ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ମଧ୍ୟରେ ମହାବିଦ୍ୟାଳୟର ପରିଚାଳନା କମିଟିର ପୂର୍ବତନ ସଦସ୍ୟା ଶ୍ରୀମତି ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ତିଥି ଅନୁସାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା ।
ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ରୀନା ସାହୁଙ୍କର ଅଧ୍ୟକ୍ଷତାରେ ଓ ଅନ୍ୟାନ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଉପସ୍ଥିତିରେ ଦୁଇ ମିନିଟ୍ ର ଏକ ନୀରବ ପ୍ରାର୍ଥନା ଅନୁଷ୍ଠିତ ହେବା ସହ ସ୍ଵର୍ଗତା ସାହୁଙ୍କର ସ୍ମୃତି ଚାରଣ କରାଯାଇଥିଲା ।
ଶ୍ରୀମତୀ ସାହୁ ଏକାଧାରରେ ଜଣେ ନାରୀନେତ୍ରୀ , ସମାଜସେବୀ ସାଂସ୍କୃତିକ ସାଙ୍ଗଠିକା ତଥା ସୁଲେଖିକା ଥିଲେ । ସେ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଖରେ ଏକ ଆଦର୍ଶ ମହିଳା ଭାବରେ ପ୍ରେରଣା ଦାତ୍ରୀ ଥିଲେ ।
ଏହି ଶୋକ ସଭାରେ ଅଧ୍ୟକ୍ଷା ଡ଼ଃ.ରୀନା ସାହୁ , ଅଧ୍ୟାପିକା ଡ଼ଃ.ଭାରତୀ ପାଣିଗ୍ରାହୀ , ଶ୍ରୀମତୀ ବରଦା ଆଚାର୍ଯ୍ୟ , ଡ଼ଃ.କଲ୍ୟାଣୀ ମିଶ୍ର ଦିବଙ୍ଗତ ନେତ୍ରୀଙ୍କର ପ୍ରତିଭା ସମ୍ପର୍କରେ ସ୍ମୃତି ଚାରଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ଥିଲେ ।
ଏହି ଶୋକ ସଭାରେ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ସେମାନଙ୍କର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।








