ପୁରୀ/ଚନ୍ଦନପୁର(ଅନିମେଶ ପଟ୍ଟନାୟକ) : କମ୍ପୁଛି ପୁରା ବୀରନରସିଂହପୁର ଗାଁ । ଗୁଞ୍ଜରିତ ହେଉଛି ମନ୍ତ୍ର ତନ୍ତ୍ରରେ ଭରା ମା ଦକ୍ଷୀଣକାଳୀଙ୍କ ଚଣ୍ଡୀପାଠ । ବିମୋହିତ କରୁଛି ଝୁଣା, ଧୂପ, ଘଣ୍ଟ ଘଣ୍ଟା ସହିତ ପୂଜା ମନ୍ତ୍ର । ମାଆଙ୍କ କରୁଣା, କୃପା ଟିକିଏ ପାଇଁ କୋଣ କୋଣରୁ ଧାଇଁଆସୁଛନ୍ତି ଭକ୍ତ ମାନେ । ବିଶ୍ବାସ ମାଆଙ୍କ ପାଖରେ ଯାହା ମନାସିବ ତାହା ପୂରଣ ହେବ । ଆଉ ହେଉଛି ମଧ୍ଯ। ବହୁ ସଂଖ୍ଯକ ମାନସିକଧାରୀ ମାନସିକ ପୂରଣ ହେବା ପରେ ପୂଜାର୍ଚ୍ଚନା କରିବାକୁ ପ୍ରତିଦିନ ଆସୁଛନ୍ତି । ମାନସିକଧାରୀଙ୍କ ପାଇଁ ଅହରହ ଜଳୁଛି ଅଖଣ୍ଡ ଦୀପ ।
ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ବୀରନରସିଂହପୁର ଗାଁରେ ପ୍ରତିଷ୍ଠିତ ମାଆ ଦକ୍ଷୀଣକାଳୀଙ୍କ ମନ୍ଦିର । ଏଠାରେ ମାଆ ଅସ୍ଥାୟୀ ଭାବେ ପୂଜା ପାଉଛନ୍ତି । ଏହି ଅସ୍ଥାୟୀ ମନ୍ଦିର ହେବା ପାଖାପାଖି ଅଢେଇ ବର୍ଷ ହେବ ମାତ୍ର। ଗିରିଶ ଚନ୍ଦ୍ର ବାନାର୍ଜୀ ଓରଫ ତାରୁ ନନା ହେଉଛନ୍ତି ମାଆଙ୍କ ମୁଖ୍ଯ ପୂଜାରୀ । ମାଆଙ୍କ ନୂତନ ମନ୍ଦିର ଏବେ ନିର୍ମାଣାଧୀନ । ମାଆଙ୍କ ଇଛା ଓ ଭକ୍ତଙ୍କ ସାହାଯ୍ଯରେ ମନ୍ଦିର ନିର୍ମାଣ ଚାଲିଛି । ନାଟମଣ୍ଡପ, ଭୋଗମଣ୍ଡପ , ସିଂହାସନର କାମ ମଧ୍ଯ ଜାରି ରହିଛି । ପାର୍ଶ୍ବ ଦେବୀଙ୍କ ମଧ୍ଯରେ ବ୍ରାହ୍ମୀ, ମହେଶ୍ବରୀ, ନାରାୟଣୀ ଆଦି ବିରାଜମାନ କରିବେ ନୂତନ ମନ୍ଦିରରେ। ମନ୍ଦିର ପଛଭାଗରେ ଏକ କୁଅ ରହିଛି, ଯେଉଁଥିରୁ ପାଣି ଅଣାଯାଇ ପୂଜାପାଠ ଓ ଭୋଗ ପ୍ରସ୍ତୁତି କରାଯାଉଛି । ସେହିପରି ମନ୍ଦିରକୁ ଲାଗି ଏକ ପୋଖରି ମଧ୍ଯ ଅଛି । ସେହି ପୋଖରିରୁ କାଳିପୂଜା ପାଇଁ ମାଟି ଅଣାଯାଇ ମୂର୍ତ୍ତି ପ୍ରସ୍ତୁତ କରାଯାଏ । ପ୍ରତ୍ୟେକ ମଙ୍ଗଳବାର, ଶନିବାର ଓ ସଙ୍କ୍ରାନ୍ତିରେ ଭକ୍ତଙ୍କ ଭିଡ ଯମେ ।
ତେବେ ସବୁଠାରୁ ମନୋରମ ହେଉଛି ମନ୍ଦିରକୁ ଚାରିପଟୁ ଘେରି ରହିଛି ନଡ଼ିଆ ବଗିଚା । ଯାହା ଫଳରେ ପରିବାର ନେଇ ଆସିଥିବା ଭକ୍ତମାନେ ବେସ କିଛି ଘଣ୍ଟା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରୁଛନ୍ତି । ଖରା ଗରମରୁ ଶୀତଳତା ସହ ଶୁଲୁଶୁଲିଆ ପବନ ମାଆ ଦକ୍ଷୀଣକାଳୀଙ୍କ ପୀଠର ସୁନ୍ଦରତାକୁ ଦୁଇଗୁଣିତ କରୁଛି ।
ମାଆଙ୍କ ପୀଠରେ ଦୈନନ୍ଦିନ ନୀତିକାନ୍ତି ମଧ୍ଯରେ ସକାଳ ୭.୩୦ ମିନିଟ୍ ଭିତରେ ମଙ୍ଗଳଆଳତୀ, ଦିନ ୧୨ଟାରେ ଶୀତଳ ଭୋଗ ବା ଫଳମୂଳ ମିଠା ଆଦି ଭୋଗ କରାଯାଇଥାଏ । ମଧ୍ଯାହ୍ନ ୨ଟାରେ ସଙ୍ଖୁଡ଼ି ଭୋଗ ବା ଖେଚୁଡ଼ି, ଅନ୍ନ, ଡାଲମା ଆଦି ସହ ମାଛ ବେସର ଲାଗି କରାଯାଇଥାଏ । ସନ୍ଧ୍ୟାରେ ପ୍ରତିଦିନ ମାଆଙ୍କ ସନ୍ଧ୍ୟା ଆଳତି ସହ ରାତି ୮ଟାରେ ଛେନା ରାବିଡ଼ି ଭୋଗ କରାଯାଇଥାଏ । ପରେ ପରେ ମାଆଙ୍କ ବଡ଼ସିଂହାର ବେଶ ଦର୍ଶନ କରିବାକୁ ପ୍ରତିଦିନ ବେଶ ଭିଡ ଯମେ । ମାଆଙ୍କ ସମସ୍ତ କାମରେ ଅନେକ ବଙ୍ଗୀୟ ବ୍ରାହ୍ମଣ ସେଠାରେ ରହି ତାରୁ ନନାଙ୍କୁ କାମରେ ସାହାଯ୍ଯ କରୁଛନ୍ତି ।








