ଭୁବନେଶ୍ଵର(ଶାସକ ପ୍ରଶାସକ) : ବନ ମହେତ୍ସବ ସପ୍ତାହ ଅବସରରେ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସାମାଜିକ ଅନୁଷ୍ଠାନ 'ବନ୍ଧୁ' (ବୋନାଫାଏଡ ଆସୋସିଏସନ ଫର ଡେଭେଲପମେଣ୍ଟ ଅଫ୍ ନେଚର,ହେଲ୍ ଥ କେୟାର ଆଣ୍ଡ ଅଣ୍ଡରପ୍ରିଭିଲେଜ୍ଡ) ପକ୍ଷରୁ ସ୍ଥାନୀୟ ବଇଁଚୁଆ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୌଦାମିନୀ ପଟ୍ଟନାୟକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ବନ୍ଧୁ ଅନୁଷ୍ଠାନର ସଭାପତି ଶ୍ରୀକାନ୍ତ ଦାଶ,ସଂପାଦକ ଫଗୁ ସାମଲଙ୍କ ସହ ଅନ୍ୟ କର୍ମକର୍ତ୍ତା ଓ ସଭ୍ୟସଭ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ । ଏଥିରେ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ନବୀନ ଚନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ସ୍ଥାନୀୟ ପଲ୍ଲୀପ୍ରଭା ଯୁବ ପରିଷଦର ତରଫରୁ ଆବଶ୍ୟକ ସହଯୋଗ ପ୍ରଦାନ କରାଯାଇଥିଲା ।
ପ୍ରକାଶ ଥାଉକି, କରୋନା ମହାମାରୀ ସ୍ଥିତିରେ ବିଦ୍ୟାଳୟରେ ପରିବେଶର ସୁରକ୍ଷା ଓ ସବୁଜିମା ପ୍ରଭାବିତ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ବନ୍ଧୁ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ, ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଥିବା କାର୍ଯ୍ୟକୁ ବଇଁଚୁଆ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଶଂସା କରାଯାଇ ଏହି ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏଥିରେ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରି ବନ୍ଧୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ବନ ମହୋତ୍ସବ ସପ୍ତାହ ଅବସରରେ କୋଭିଡ କଟକଣା ଅନୁପାଳନ ପୂର୍ବକ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ ।