍କ ସମସ୍ୟା ଦୂର କରିବା ସହ ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ବାରମ୍ୱାର ଆଶ୍ୱାସନା ଦେଇ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରୁଛନ୍ତି । ନୂଆପଡାରେ ପାନୀୟ ଜଳ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, ଗାଁରେ କର୍ମନିଯୁକ୍ତି, ସ୍ୱାସ୍ଥ୍ୟ ଓ ରାସ୍ତାଘାଟ ସମସ୍ୟାରୁ ନିସ୍ତାର ଦେବା ପାଇଁ କଥା ଦେଇଛନ୍ତି ଶ୍ରୀମତୀ ଛୁରିଆ । ବିଜେପି ସରକାର ଅଟକାଇ ରଖିଥିବା କାମ ପୁନଃ ଚାଲୁ କରିବା ପାଇଁ ଶ୍ରୀମତୀ ଛୁରିଆ ଧମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ବିଜେପି ସରକାରର ଜନବିରୋଧି ଶାସନ ବିରୁଦ୍ଧରେ ନୂଆପଡ଼ା ମାଟିରୁ ଆକ୍ରୋଶର ପ୍ରତିଫଳନ ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ବିଜେଡି ନେତୃବୃନ୍ଦ କହିଛନ୍ତି, ବିଜେପି ଯେତେ ପ୍ରକାର ବେଆଇନ କାମ କଲେବି ଲୋକଙ୍କ ହୃଦୟକୁ ଜିତିପାରିବ ନାହିଁ । ଆଜିବି ନୂଆପଡ଼ାବସୀଙ୍କ ଜନମାନସର ନେତା କେବଳ ନବୀନ ପଟ୍ଟନାୟକ । ପୂର୍ବରୁ ସେମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରିଥିଲେ, ଚଳିତ ଉପନିର୍ବାଚନରେ ମଧ୍ୟ ତାହାର ପ୍ରତିଫଳନ ନିଃସନେ୍ଦହ ବୋଲି କହିଛନ୍ତି ।











