ରେଢ଼ାଖୋଲ,: ରେଢ଼ାଖୋଲ ଥାନା ଅନ୍ତର୍ଗତ ତଣ୍ଡାବିରା ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଗତ ରବିବାର ରାତିରେ ଘଟିଥିବା ହତ୍ୟା ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି I ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଗିରଫ ଅଭିଯୁକ୍ତ ବଳରାମ ଓରଫ ବାବୁ(୫୦), ତାଙ୍କ ସ୍ତ୍ରୀ ଶାନ୍ତି (୪୫) ଓ ଦୁଇ ପୁଅ ସୁନିଲ (୨୬) ଓ ଅନିଲ(୨୦) ଏବଂ ବାସୁଦେବ ସାହୁ(୭୪) ଓ ତାଙ୍କ ସ୍ତ୍ରୀ ରାଧା (୬୫) ବୋଲି ପୁଲିସ କହିଛି। ସେମାନେ ନିଲୁ ସାହୁ (୩୦)ଙ୍କୁ ହତ୍ୟା କରିବାକୁ ବ୍ୟବହାର କରିଥିବା ୪ଟି ଟାଙ୍ଗିଆ ଓ ୨ଟି ଠେଙ୍ଗା ଜବତ କରାଯାଇଛି।
ତଣ୍ଡାବିରା ଗ୍ରାମର ବିଛଣ୍ଡ ସାହୁଙ୍କ ଚାରି ପୁଅ ରସାନନ୍ଦ,ସୁଗ୍ରୀ,ବାସୁଦେବ ଓ ଫକୀରଙ୍କ ମଧ୍ୟରୁ ରସାନନ୍ଦ,ବାସୁଦେବ ଓ ଫକୀରଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମିବାଡ଼ି ବିବାଦ ଥିଲା। ଗତ ରବିବାର ରାତିରେ ବିବାଦ ଚରମ ସୀମାରେ ପହଞ୍ଚିଥୁ ରସାନନ୍ଦଙ୍କ ପୁଅ ବଳରାମ ଓ ବଡ଼ବାପା ବାସୁଦେବ ମିଶି ପାରିବାରିକ ବିବାଦର ପୂର୍ଣ୍ଣଚ୍ଛେଦ ପକାଇବାକୁ ଯୋଜନା କରିଥିଲେ। କିନ୍ତୁ ସେ ଯୋଜନ। ପ୍ରକୃତ ରେ ଯୋଜନା ନ ଥିଲା,ଭୟଙ୍କର ଷଡ଼ଯନ୍ତ୍ର ଥିଲା । ଦୁହେଁ ରାତି ରେ ଫକୀରଙ୍କ ଘରକୁ ଯାଇ କବାଟ ବାଡ଼େଇଥିଲେ। ଫକୀରଙ୍କ ପୁଅ ନିଲୁ କବାଟ ଖୋଲିବା ମାତ୍ରେ ତାଙ୍କୁ ଟାଣି ନେଇ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ତଳେ ପକାଇଦେଲା ପରେ ଟାଙ୍ଗିଆରେ ହାଣି ପକାଇଥିଲେ। ଘଟଣା ସ୍ଥଳରେ ନୀଲୁଙ୍କ ମୃତ୍ୟୁ ହୋଇ ଯାଇଥୁଲା। ଏହି ହତ୍ୟାକାଣ୍ଡରେ ଦୁଇ ପରିବାରର ଆଉ ୨ ଜଣ ପୁରୁଷ ବ୍ୟକ୍ତି ଓ ଦୁଇ ଜଣ ମହିଳା ମଧ୍ୟ ସହଯୋଗ କରିଥିଲେ ବୋଲି ପୁଲିସ ତଦନ୍ତରୁ ଜାଣି ପାରିଛି। ନିଲୁଙ୍କ ବାପା ଫକୀର ସେହି ରାତି ୧ଟା ବେଳେ ରେଢ଼ାଖୋଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦଫା ୧୪୭, ୧୪୮,୪୪୮, ୩୦୨,୩୦୭, ୧୪୯ ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ବୋଲି ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ସୂଚନା ଦେଇଛନ୍ତି। ପୁଲିସ ଉପ ନିରୀକ୍ଷକ ସୌମ୍ୟା ମହାଳିକ, ସହକାରୀ ଉପ ନିରୀକ୍ଷକ ତ୍ରିବେଣୀ ପ୍ରଧାନ, ହାବିଲଦାର ଗୋକୁଳ ପ୍ରଧାନ, କନଷ୍ଟେବଳ ବିନେଶ ନାୟକ, ଯୁଧୁଷ୍ଠିର ବେହେରା ଓ ରଶ୍ମୀତା ଜଗତ ଗାଁରେ ଚଢ଼ଉ କରି ଏହି ଅଭିଯୁକ୍ତମାନଙ୍କୁ ଧରିଥିଲେ।