ରାଜ୍ୟ ବିଜେପିର ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୁନ୍ ୨୧ ତାରିଖ ଦିନ ପ୍ରକାଶ ପାଇଥିବା ବଂଶଧାରା ଟ୍ରିବ୍ୟୁନାଲ ରାୟ ସମ୍ପୂର୍ଣ୍ଣ ଓଡିଶା ବିରୋଧୀ ଓ ଏକ ପାଖିଆ ଆନ୍ଧ୍ର ସପକ୍ଷ । ଏହାଦ୍ୱାରା ଗଜପତି ଓ ରାୟଗଡା ଜିଲ୍ଲାର ପ୍ରଭୁତ କ୍ଷତି ଘଟିବ , ତେଣୁ ଓଡିଶା ସରକାର ଆଉ କାଳବିଲମ୍ବ ନ କରି ତୁରନ୍ତ ଏହି ବଂଶଧାରା ଟ୍ରିବ୍ୟୁନାଲ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିସନ ଦାଏର କରନ୍ତୁ ବୋଲି ଶନିବାର ଦିନ ରାଜ୍ୟ ଭାଜପା ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ଗତ ୨୧ ତାରିଖ ଦିନ ବଂଶଧାରା ଟ୍ରିବ୍ୟୁନାଲ ରାୟ ପ୍ରକାଶ ପାଇ ଏହା ସମ୍ପୂର୍ଣ୍ଣ ଆନ୍ଧ୍ର ସପକ୍ଷରେ ଯାଇଥିବା ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କୁ ଓଡିଶା ବିରୋଧୀ ବଂଶଧାରା ଟ୍ରିବ୍ୟୁନାଲ ରାୟ ସମ୍ପର୍କରେ ଅଧିକ ସୂଚନା ଦେଇ ଅଭିଯୋଗ କରି କହିଥିଲେ ଯେ , ଓଡିଶା ବିରୋଧୀ ବଂଶଧାରା ଟ୍ରିବ୍ୟୁନାଲ ରାୟ ପ୍ରକାଶ ପାଇବା ପରେ ଏହା ଗଜପତି ଜିଲ୍ଲାର କାଶୀନାଗର ବ୍ଲକଅଞ୍ଚଳ ସମେତ ରାୟଗଡା ଜିଲ୍ଲାର ଗୁଣୁପୁର ଓ ଗୁଡାରି ଅଞ୍ଚଳର ପ୍ରଭୁତ କ୍ଷତି ଘଟିବ , ତେଣୁ ଗତକାଲି ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳ କାଶୀନାଗର ବ୍ଲକର ସାରା , ବାଡ଼ିଗାଁ , ପାଳସିଙ୍ଗ ଏବଂ ରାୟଗଡା ଜିଲ୍ଲାର ଗୁଣୁପୁର , ପଦ୍ମପୁର ଓ ଗୁଡାରି ବ୍ଲକଅଞ୍ଚଳ ବୁଲି ଦେଖିଥିଲେ ।
ମୁଖ୍ୟତଃ ଓଡିଶା ବିରୋଧୀ ଏହି ବଂଶଧାରା ଟ୍ରିବ୍ୟୁନାଲ ରାୟ , ଗତ ୨୧ ତାରିଖ ଦିନ ପ୍ରକାଶ ପାଇଲା , ଅର୍ଥାତ ଆଜିକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ରାୟକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ ମତାମତ କି ପ୍ରତିକ୍ରିୟା ପ୍ରକାଶ ନ ପାଇବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ।
ପ୍ରକୃତ ପକ୍ଷରେ ଏହି ଓଡିଶା ବିରୋଧୀ ବଂଶଧାରା ରାୟ ଉପରେ ଓଡିଶା ସରକାର ସ୍ୱାଗତ କରୁଛନ୍ତି କି ବିରୋଧ କରୁଛନ୍ତି କି ଏଥି ନେଇ କିଛି ସନ୍ଦେହ ପ୍ରକାଶ କରୁଛନ୍ତି କି ଆଗାମୀ ଦିନରେ ଏହି ରାୟ ଦ୍ୱାରା ଓଡ଼ିଶାର କଣ ଲାଭ କି କ୍ଷତି ହେଉଛି , ଏ ପର୍ଯ୍ୟନ୍ତ କୌଣସି ମତାମତ କି ପ୍ରତିକ୍ରିୟା ପ୍ରକାଶ ପାଇନି ଓଡିଶା ସରକାରଙ୍କ ପକ୍ଷରୁ ।
ଅନ୍ୟପକ୍ଷରେ ଆଉମଧ୍ୟ ଏ ଦିଗରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କି ଓଡିଶା ସରକାରଙ୍କ ମୁଖ୍ୟ ସଚିବ କି ବିଭାଗୀୟ ମନ୍ତ୍ରୀ କି ବିଭାଗୀୟ ସଚିବ କେହି ହେଲେ ଏହି ରାୟକୁ ନେଇ କିଛି ପାଟି ଖୋଲି ନାହାନ୍ତି । ଏମିତିକି , ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ କି ଅଧିକ୍ଷଣ ଯନ୍ତ୍ରୀ କି ନିର୍ବାହୀ ଯନ୍ତ୍ରୀ ସେମାନେ ମଧ୍ୟ ଏ ବିଷୟରେ ସବୁ ଜାଣି ନ ଜାଣିଲା ଭଳି ଚୁପ ରହିଲେ ।
ବଂଶଧାରା ଟ୍ରିବ୍ୟୁନାଲ ରାୟ ଯେଉଁ ଆସିଲା , ଏହା ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ର ସପକ୍ଷରେ ଏକ ପାଖିଆ ରାୟ ଓ ଓଡିଶା ବିରୋଧୀ ରାୟ ।
ଏହି ଯେଉଁ ଓଡିଶା ବିରୋଧୀ ବଂଶଧାରା ଟ୍ରିବ୍ୟୁନାଲ ରାୟ ଆସିଛି , ଏଥିପାଇଁ ଓଡିଶା ସରକାର ହିଁ ସମ୍ପୂର୍ଣ୍ଣ ଭାବେ ଦାୟୀ । କାରଣ , ଓଡିଶା ପକ୍ଷରୁ ଓଡ଼ିଶାର ନ୍ୟାଯ୍ୟ ଓ ଉପଯୁକ୍ତ ଦାବୀକୁ ଟ୍ରିବ୍ୟୁନାଲ ପାଖରେ ଠିକ୍ ଭାବେ ଉପସ୍ଥାପନା କରାଯାଇ ପାରିଲା ନାହିଁ।
ତେଣୁ ଏ କ୍ଷେତ୍ରରେ ଆମର ଦୃଢ଼ ଦାବି ହେଉଛି ଯେ , ଏହି ଓଡିଶା ବିରୋଧୀ ଟ୍ରିବ୍ୟୁନାଲ ରାୟ ବିରୁଦ୍ଧରେ ଓଡିଶା ସରକାର ତୁରନ୍ତ ମାନ୍ୟବର ସୁପ୍ରିମକୋର୍ଟରେ ପିଟିସନ ଦାଏର କରନ୍ତୁ । ନଚେତ ଓଡିଶାର ବହୁତ କ୍ଷତି ହେବ , ଯାହାକି , ୨ ହଜାରରୁ ଅଧିକ ଏକର ଚାଷଜମି ଜଳମଗ୍ନ ହେବାସହ ନେରେଡି ବ୍ୟାରେଜ ନିର୍ମାଣ ହେବା କାରଣରୁ ବୁଡିଯିବ । ନେରେଡି ବ୍ୟାରେଜର ଯେଉଁ ବ୍ୟାକୱାଟ ହେବ ଏବଂ ସେଥିରେ ଯେଉଁ ବନ୍ୟାଞ୍ଚଳ ତିଆରି ହୋଇ ପଛକୁ ଜଳ ମାଡିବ , ସେଥିରେ ଗୁଣୁପୁର , ପଦ୍ମପୁର ଓ ଗୁଡାରି ବ୍ଲକ ଅଞ୍ଚଳର ଅହେତୁକ କ୍ଷତି ହେବ ।
ରାଜ୍ୟ ସରକାର ନିଜେ ଏ ଦିଗରେ କହିଥିଲେ ଯେ , ଗୁଡାରୀ ଅଂଚଳର ପାଣିଡ଼ଙ୍ଗର ଠାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ ।
ଅଞ୍ଚଳବାସୀଙ୍କୁ ସୁରକ୍ଷା ଦେବାସହ ଆନ୍ଧ୍ରର ନେରେଡି ବ୍ୟାରେଜ ନିର୍ମାଣ ବିରୁଦ୍ଧରେ ଓଡିଶା ସରକାର ମାନ୍ୟବର ସୁପ୍ରିମକୋର୍ଟରେ ପିଟିସନ ଦାଏର କରନ୍ତୁ ଏବଂ ପାଣିଡ଼ଙ୍ଗର ଜଳସେଚନ ପ୍ରକଳ୍ପ ନିର୍ମାଣ ଆରମ୍ଭ କରନ୍ତୁ ।
ଏତଦବ୍ୟତୀତ ଆନ୍ଧ୍ର ସରକାର , ଓଡିଶା ସରକାରଙ୍କୁ ବାକିଥିବା ଜଳକର ବତ୍ସବଡିୟ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆଦାୟ କରନ୍ତୁ । ଓକିଲ ନୋଟିସ ଦିଅନ୍ତୁ ଏବଂ ଯାହା କରନ୍ତୁ କିନ୍ତୁ ଓଡିଶା ଓ ଓଡିଶା ବାସୀଙ୍କୁ ସୁରକ୍ଷିତ ରଖନ୍ତୁ ।
ରାଜ୍ୟ ସରକାରଙ୍କୁ ଚାଷୀ ଓ ଅଞ୍ଚଳବାସୀ ମାନେ ମଧ୍ୟ ଅଭିଯୋଗରେ କହୁଛନ୍ତି , ଯେ ବଂଶଧାରା ଟ୍ରିବ୍ୟୁନାଲରେ ବିରୁଦ୍ଧରେ ଓଡିଶା ସରକାର କିଛି ମତାମତ ଦେଇ ପ୍ରତିକ୍ରିୟା ପ୍ରକାଶ କରନ୍ତୁ । ବିରୋଧୀ ଦଳ ମଧ୍ୟ କହୁଛନ୍ତି ଯେ ଟ୍ରିବ୍ୟୁନାଲ ରାୟ ସମ୍ପର୍କରେ ଓଡିଶା ସରକାର କେବେ ହେଲେ କୌଣସି କିଛି ପାଟି ଖୋଲୁନାହାନ୍ତି ।
ଏମିତିକି ଗତ ଦିନରେ ମଧ୍ୟ ଟ୍ରିବ୍ୟୁନାଲ ପକ୍ଷରୁ ଏଭଳି ଓଡିଶା ବିରୋଧୀ ରାୟ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଯେଉଁ ଟ୍ରିବ୍ୟୁନାଲ ରାୟ ଓ ଜଜମେଣ୍ଟ ପ୍ରକାଶ ପାଇଛି , ଏ ସବୁ ସମ୍ପୂର୍ଣ୍ଣ ଭାବେ ଓଡିଶା ବିରୋଧୀ ରାୟ ବୋଲି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା କାଶୀନଗର ବ୍ଲକ ଅଧ୍ୟକ୍ଷ ଶ୍ରୀ ଚିତ୍ରୀ ସୀମାଦ୍ରୀ ଏବଂ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।