ଏଜେନ୍ସିର ଅବହେଳା ପାଇଁ ପାରିଶ୍ରମିକ ବନ୍ଦ, ଏନ୍ଏସି ସାରା କୁଢ଼ କୁଢ଼ ଆବର୍ଯ୍ୟନା
ଓଡ଼ଗାଁ ୧୨।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନଙ୍କୁ ଦୁଇ ମାସଧରି ପାରିଶ୍ରମିକ ନମିଳିବା ଘଟଣାରେ ବୁଧବାର ଓଡ଼ଗାଁ ଏନ୍ଏସିର ସଫେଇ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଫଳରେ ସହର ସାରା କୁଢ଼ କୁଢ଼ ଆବର୍ଜନା ପୁରି ରହିଥିବା ଦେଖାଯାଇଛି । ଫଳରେ ପୁତିଗନ୍ଧମୟ ପରିବେଶ ସାଧାରଣ ଜୀବନ ଯାତ୍ରାରେ ବ୍ୟାଘାତରେ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ପାରିଶ୍ରମିକ ପାଇଁ ସଫେଇ କର୍ମଚାରୀଙ୍କ ପରିବାର ପାରିଶ୍ରମିକକୁ ଚାହିଁ ବସିଛନ୍ତି। ଏଜେନସୀ ଜରିଆରେ ସଫେଇ କର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନ କରାଯାଇଥାଏ । ତେବେ ଭୁବନେଶ୍ଵର ଅଭିରାମ ଏଜେନସୀର ଅବହେଳା ପାଇଁ ଗତ ମାସରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ସମାନ କାରଣ ପାଇଁ ସଫେଇ କର୍ମଚାରୀ ମାନେ ପାରିଶ୍ରମିକ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ବୁଧବାର ସକାଳେ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ତେବେ ଏହାର ପରିଣାମ ସହର ବାସିନ୍ଦା ଭୋଗ କରିଛନ୍ତି । ଓଡ଼ଗାଁ ଏନସି ଓ ଅଭିରାମ ଏଜେନସୀ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଏଜେନସୀ ସଫେଇ କର୍ମଚାରୀଙ୍କୁ ଯଥା ସମୟରେ ପାରିଶ୍ରମିକ ପ୍ରଦାନ କରିବା ସହିତ ସମୟ ଅନୁସାରେ ବିଲ୍ ଭାଉଚର ପ୍ରଦାନ କରି ସରକାରଙ୍କ ଠାରୁ ତାଙ୍କ ପ୍ରାପ୍ୟ ଗ୍ରହଣ କରିବେ । ହେଲେ ଏଜେନସୀ ତାଙ୍କ ଦାୟିତ୍ୱରେ ଖିଲାପ କରିବା ଯୋଗୁଁ ଏପରୀ ଅଚଳା ଅବସ୍ଥା ସୃଷ୍ଟି ହୋଇଛି । ଫେବୃୟାରୀ ମାସରେ ଠିକ୍ ଏହିପରି ସମସ୍ୟା ସୃଷ୍ଟି ହୋଇଥିଲା ବେଳେ ସଫେଇ କର୍ମଚାରୀଙ୍କ ପାରିଶ୍ରମିକ ପ୍ରଦାନକୁ ନେଇ ଘୋର ସମସ୍ୟା ଦେଖାଦେଇ ଥିଲା । ଏହି ସମସ୍ୟାର ସମାଧାନ କରିବାକୁ ଯାଇ ନିର୍ବାହୀ ଅଧିକାରୀ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ସେହିପରି ଘଟଣାର ପୁନରାବୃତ୍ତି ଏଜେନସୀର ଅବହେଳାକୁ ଦର୍ଶାଉଛି । ଅନ୍ୟପକ୍ଷରେ ସାଧାରଣ ଜନତାଙ୍କ ନିକଟରେ ଉତ୍ତରଦାୟୀ ଏନ୍ଏସି ପୂର୍ବ ମାସରେ ଘଟିଥିବା ଘଟଣାରୁ ଶିଖିଲା କଣ ? ଯଦି ଏନ୍ଏସି ପଟରୁ କୈାଣସି ସମସ୍ୟା ନାହିଁ ତେବେ ଚୁକ୍ତି ଖିଲାପ କରିଥିବା କାରଣରୁ ଏଜେନସୀକୁ କାହିଁକି ବଦଳା ଯାଇନାହିଁ ବୋଲି ସମସ୍ତଙ୍କ ମନରେ ସନ୍ଦେହ ପ୍ରକାଶ ପାଇଛି।