ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଆ ଅସ୍ମିତାକୁ ବିଶ୍ବ ଦରବାରରେ ପରିଚିତ କରାଇବାରେ ଯେଉଁ ସାରସ୍ଵତ ସାଧକ , କର୍ଣ୍ଣଧାର ଥିଲେ , ସେହି ଯୋଗଜନ୍ମା ମହାପୁରୁଷ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ତାଙ୍କରି ଏନ୍ତୁଡ଼ିଶାଳ କୁଲାଡ଼ଗଡର ଭଞ୍ଜ ମଣ୍ଡପଠାରେ ଆଜି ୧୨ ମାର୍ଚ୍ଚ ୨୦୨୫ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ବାର୍ଡ ( ଭଞ୍ଜ ଗ୍ରାମୀଣ ବିକାଶ ଅନୁଷ୍ଠାନ) ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବର ଆଜି ସନ୍ଧ୍ୟା ରେ ପ୍ରଥମ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନା ଓ ମଞ୍ଚ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ବରିଷ୍ଠ ଆଇନଜୀବି ସୋମନାଥ ନାୟକ । ମୁଖ୍ୟ ଅତିଥି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀମାନ୍ ଉମାଶଙ୍କର ବେହେରା, ମୁଖ୍ୟ ବକ୍ତା ଡ଼ଃ ସନାତନ ନାୟକ, ସମ୍ମାନିତ ଅତିଥି ଭାବେ ଭଂଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମାନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ୍ ଧନଞ୍ଜୟ, ଭଞ୍ଜନଗର ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୈାରୀ ଶଙ୍କର ଶତପଥୀ, ସମିତି ସଭ୍ୟା ପି ରେଣୁକା ପାତ୍ର ମଞ୍ଚାସୀନ ହୋଇଥିଲେ । ପ୍ରଥମ ପର୍ଯ୍ୟାୟରେ ଅତିଥିଗଣ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଆରାଧ୍ୟ ଦେବୀ ବ୍ୟାଘ୍ରଦେବୀ ପୂଜା , ଜଗନ୍ନାଥ ଦର୍ଶନ ପରେ ସଭାସ୍ଥଳରେ ଉପେନ୍ଦ୍ର ଭଞ୍ଜଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ । କୁଲାଡ ଶିଶୁ ମନ୍ଦିର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ଶ୍ରୀ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ମାଧ୍ୟମରେ " ଉପମା ଭଞ୍ଜ ବୀରସ୍ଯ " ସଂପର୍କିତ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଉପେନ୍ଦ୍ର ଭଞ୍ଜ କାବ୍ୟ ରଚନାର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।ମୁଖ୍ୟ ବକ୍ତା ଭାବରେ ଗଜପତି ଜିଲ୍ଲା ମହେନ୍ଦ୍ର ଗିରି ର ଶ୍ରୀ ଅରବିନ୍ଦ ପୁର୍ଣ୍ଣାଗଂ ଶିକ୍ଷାକେଦ୍ର ର ଅଧ୍ୟକ୍ଷ ଶ୍ରୀମାନ ସନାତନ ନାୟକ ଯୋଗଦାନ କରିଥିଲେ।ସଭାପତି ଶ୍ରୀ ନାୟକ ଜନସାଧାରଣଙ୍କ ତରଫରୁ କବିସମ୍ରାଟଙ୍କୁ ବିଶ୍ବ ଦରବାରରେ ପରିଚିତ କରାଇବାକୁ କେତେକ ଦାବୀ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ଅତିଥି ଉପଜିଲ୍ଲାପାଳ ମହୋଦୟଙ୍କୁ ହସ୍ତାନ୍ତର କରିଥିଲେ । ସଙ୍ଗୀତ ଗୁରୁ ଲୋକନାଥ ମହାନ୍ତି , ରୋଜି ମାଡାମ୍ ଓ ଓଡ଼ିଶୀ ନୃତ୍ୟଗୁରୁ ରଜନୀ କାନ୍ତ ମହାପାତ୍ରଙ୍କ ଦ୍ଵାରା ଭଞ୍ଜ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଘୋଡ଼ା ନାଚ ଗୁରୁ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗୁରୁ ଉତ୍ସବ ଚରଣ ଦାସ ଓ ପ୍ରଜ୍ଞା ସଙ୍ଗୀତ ଅନୁଷ୍ଠାନର ଗୁରୁ, ଓଡ଼ିଶୀ କଳାକାର ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ପରେ ଘୋଡ଼ା ନାଚ ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।